ହିନ୍ଦୁ ସଂଗଠିତ ନହେଲେ ସମ୍ବିଧାନ ମଧ୍ୟ ଆମକୁ ରକ୍ଷା କରିପାରିବ ନାହିଁ – ତୋଗାଡିଆ

ରାଉରକେଲା, (ସସ୍ମିତା ପ୍ରଧାନ) : କାଶ୍ମୀରଠାରୁ କୈରାନା ଯାଏ ଦିନକୁଦିନ ହିନ୍ଦୁମାନଙ୍କ ପଳାୟନ ଜାରୀ ରହିଥିବା ବେଳେ ଏ ଦେଶର ବିଭିନ୍ନ ଭାଗରେ ହିନ୍ଦୁମାନଙ୍କ ଜୀବନଧାରା ଦୁର୍ବିସହ ହେଉଛି । ଯେଉଁଠି ହିନ୍ଦୁ ମାନଙ୍କ ସଂଖ୍ୟା ହ୍ରାସ ପାଉଛି, ସେଠି ହିନ୍ଦୁ ହତ୍ୟା, ବଳାତ୍କାର ତଥା ଅମାନୁଷିକ ଅତ୍ୟାଚାରର ଶିକାର ହେଉଛି । ଅନ୍ୟପକ୍ଷେ ଆଇନ କାନୁନ, ବ୍ୟବସ୍ଥା ସର୍ବୋପରି ସମ୍ବିଧାନ ମଧ୍ୟ ହିନ୍ଦୁ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହେଉଛି । ତେବେ ହିନ୍ଦୁସ୍ତାନ ନାମରେ ପରିଚିତ ଭାରତରୁ ହିନ୍ଦୁ ଆଉ କେତେଦିନ ପଳାୟନ କରିବ ? ନିଜ ଭିଟାମାଟିରେ ହିନ୍ଦୁ ଆଉ କେତେଦିନ ତୃତୀୟ ନାଗରିକ ଭଳି ଅଭିଶପ୍ତ ଜୀବନ ଅତିବାହିତ କରିବ ? ଏକଥାକୁ ବିଚାର କରିବାର ଉପଯୁକ୍ତ ସମୟ ଉପନୀତ ହୋଇଛି । ତେଣୁ ସମୟ ଆସିଛି ଛୁଆଁ ଅଛୁଆଁ ଭେଦଭାବକୁ ମୂଳୋତ୍ପାଟନ କରି ସଶକ୍ତ ଓ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ ନିମିତ୍ତ ଆଗଭର ହେବାର । ନଚେତ ସମ୍ବିଧାନ ମଧ୍ୟ ଆମକୁ ରକ୍ଷା କରିପାରିବ ନାହିଁ । ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ ହସ୍ପିଟାଲ ରୋଡ଼ ସ୍ଥିତ ଆମ୍ବା ରେସିଡେନ୍ସିରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି ଆହ୍ୱାନ କରିଛନ୍ତି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମୁଖ୍ୟ ତଥା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ । ଏହି ଅବସରରେ ତୋଗାଡିଆ ଆହୁରି କହିଛନ୍ତି ଯେ, ଓଡିଶାରେ ୧୯୬୦ ମସିହାରୁ ଗୋ-ହତ୍ୟା ଓ ୧୯୬୭ ମସିହାରୁ ଧର୍ମାନ୍ତରୀକରଣ ବିରୁଦ୍ଧରେ ସଶକ୍ତ ଆଇନ ଥିଲେ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁଦିନ ଯେଭଳି ପରିମାଣରେ ଗୋ-ହତ୍ୟା ଓ ଧର୍ମାନ୍ତରୀକରଣ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଜିଲ୍ଲାରେ ଖୁଲମଖୁଲା ଗୋ-ହତ୍ୟା ହୋଇ ଶାଗମାଛ ଭଳି ଗୋ-ମାଂସ ବିକ୍ରି ହେଉଥିବା ବେଳେ ଭୟ, ଅନ୍ଧବିଶ୍ୱାସ ଓ ପ୍ରଲୋଭନ ଦେଖାଇ ଶାନ୍ତ ସରଳ ହିନ୍ଦୁମାନଙ୍କୁ ବଳପୂର୍ବକ ଧର୍ମପରିବର୍ତ୍ତନ କରାଯାଉଛି । ତେବେ ରାଜ୍ୟରେ ସଶକ୍ତ ଆଇନ ସତ୍ତ୍ୱେ ଏସବୁ ବେଆଇନ କାର୍ଯ୍ୟକୁ ରୋକିବା ପରିବର୍ତ୍ତେ ଜିଲ୍ଲା ପୋଲିସ ଓ ପ୍ରଶାସନ ଓଲଟା ଏହାକୁ ନୀରବ ସମର୍ଥନ କରୁଛି । ଯଦି ଦଳ ମତ ନିର୍ବିଶେଷରେ ଏହାକୁ ବିରୋଧ କରାନଯିବ ତା’ହେଲେ ଆଉ କିଛିଦିନ ପରେ ସୁନ୍ଦରଗଡ଼ ଜିଲାରୁ ମଧ୍ୟ ହିନ୍ଦୁ ପଳାୟନ ଆରମ୍ଭ ହେବ ବୋଲି ତୋଗାଡିଆ ଉପସ୍ଥିତ କର୍ମକର୍ତ୍ତାକୁ ଚେତାଇ ଦେଇଥିଲେ । ତା’ସହିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଂଗଠନକୁ ବିସ୍ତାର କରି ସମୃଦ୍ଧ ଓ ସଶକ୍ତ ହିନ୍ଦୁ ସମାଜ ନିର୍ମାଣ ଦିଗରେ ସହଭାଗୀ ହେବାକୁ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଥିଲେ । ସର୍ବପ୍ରଥମେ ୧୧ ଟାରେ ତୋଗାଡିଆ ଆମ୍ବା ରେସିଡେନ୍ସିରେ ପହଞ୍ଚିଲା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା । ତା’ପରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ସଂଗଠନର ବରିଷ୍ଠ ପଦାଧିକାରୀ ମନୋଜ ସାହୁ, ଦୀପକ ମହାନ୍ତ, ସନ୍ତୋଷ ନାଏକ, ଗଜିନ୍ଦ୍ର ସାଏ, ଲବ ରଣା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସଭାକାର୍ଯ୍ୟର ପରିସମାପ୍ତି ପରେ ତୋଗାଡିଆ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ହିନ୍ଦୁ ସମାଜ ପ୍ରତି ଦେଖାଦେଇଥିବା ସଙ୍କଟ ଓ ଏହାର ପ୍ରତିକାର ସମ୍ୱନ୍ଧରେ ବିଚାର ବିମର୍ଷ କରିଥିବା ବେଳେ ହିନ୍ଦୁତ୍ୱର କାର୍ଯ୍ୟରେ ସହଭାଗୀ ହେବାକୁ ନିବେଦନ କରିଥିଲେ । ତୋଗାଡିଆଙ୍କ ଗସ୍ତକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!