csstore

କବିତା : ଶୂନ୍ୟ ସୀମନ୍ତିନୀ ରାଧା

  • ବିଜୟ କୁମାର ତ୍ରିପାଠୀ

(ଏକ)

ନିରାଭରଣ ହୋଇଛି
ଶୂନ୍ୟକୁଂଭ ଟେକି ଦେଇଛି
ଦେହରୁ ଉତାରି ଦେଇ
ଯେତେ ସବୁ ମିଛ ଆବରଣ, ଆଭୂଷଣ
ଅନଂତ ଆକାଶର ଛାତ ତଳେ
ଉତ୍ତୋଳିତ ହାତରେ
କେତେ କାଳରୁ ଛିଡ଼ା ହୋଇଛି,
କାହା ଇଚ୍ଛାରେ ନୁହଁ
ସ୍ୱଇଚ୍ଛାରେ କେବେଠୁ ନିଜକୁ
ତୁମଠାରେ ସମର୍ପି ଦେଇଛି ।

ଫୁଟେଇ ଥିବା ଫୁଲରେ ତୁମ ପୁଷ୍ପିତ
ଭରିଥିବା ସୁଗଂଧରେ ସୁଗଂଧିତ
ଫୁଲ ମଣ୍ଡିତ ଲତାଟିଏ
ଚିରକାଳ ଶ୍ୟାମଳ ପ୍ରାର୍ଥନାରେ ନିମଗ୍ନ ରହିଛି ।

ସାକାର ରୂପରେ ତୁମେ ନାହଁ
କେଜାଣି କେଉଁ ଅଗମ୍ୟ ଅଂଧାର ଭିତରେ
ଅଂତର୍ହିତ ହୋଇ ଯାଇଅଛ,
ଅବା ଜାଣି ଶୁଣି କଷ୍ଟ ଦେବା ପାଇଁ
ମୋ ନିକଟୁ ଦୂରେଇ ଯାଇଛ
ଅଥଚ ନିତିନିତି ଅମୂର୍ତ୍ତ ରୂପରେ
କାଇଁକି ଆତ୍ମାକୁ ମୋର ଜାଳି ପକାଉଛ ?

ଅଂତରାତ୍ମା ଜାଳି ଦେଇଅଛ ସିନା
ତମେ କଣ ବର୍ତିଯାଇ ପାରିଛ ତହିଁରୁ ?
ଦେଦୀପ୍ୟ ନୀଳାଭ ଶୀଖାଟିଏ ହୋଇ
ଅହରହ ମୋ ଭିତରେ ତୁମେହିଁ ଜଳୁଛ, ଜାଳୁଛ ।

ଜାଣେ ସଖା!
ଏ ଜ୍ୱଳନ,ଏ ଯଂତ୍ରଣା
ଦୁଃଖ-ସୁଖ,ଜୀବନ-ଯୌବନ
ଜରା-ବ୍ୟାଧି, ଜନ୍ମ ଓ ମରଣ ମୋର ନୁହେଁ,
ମୋର ବୋଲି କହୁଥିବା ନିଃଶ୍ୱାସ-ପ୍ରଶ୍ୱାସ, ଘଟ-ଘାଟ
ଏ ରକ୍ତମାଂସର ବଖରା
ପ୍ରତିଦିନ ଲିପାପୋଛା କରୁଥିବା ମୋ ଘର ଅଗଣା
କିଛିବିତ ମୋର ନୁହେଁ
ତୁଚ୍ଛାଟାରେ ଏ ଅଥର୍ବ ଶରୀରକୁ କିଆଁ ଜାବୁଡ଼ି ଧରିଥିବି,
ଗୋପନୀୟ ବୋଲି ମୋର ଆଉ କଣ ଅଛି ଯେ
ଚମଡ଼ା ମୁଣି ଭିତରେ ଲୁଚେଇ ରଖିବି ।

ହେ ପୂର୍ଣନାଭ !
ଥରେ ପୂର୍ଣ ରୂପେ ସମର୍ପିତ ହେଲା ପରେ
ସ୍ୱଇଚ୍ଛାରେ ଶୂନ୍ୟପାତ୍ର ଟେକି ଦେଲା ପରେ
ଗୋପନୀୟ ବୋଲି ଆଉ କଣ କିଛି ଥାଏ?
ସଭିଙ୍କୁ ସୁବାସ ବାଣ୍ଟୁଥିବା ଫୁଲଟିଏ
ଯିଏ ନିତି ଜିଉଁଥାଏ, ନିତି ମରୁଥାଏ,
କାମନାହୀନ କାମନା
ବାସନାହୀନ ବାସନା
ନିଷ୍କାମ,ନିର୍ମୋହ ଭାବେ
ପୂର୍ଣ ଅବୟବ ତାର
ଆଗରୁ ସେ ଖୋଲା ରଖିଥାଏ । ।

ମୋ.ନଂ.- ୯୪୩୯୦୨୭୨୪୫

jayashree
Leave A Reply

Your email address will not be published.