ହିତାଧିକାରୀଙ୍କୁ ପଞ୍ଚାୟତ ଜିଆର୍‌ଏସ୍‌ଙ୍କ ହଇରାଣ ହରକତ୍‌ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଜଣକ ଜୈନିକା ମହିଳା ହିତାଧିକାରୀଙ୍କୁ ହଇରାଣ ହରକତ୍‌ କରୁଥିବା ନେଇ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଟିକ୍ରାପଦା ଗାଁର ଜୈନିକା ହିତାଧିକାରୀ କନକ ସାହୁ ଗାଈ ଗୁହାଳ ନିର୍ମାଣ କରିବା ପାଇଁ ଏକ କାର୍ଯ୍ୟାଦେଶ ପାଇଥିଲେ । ସେ ଗାଈ ଗୁହାଳ ନିର୍ମାଣ କରି ସାରିଥିବା ବେଳେ ବିଲ ମିଳିପାରୁ ନାହିଁ । ଉକ୍ତ ସମସ୍ୟା ନେଇ କନକ ବାରମ୍ବାର ଜିଆର୍‌ଏସ୍‌ ଗୁହାରୀ କଲେ ମଧ୍ୟ ଦିନ ଗଡେଇ ଚାଲିଛନ୍ତି । ଏପରିକି ଫୋନ୍‌ କଲେ ମଧ୍ୟ ଉଠାଉ ନାହାନ୍ତି କି ବାଇକ୍‌ ଯାଉଥିବା ସମୟରେ ଅଟକାଇଲେ ବେଖାତିର କରୁଥିବାରୁ ହିତାଧିକାରୀ ଜଣକ କ୍ଷୋଭ ସହ ପ୍ରକାଶ କରିଥିଲେ । ଏହା ସହିତ ଜିଆର୍‌ଏସ୍‌ଙ୍କ ମନମୁଖୀ କାରବାର ସାଙ୍ଗକୁ ବେଖାତିରକୁ ନେଇ ପଞ୍ଚାୟତବାସୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବିଲ୍‌ ଆଶାରେ ମହିଳା ହିତାଧିକାରୀ ଜଣକ ଟିକ୍ରାପଦାରୁ ବସ୍‌ ଯୋଗେ ୩୦ କିମି ସଇଁତଲା ବ୍ଲକ ଅଫିସକୁ ବିଡ଼ିଓଙ୍କୁ ଦେଖାକରିଥିଲେ । ଏ ସମସ୍ୟା ନେଇ ବିଡ଼ିଓ ଶ୍ରୀ ଭୋଇ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରିବା ପାଇଁ ବ୍ଲକ ଏପିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏନେଇ ଜିଆର୍‌ଏସ୍‌ ପ୍ରଦୀପ ମହାକୁରଙ୍କୁ ପଚାରିବାରୁ ଫୋନ୍‌ ଉଠାଇ ନଥିଲେ । ଏଣୁ ଏଭଳି ନିରୀହ ହିତାଧିକାରୀ ମାନଙ୍କୁ ହଇରାଣ ନକରି ତୁରନ୍ତ ଗାଈ ଗୁହାଳ ନିର୍ମାଣ ଟଙ୍କା ଶୀଘ୍ର କରି ପଇଠ କରାଯାଉ ବୋଲି ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.