ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନ ବଡ଼ମାଳ ଫାଣ୍ଡି ଅଞ୍ଚଳର କାଳଖୁଟ ସଂରକ୍ଷିତ ଜଙ୍ଗଲ ପରିସରରୁ ନିଖୋଜ ଯୁବକର ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥା ପୋଲିସ ଉଦ୍ଧାର କରିଛି । ଏନେଇ ସଇଁତଲା ଥାନା କେସ୍‌ ନଂ ୧୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼କୁ ପଠାଯାଇଛି । ହତ୍ୟା ନାଁ ଆତ୍ମହତ୍ୟା କାରଣ ଏବେ ବି ଅସ୍ପଷ୍ଟ ରହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସତ୍ୟସତ୍ୟା ଜଣାପଡିବ ବୋଲି ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇ ସୂଚନା ଦେଇଛନ୍ତି । ନିଖୋଜ ବ୍ୟକ୍ତି ଶବ ମିଳିବା ପରେ ପରିବାର ଲୋକେ ଆସି ଚିହ୍ନଟ କରିଥିଲେ । ମୃତ ଯୁବକ ଉତ୍ତମ ନାଗ (୩୮) ଗ୍ରାମ ଟିଟିଲାଗଡ଼ ସହରର ସର୍ଗିଗୁଡା ମଦନଲାଲ ଛକ ବୋଲି ଜଣାପଡିଛି । ପ୍ରକାଶ ଯେ, ବୁଧବାର ଗୋଏଲ୍‌ଭାଡ଼ି ଛକ ନିକଟସ୍ଥ ରେଲୱେ ଓଭର୍‌ ବ୍ରିଜ୍‌ ପାଖରେ ଏକ ଯୁବକ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥା ଥିବା ଖବର ପାଇଁ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇଙ୍କ ତତ୍ତେ୍ୱାବଧାନରେ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ସେକେଣ୍ଡ ଅଫିସର ଆଲୋକ ଭୋଇ, ପିଏସ୍‌ଆଇ ରାଜେଶ ବେହେରା, ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ସହ ଟିମ୍‌ ପହଂଚି ଶବକୁ ଜବତ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ପରେ ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଂଚି ମୃତ ଯୁବକଙ୍କ ଠାରୁ ନମୁନା ସଂଗ୍ରହ କରି ତଦନ୍ତ ଚଲାଇଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୨ ଦିନ ଭୋରରୁ ଉତ୍ତମ ନିଜ ବାଇକ୍‌ ନଂ ଓଡି୦୮ ଏଚ୍‌ ୮୮୬୯ ଯୋଗେ ଘରୁ ଶୌଚ ଯିବା ପାଇଁ ବାହାରିଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ଘଟଣା ସମ୍ପର୍କରେ ତାଙ୍କ ବଡ଼ ଭାଇ ସୁଦାମ ନାଗ ଟିଟିଲାଗଡ଼ ଥାନାରେ ଉତ୍ତମ ନିଖୋଜ ହୋଇଛି ବୋଲି ଏକ ଲିଖିତ ଏତଲା ଦେଇଥିଲେ । ଏହାକୁ ଭିର୍ତ୍ତି କରି ଟିଟିଲାଗଡ଼ ପୋଲିସ ବିଭିନ୍ନ ଥାନାକୁ ଖବର ଦେଇ ତଦନ୍ତ ଚଲାଇଥିଲା ।

Leave A Reply

Your email address will not be published.