jayashree

ଗଳ୍ପ : ମୋର ଗଜ ରାଶି

  • ଜୟଶ୍ରୀ ସାହୁ

ଉତ୍ତର ଭୁଲ ହେଲେ ସମସ୍ତଙ୍କୁ ଛିଡ଼ା କରେଇ ଜଣେ ପରେ ଜଣକୁ ମନ୍ଦାର ବାଡିରେ ପିଟି ପିଟି ଆସୁ ଆସୁ ଠିକ୍‌ ତାରି ସାମନାକୁ ଆସିଲେ କ’ଣ ପାଇଁ ଇଂରାଜୀ ସାର୍‌ଙ୍କ ଭାବଭଙ୍ଗୀ ବଦଳି ଯାଉଥିଲା । କେଜାଣି କାହିଁକି ରାଗରେ ଲାଲ ପଡିଯାଇଥିବା ସାର୍‌ଙ୍କ ମୁହଁରେ ହଠାତ ବିଜୁଳି ପରି ଖେଳିଯାଉଥିଲା ଧାରେ ମୁରକି ହସ । ବାଡିଟା ଟେବୁଲ ଉପରକୁ ଫିଙ୍ଗିଦେଇ ତା’ ଆଡକୁ ଅନେଇ କୋମଳ କଣ୍ଠରେ କୃତ୍ରିମ ରାଗଟେ ଫୁଟେଇ କହୁଥିଲେ, “ମୁଣ୍ଡ ଗାଡିଦେଲେ ତ ସମୁଦ୍ର ପାର୍‌ , ଆଉ… ।’ ସିଏ ବି ମୁଣ୍ଡ ତଳକୁ କରି ଲମ୍ବା ବେଣୀଟାକୁ ଆଗକୁ ଟାଣିନେଇ ଚୁପିଚୁପି ହସୁଥିବ । ବାକି ସମସ୍ତେ ପିଠି, ପିଚା ଆଉଁସୁଥିବା ବେଳେ ବଡ ବେପରୁୱା ଭଙ୍ଗିରେ ସିଏ ଏଣେ ତେଣେ କଣେଇ ଚାହୁଁଥିବ ଆଉ ମୁରକି ହସୁଥିବ । କାହା ଜିଭରେ ହାଡ଼ ଅଛି, ସାର୍‌ଙ୍କ ନାଁରେ ପଦେ କହିବ ? ଗୁରୁଜନଙ୍କ ନାଁରେ ପାଟି ଫିଟେଇଲେ ବାପ, କକା, ଅଜା ଠିଆ ଠିଆ ଦୁଇଫାଳ କରିଦେବେନି ? ସୁତରାଂ ପରସ୍ପରର ମାଡ଼ ଚିହ୍ନ ଦେଖାଦେଖି ହେଇ ନିଜକୁ ପ୍ରବୋଧନା ଦେବାଟା ଆମମାନଙ୍କ ପାଇଁ ସବୁଠୁ ନିରାପଦ ।

ଏକା କ୍ଲାସରେ ପଢୁଥିଲେ ବି ସମସ୍ତଙ୍କ ଖର୍ବକାୟ ଅବୟବ ଆଗରେ ଜାନକୀ ଥିଲା ନିହାତି ସ୍ୱତନ୍ତ୍ର । କବିଙ୍କ ଭାଷାରେ କହିଲେ, ସେ ମାଇନର୍‌ ସ୍କୁଲ ସମୟରୁ ଦିଶୁଥିଲା କୋଣାର୍କ ଗାତ୍ରର ନର୍ତକୀ ପରି । ଆମ ସମସ୍ତଙ୍କ ପାଇଁ ଫ୍ରକ ପିନ୍ଧା, ତଥାପି ଇଚ୍ଛାଧୀନ ଥିବାବେଳେ ମେଳା, ମଉଛବକୁ ସିଏ ଶାଢୀ ପିନ୍ଧି ଯାଉଥିଲା । ପାଠ ନୁହେଁ, ଶାଠରେ ପରିବେଶକୁ ପୂରା ଜମେଇ ଦଉଥିଲା । ସାର ଶ୍ରେଣୀରେ ନ ଥିବା ବେଳେ ଟଁଢେଇ, ଗୁନିଆଁ, ଦେବତା, ପେତେନ୍‌ ସଂପର୍କରେ ଏତେ ଜୀବନ୍ତ ବର୍ଣ୍ଣନା କରୁଥିଲା ଯେ, ଲାଗୁଥିଲା… ବାଳ ମୁକୁଳା କରି ପେତେନ ଯେମିତି ଆମ ପାଖରେ ବସି ତା ଛୁଆକୁ ସେଁକୁଛି ଆଉ ଆମ ଦେହରେ ନିଆଁଧାସ ବାଜୁଛି । ମୁହଁ ଉପରକୁ କରି ଆଙ୍ଗୁଠିରେ ଗଣି ଗଣି ମନେ ପକଉଥିଲା ସମୁଦାୟ କେତେଥର ପେତେନ, ସାତବହନୀଙ୍କ ମୁହଁରୁ ସିଏ ଅଳ୍ପକେ ବର୍ତିଛି । ଏତେ ବଡ ଗାଁରେ ଡିମିରି ଫୁଲ ଦେଖିବାର ସୌଭାଗ୍ୟ ଏକା ଜାନକୀର ବାପାଙ୍କୁ ମିଳିଛି ବୋଲି ଆମ ସମସ୍ତଙ୍କର ବିଶ୍ୱାସ ଥିଲା । କଳା କିଟକିଟ ଅନ୍ଧାର ରାତିରେ ଧଳା ଫକ୍‌ଫକ୍‌ ମଗ୍‌ମଗେଇ ଯାଉଥିବା ଡିମିରି ଫୁଲର ବର୍ଣ୍ଣନା ତା’ ମୁହଁରେ ଏତେ ସ୍ୱାଭାବିକ ଲାଗୁଥିଲା ଯେ, ଡିମିର ଫୁଲର ଅବିକଳ କାଳ୍ପନିକ ଚିତ୍ରଟା ଏ ଯାଏଁ ମୋ ମନରେ ଆଙ୍କି ହେଇ ରହିଯାଇଛି ।

