ରେଳ ବିକାଶ କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ରେଳ ବଜେଟରେ ବଲାଙ୍ଗିର ଜିଲ୍ଲାକୁ ଅବହେଳା କରାଯାଇଥିବା ଅତ୍ୟନ୍ତ ନିନ୍ଦନୀୟ । ସୂଚନାଯୋଗ୍ୟ ଖୋର୍ଦ୍ଧା ରୋଡରୁ ବଲାଙ୍ଗିର ଦେଇ ରାୟପୁର ରେଳ ପ୍ରକଳ୍ପ ୧୯୪୫ ମସିହାରେ ଚୁଡାନ୍ତ ହୋଇଥିଲା । ପରବର୍ତ୍ତି କାଳରେ ଉକ୍ତ ପ୍ରକଳ୍ପ ଖୋର୍ଦ୍ଧା ରୋଡ ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସଂପାଦିତ ହୋଇଆସୁଅଛି । ଇତି ମଧ୍ୟରେ ବଲାଙ୍ଗିର ଠାରୁ ରାୟପୁରକୁ ସଂଯୋଗ କରିବା ପାଇଁ ଲାଠୋର ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚୁଡାନ୍ତ ହୋଇ ସାରିଥିଲେ ମଧ୍ୟ ଚଳିତ ରେଳ ବଜେଟରେ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥର ବ୍ୟବସ୍ଥା କରାଯାଇ ନ ଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏହି ପ୍ରକଳ୍ପ ଦ୍ୱାରା ପବିତ୍ର ତୀର୍ଥ ସ୍ଥଳ ହରିଶଙ୍କରକୁ ପର୍ଯ୍ୟଟକମାନେ ଆସି ପାରିବେ ଏବଂ ଖୋର୍ଦ୍ଧା ରୋଡରୁ ରାୟପୁରକୁ ପ୍ରାୟ ୩୦୦ କିଲୋମିଟର ଦୂରତ୍ୱ କମିଯିବା ସହ ଆଦିବାସୀ ବହୁଳ ମରୁଡି ପ୍ରବଳ ଅଂଚଳର ଶ୍ରମିକମାନଙ୍କୁ କାମଧନ୍ଦା ମଧ୍ୟ ମିଳିପାରିବ । ଏହା ବ୍ୟତୀତ ଆମ ଅଂଚଳରୁ ସିଧା ସଳଖ ଦିଲ୍ଲୀ ଦେଇ ଜାମ୍ମୁ – କାଶ୍ମୀରକୁ ଯିବା ପାଇଁ ଟ୍ରେନ ସେବାନାହିଁ । ଏଥି ପାଇଁ ସମ୍ବଲପୁର ଠାରୁ ଜାମ୍ମୁ ତାୱିକୁ ଚାଲୁଥିବା ଟ୍ରେନକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ନିମନ୍ତେ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରାୟ ୧୦ଟି ଜିଲ୍ଲାର ଜନସାଧାରଣଙ୍କୁ ନିରାଶ କରାଯାଉଅଛି । ସୁତରାଂ ବଲାଙ୍ଗିର ଠାରୁ ପାଟଣାଗଡ – ଲାଠୋର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ନିମନ୍ତେ ଚଳିତ ବର୍ଷର ବଜେଟରେ ବ୍ୟବସ୍ଥା କରାନଯାଇ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବା ଏବଂ ସମ୍ବଲପୁର ଠାରୁ ଜାମ୍ମୁ ତାୱିକୁ ଚାଲୁଥିବା ଟ୍ରେନକୁ ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା ନିମନ୍ତେ ସିଭିଲ ସୋସାଇଟି ସଭାପତି ତଥା ପୂର୍ବତନ ଜେଡ୍‌ଆରୟୁସିସି ସଦସ୍ୟ ନିଳମଣି ମିଶ୍ର ବିଭାଗୀୟ ମନ୍ତ୍ରୀ ଏବଂ ପାଟଣାଗଡ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.