jayashree

ଡେଲାଙ୍ଗରେ ଜିଲ୍ଲାପାଳ ଓ ଏସ୍.ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ଶରତ ଚନ୍ଦ୍ର ବେହେରା ଏବଂ ପୋଲିସ ଅଧୀକ୍ଷକ ପ୍ରତୀକ ସିଂହ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ବନ୍ଧୀୟ ମୋଟ ୮୩ଟି ଆବେଦନ ଗ୍ରହଣ କରିଥିଲେ । ଏଥିମଧ୍ୟରୁ ୬୩ଟି ବ୍ୟକ୍ତିଗତ ଏବଂ ୨୦ଟି ସାମୂହିକ ଆବେଦନ ଥିଲା । ଶିବିରରେ ୯ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ବାକି ସମସ୍ତ ସାମୂହିକ ଓ ବ୍ୟକ୍ତିଗତ ଅଭିଯୋଗଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଡେଲାଙ୍ଗ ବିଡିଓ ସମୀର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାଦେବୀ ରାଉତରାୟ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଉପ-ଜିଲ୍ଲାପାଳ ନୀଳମାଧବ ମାଝୀ, ତହସିଲଦାର ଦେବୀ ପ୍ରସାଦ ଆଚାର୍ଯ୍ୟ, ଏସଡିପିଓ ଦେବାଶିଷ ମିଶ୍ର, ଏଇଇ ସୁବ୍ରତ କୁମାର ବାରିକ, ଜିଲ୍ଲା ଅଭିଯୋଗ ଅଧିକାରୀ ବିବେକାନନ୍ଦ ସାହୁ, ଜିପିଓ ନୃସିଂହ ଚରଣ ମିଶ୍ର, ସିପି ସତ୍ୟପ୍ରିୟ ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ମଧ୍ୟରେ ଓଏଭି ଅଭିଭାବକ ସଂଘ ସଭାପତି ଅଶୋକ ପ୍ରଧାନ ଓଡିଶା ଆଦର୍ଶ ବିଦ୍ୟାଳୟ ବେରବୋଇ ଡେଲାଙ୍ଗ ବ୍ଲକର ବହୁବିଧ ସମସ୍ୟା ସମାଧାନ ଦିଗରେ ଅଭିଯୋଗ କରିଥିଲେ । ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ବାଳିକା ହଷ୍ଟେଲ ସୀମା ପ୍ରାଚୀର ନିର୍ମାଣ ଶେଷ ନହେବା, ଛାତ୍ରୀମାନଙ୍କ ରହିବା ବ୍ୟବସ୍ଥା ପ୍ରକିୟା ଆରମ୍ଭ ନହେବା, ବାଳକ ଛାତ୍ରବାସ କାମ ଅଗ୍ରଗତି ହେଉନଥିବା, ଖେଳ ପଡ଼ିଆ ପୂର୍ଣାଙ୍ଗ ନହେବା ଆଦି ସମସ୍ୟା ରହିଥିଲା । ଅନ୍ୟ ଅଭିଯୋଗ ମଧ୍ୟରେ ଜଳସେଚନ ସୁବିଧା ନଥାଇ ମୋଟରୀ ପଂଚାୟତକୁ ୪୦ ବର୍ଷର ଜଳକର ଏକ କାଳୀନ ଆସିଥିବାରୁ ସେଗୁଡିକ ଛାଡ଼ କରିବା, ଗଙ୍ଗୁଆର ଦୂଷିତ ପାଣି ଦୟା ନଦୀକୁ ନଛାଡିବା, କଣ୍ଟିକାଳ ଓ ମାଧପୁର କାଜକୁ ବନ୍ଦ କରିବା, ଦୟା ନଦୀବନ୍ଧ ପିଚୁ କାମ ନିମ୍ନମାନର ହୋଇଥିବା, ବିଦ୍ୟାଳୟ ମାନଙ୍କରୁ ବିଦ୍ୟୁତ ବିଭାଗ ମନମୁଖୀ ଲାଇନ୍‌ କାଟିଦେବା, ମୋଟରୀ ପଂଚାୟତର ଗଣ୍ଡପଡ଼ା ଠାରେ ଚାଲୁଥିବା ବେଆଇନ ନିଶାକାରବାରକୁ ରୋକିବା ଭଳି ଅଭିଯୋଗ ଆସିଥିଲା । ଲୁହାଗଡ଼ ଛକରୁ ସାଉରିଆ (ଘୋରଡ଼ିଆ) ମୁଖ୍ୟରାସ୍ତା ମରାମତି ସେହିପରି ଘୋରଡିଆ ବଜାରରେ ବାରିକ ଓ ଦଳିତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଉଚ୍ଚସ୍ତରୀୟ କମିଟି ଗଠନ କରି ଆପୋଷ ସମାଧାନ କରିବା ସହ ଦଳିତ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମାଜସେବୀ କିଷାନ ପଟ୍ଟନାୟକ ତାଙ୍କ ସମର୍ଥକ ଗ୍ରହଣରେ ଅଭିଯୋଗ ଆଣିଥିଲେ । ସ୍ୱାସ୍ଥ୍ୟ, କୃଷି, ମୋ ବସ ଗମନା ଗମନ, ପାନୀୟଜଳ ଯୋଗାଣ ସମସ୍ୟା, ରାସନ କାର୍ଡରେ ନାମ ସଂଯୋଗ, ପିଏମ ଆବାସ ଯୋଜନା, ରାସ୍ତାଘାଟ ମରାମତି ଆଦି ଅଭିଯୋଗ ଆସିଥିଲା ।

Leave A Reply

Your email address will not be published.