ଅପର୍‌ ପ୍ରାଇମେରୀରୁ ଆମ ଗାଁ ସ୍କୁଲ ଯେତେବେଳେ ମାଇନର୍‌କୁ ଉନ୍ନୀତ ହେଲା, ଜାନକୀର ଭେଜାରେ ବି ଉଲ୍ଲେଖନୀୟ ଅଗ୍ରଗତି ସବୁ ପରିଲକ୍ଷିତ ହେଇଥିଲା । କଲମ୍ବସଙ୍କ ଭାରତ ଆବିଷ୍କାର ପରି ଦୂର ଦୂରାନ୍ତର ଗାଁର ସାରମାନେ ଯେତେବେଳେ ନୂଆଁ କରି ଆମ ସ୍କୁଲରେ ନିଯୁକ୍ତି ପାଇଲେ ସେତେବେଳେ ଅନେକ ଉପାଦେୟ ତଥ୍ୟ ସହ ରାଶିଫଳ, ପଲ୍ଲୀ ପତନ, ପାଞ୍ଜି, ଶୁଭାଶୁଭ ଇତ୍ୟାଦି ବିଷୟରେ ମଧ୍ୟ ଆମ ଗାଉଁଲିଆ ମସ୍ତିସ୍କକୁ ସୁସଂସ୍କୃତ କରିଥିଲେ । ଫଳ ସ୍ୱରୂପ, ଭାରି ଉତ୍ସୁକ ହେଇ ନିଜ ନିଜ ଘରେ ନିଜ ରାଶି ବିଷୟରେ ମା’ ବାପାଙ୍କୁ ପଚାରିଲୁ । କ’ଣ ବା ଉତ୍ତର ଦେବେ ମା’ ବାପା । ଯାହା ଘରେ ଦେଖିବ, ଗଦା ଗଦା ଛୁଆ । ବିଧା, ଚଟକଣାରେ ବାତ୍ସଲ୍ୟ ପ୍ରଦର୍ଶନ ହଉଥିଲା । ମା’ ଝିଅ, ଶାଶୁ ବୋହୂ ଏକା ସାଙ୍ଗେ ପୁଆତି ହଉଥିଲେ । ସେଥିରେ ପୁଣି ଘରଦୁଆର, କ୍ଷେତଖଳାରେ ଗଧଖଟଣି । ଆଉ, ରାଶି, ନକ୍ଷତ୍ର, ଜନ୍ମଲଗ୍ନ ଟିପି ରଖିବା ପାଇଁ କାହାର ଫୁର୍‌ସତ୍‌ ଅଛି ? ଏ ନୈରାଶ୍ୟରେ କିଛିଟା ଆଶା ସଂଚାର କଲା ରାମପୁର ସାପ୍ତାହିକ ବଜାରରୁ ଉପଲବ୍ଧ ବାର୍ଷିକ ପକେଟ କେଲେଣ୍ଡର । ସେ ଚଟି ବହିର ଦୟାରୁ ନିଜ ନାଁର ପ୍ରଥମ ଅକ୍ଷର କିମ୍ବା ଜନ୍ମ ତାରିଖ ଅନୁଯାୟୀ ଜଣେ ନିଜ ରାଶିର ପରିଚୟ ପାଇପାରେ ଓ ସେଇ ଆଧାରରେ ସେଇ ବର୍ଷଟା କେମିତି କଟିବ, ତାହା ବି ଜାଣି ପାରିବାରେ ସକ୍ଷମ ହେଇପାରେ ।

ବାସ୍‌, ଆରମ୍ଭ ହେଇଗଲା ନିଜ ନିଜ ରାଶି ଆଉ ବାର୍ଷିକ ଶୁଭାଶୁଭ ସଂପର୍କିତ ଗବେଷଣା । ଆମ ସମସ୍ତଙ୍କ କୌତୁହଳ ଥାଏ ଜାନକୀର ରାଶିଫଳ ଉପରେ । ଯିଏ ନିପଟ ଗଧ ହେଲେବି ନିତି ସାର୍‌ଙ୍କ ମାଡରୁ ବର୍ତି ଯାଉଛି, ତା’ର ରାଶିଫଳ କେତେ ଅସାଧାରଣ ହେଇ ନ ଥିବ ସତେ! ଜାନକୀର ରାଶିଫଳକୁ ଆମ ସମସ୍ତଙ୍କ ଅଧୀର ଅପେକ୍ଷା । ଅବଶେଷରେ ସେ ମହାର୍ଘ ଲଗ୍ନ ଉପଗତ । ଜାନକୀ ବହିଟା ଧରିଥାଏ, ଆମ ଭିତରୁ କେହି ଜଣେ ପାଟି କରି ପଢୁଥାଏ । ଆମେସବୁ ଉବଡି ଚୁବଡି ହୋଇ ବଡ ଉତ୍ସାହରେ ଶୁଣୁଥାଉ । ପ୍ରଥମେ ନାଁର ପ୍ରଥମ ଅକ୍ଷର, ତା’ପରେ ଜନ୍ମ ତାରିଖ ଆଧାରରେ ରାଶିଫଳ ଖୋଜାଗଲା ଓ ନିରାଶ ହେବାକୁ ପଡିଲା । ଜାନକୀଠୁ ବେଶୀ ନିରାଶ ଆମେ । ଅସମ୍ଭବ । ଜାନକୀ ପରି ପ୍ରତିପତ୍ତିଶାଳୀ ଛାତ୍ରୀର ରାଶିଫଳ ତ’ ଏମତି ମାନ୍ଦା ହେବା କଥା ନୁହେଁ । ସାମାନ୍ୟ ଚିନ୍ତିତ ମୁଦ୍ରାରେ ଜାନକୀ କହିଲା- ‘ଆଲୋ ଆଲୋ ମୁଁ ଭୁଲି ଯାଇଛି, ମା’ କହୁଥିଲା, ମୋ ରାଶିଟା କର୍କଟ । ପୁଣି ଥରେ ସମସ୍ତଙ୍କ ମୁହଁ ଖୁସିରେ ଝଲମଲ ! ହୁଁ ! ଡେରି ହଉ ପଛେ, ସତଟା ବାହାରିବ ନା’ ! ହଉ ପଛେ ଦୁଇ ଟଙ୍କିଆ ଚଟି ବହିଟେ, ତା’ ବୋଲି ସତ ନ କହି ଯିବ କୁଆଡେ!

କିନ୍ତୁ ନା । କର୍କଟ ବି ନିରାଶ କଲା । ସ୍ୱଜନେ କଳହ, ଯାତ୍ରା କ୍ଲେଶ, ଧନହାନୀ……. ଆଉ ଶୁଣିବାକୁ ଧୈର୍ୟ୍ୟ ନ ଥିଲା । କେହି କେହି ଅସହିଷ୍ଣୁ ଅବଶ୍ୟ ଲୁଚିଲୁଚି ଜାନକୀ ମୁହଁକୁ ଦେଖି ନିଃଶବ୍ଦରେ ହସୁଥିଲେ, ଯାହା ଜାନକୀ ଆଖିରୁ ବାଦ ପଡି ନଥିଲା । ଏ ନିରାଶାର ଘନାନ୍ଧକାରରେ ବି ହଠାତ୍‌ ଜାନକୀର ଗୋରା ତକତକ ମୁହଁଟା କିଛି ଗୋଟେ ଆବିଷ୍କାରଜନିତ ଆନନ୍ଦରେ ଗୋଲାପୀ ଗୋଲାପୀ ଦିଶିଲା । କହିଲା- “ହେଃ… ମୋ’ ରାଶି କର୍କଟ ନୁହେଁ ମ’ । ମୋ ରାଶି ହଉଛି ‘ଗଜ’ । ଏ ଛେଟିଆ ବହିରେ ସେଇଟା ନ ଥିବ । ଗଜ ରାଶି ବିଷୟରେ କେବଳ ପୁରୀ ମନ୍ଦିରର ପାଞ୍ଜିରେ ଲେଖା ହେଇଥାଏ ।

Leave A Reply

Your email address will not be published.