pakka

ଓଡ଼ିଶାରେ ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ

bbehera
  • ରବି ରଥ
    (୧ ଜାନୁଆରୀ ୨୦୨୪, ୧୪୪ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ)

ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଉତ୍କଳ ଦୀପିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ପରବର୍ତ୍ତୀ ସମୟରେ ମନୀଷୀ, ସାହିତ୍ୟିକ, ଯୁଗପୁରୁଷ ଶଶୀଭୂଷଣ ରଥ ସମସାମୟିକ ଭାରତୀୟ ଗଦ୍ୟ ସାହିତ୍ୟରେ ଓଡ଼ିଆ ସାହିତ୍ୟର ମହତ୍ୱ ପ୍ରତିପାଦନ କରିଯାଇ ଅଛନ୍ତି । ସମ୍ବାଦପତ୍ରର ସ୍ୱରୂପ ବିଶେଷ କରି ଓଡ଼ିଆ ଭାଷାରେ ଆଜି ଯେଉଁ ପରିକଳ୍ପନା ଅର୍ଜନ କରିପାରିଛି ତାର ମୂଳରେ ସାମ୍ବାଦିକ ଶଶୀଭୂଷଣ ରଥଙ୍କ ପ୍ରେରଣା ଓ ଦିଗ୍‌ଦର୍ଶନ ଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ସଂଯତ, ସୁଚିନ୍ତିତ ଯୁଗୋପଯୋଗୀ, ସର୍ବୋର୍ଜନ ବୋଧ, ଦାମ୍ଭୀକତା ତଥା ପୌରଷପୂର୍ଣ୍ଣ ବ୍ୟଞ୍ଜନା ଶୈଳୀ ଶଶୀଭୂଷଣଙ୍କ ସମ୍ବାଦ ସାହିତ୍ୟର ମହନୀୟ ଗୌରବ ଯାହାକି ଆଜିର ଓଡ଼ିଆ ସମ୍ବାଦ ସାହିତ୍ୟରେ ଏକ ଉଜ୍ୱଳ ପରମ୍ପରା ଓ ପ୍ରଶସ୍ତ ବି·ର ବିବେଚନା ପାଇଁ ମାର୍ଗ ପ୍ରଦର୍ଶନ କରି ଆସୁଅଛ । ଏପରି ଗୌରବମୟ ପରମ୍ପରାର ସୁଯୋଗ୍ୟ ରଥୀ ସଂଗ୍ରାମୀ ଶଶୀଭୂଷଣ । ୧୯୦୧ ମସିହାରୁ ଦେଶ ମିଶ୍ରଣ ଆନ୍ଦୋଳନ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହେଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିକ୍ଷିପ୍ତ ଭାବେ ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସଂଗଠନମାନେ ଦାବି କରି ଆସୁଥିଲେ । ଖଲିକୋଟ ରାଜା ପ୍ରାତଃ ସ୍ମରଣୀୟ ହରିହର ମର୍ଦ୍ଦରାଜ ଦେବ ନିଜର ପୁତ୍ର ରାମଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଅବସରରେ ରମ୍ଭା ରାଜ ପ୍ରାସାଦରେ ଏକ ବନ୍ଧୁ ମିଳନର ଆୟୋଜନ କରିଥିଲେ । ଓଡ଼ିଶାର ବରପୁତ୍ରମାନେ ସେହି ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗ ଦେଇଥିଲେ । ସେଠାରେ ଓଡ଼ିଆମାନଙ୍କର ବିଭିନ୍ନ ପ୍ରଦେଶରେ ଅକଥନୀୟ ନିର୍ଯାତନା ଓ ଦୁର୍ଦ୍ଦଶା ସଂପର୍କରେ ଆଲୋଚନା କରାଯାଇଥିଲା । ଏବଂ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ଦିଗରେ ମତ ପ୍ରକାଶ ପାଇଥିଲା । ପ୍ରଥମେ ଗଞ୍ଜାମ ସମ୍ମିଳନୀ ବ୍ରହ୍ମପୁରରେ ଆୟୋଜନ କରାଯାଇଥିଲା ଓ ପରେ ତାକୁ ଉକ୍ରଳ ସମ୍ମିଳନୀରେ ନାମୀତ କରଯାଇ ବିଧିବଦ୍ଧ ଦେଶ ମିଶ୍ରଣ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । କୁଳବୃଦ୍ଧ ମଧୁସୂଦନ ଓ ଫକୀର ମୋହନ ପ୍ରମୁଖ ସେହି ସମ୍ମିଳନୀରେ ଯୋଗ ଦେଇଥିଲେ । ବ୍ରହ୍ମପୁର ପରେ କଟକରେ ଉକ୍ରଳ ସମ୍ମିଳନୀ ହେଲା ଓ ଦେଶ ମିଶ୍ରଣ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ସର୍ବତ୍ର ଜନସମର୍ଥନ ମିଳିଲା । ୧୯୧୧ ଜନଗଣନା ବେଳେ ବଙ୍ଗ, ବିହାର, ଓ ମାନ୍ଦ୍ରାଜର ଅଫିସରମାନେ ଓଡ଼ିଆ ଭାଷାଭାଷୀଙ୍କ ସମ୍ପର୍କରେ ବିକୃତ ତଥ୍ୟ ପ୍ରଦାନ କରିଥିଲେ । ତିନୋଟିଯାକ ରାଜ୍ୟରେ ଅନ୍ୟ ଭାଷାଭାଷୀଙ୍କ ସଂଖ୍ୟା ବଢ଼ିଥିଲା ବେଳେ ଓଡ଼ିଆଙ୍କ ସଂଖ୍ୟାକୁ ହ୍ରାସ କରାଯାଇଥିଲା । ଅଫିସରମାନଙ୍କ ଅସାଧୁ ଉଦ୍ୟମ ଓଡ଼ିଆଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଥିଲା । ଯାହାକି ବିଲାତ ତଥା ଭାରତ ସରକାରଙ୍କୁ ବିସ୍ମିତ କରିଥିଲା । ଓଡ଼ିଆମାନେ ଆନ୍ଦୋଳନ କରି ଜାଣିନଥିବାରୁ ନିର୍ଯାତନା ସହ୍ୟ କରିବାକୁ ପଡ଼ୁଛି ବୋଲି ଲର୍ଡକର୍ଜନ ପ୍ରକାଶ କରିଥିବା କୁହାଯାଇଛ । ମାକକଲମ ସ୍କଟ ନାମକ ଜନୈକ ପାର୍ଲାମେଣ୍ଟ ସଭ୍ୟ ଓଡ଼ିଆ ଭାଷାଭାଷୀଙ୍କ ଜନଗଣନା ତଥ୍ୟ ଉପରେ ବ୍ରିଟିସ କନଭେନସନ୍‌ ସଭାରେ ପ୍ରଶ୍ନ ଉଠାଇ ସେମାନଙ୍କୁ ଗୋଟିଏ ପ୍ରଦେଶରେ ଏକତ୍ରିତ କରି ରଖିବା ପାଇଁ ଯୁକ୍ତି ବାଢ଼ିଥିଲେ । ୧୯୧୨ ଉକ୍ରଳ ସମ୍ମିଳନୀର ବ୍ରହ୍ମପୁର ଅଧିବେଶନରେ ମାନ୍ଦ୍ରାଜ ପ୍ରସିଡେ଼ନ୍ସିରୁ ଓଡ଼ିଆ ଅଞ୍ଚଳ ଅପସାରଣ ପାଇଁ ଦାବି କରିଥିଲେ । ଏହି ଅଧିବେଶନରେ ଦେଶ ମିଶ୍ରଣ ବାର୍ତ୍ତାକୁ ପ୍ରଚାର କରିବା ଲାଗି ନୀତି ନିର୍ଦ୍ଧାରଣ କରାଯାଇ ଶଶୀଭୂଷଣ, ପଣ୍ଡିତ ଗୋପବନ୍ଧୁ ଏବଂ ପ୍ରଚାରକ ଅନନ୍ତ ମିଶ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲ ଏବଂ ଏହାର କାର୍ଯ୍ୟାରମ୍ଭ କରିଥିଲେ । ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକରେ ପ୍ରକାଶ ପାଉଥିବା ପ୍ରଜାବନ୍ଧୁ ପତ୍ରିକାର ପ୍ରକାଶନ ବନ୍ଦ ହେବା ପରେ ବଡ଼ଖେମୁଣ୍ଡି ରାଜା କୃପାମୟ ଦେବଙ୍କ ନେତୃତ୍ୱରେ ଗଞ୍ଜାମ ଗୁଣଦର୍ପଣ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାକତ୍ୱରେ କିଛିକାଳ ପ୍ରକାଶ ପାଉଥିଲା । ଶଶୀଭୂଷଣଙ୍କ ସଂପାଦକତ୍ୱରେ ୧୯୧୩ ସାଲରେ ସାପ୍ତାହିକ “ଆଶା’ ପ୍ରକାଶ ପାଇଲା ପରେ ସାମ୍ବାଦିକତା କ୍ଷେତ୍ରରେ ଏକ ନୂତନ ଯୁଗର ସୃଷ୍ଟି ହୋଇଥିଲା । ୧୯୨୮ରେ ଦୈନିକ ଖବର କାଗଜ ଭାବେ “ଆଶା’ ପ୍ରତିଷ୍ଠିତ ହୋଇ ଜାତୀୟବାଦୀମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା । ୧୯୩୩ରେ ଶଶୀଭୂଷଣଙ୍କ “ନ୍ୟୁଓଡ଼ିଶା’ ଜନ୍ମ ନେଲା । ପରେ ଦେଶ ମିଶ୍ରଣ ଆନ୍ଦୋଳନକୁ ସର୍ବଭାରତୀୟ ରୂପରେଖ ଦେବାରେ ସମର୍ଥ ହୋଇଥିଲେ । ଓଡ଼ିଶା ତଥା ଭାରତର ବହୁ ବୁଦ୍ଧିଜୀବୀ ଏହି ପତ୍ରିକା ସହିତ ସଂପର୍କ ରକ୍ଷା କରିଥିଲେ । ଏହା ପୂର୍ବରୁ ଶଶୀଭୂଷଣ ରଥ “ଇଷ୍ଟ କୋଷ୍ଟ’ ନାମକ ଏକ ସାପ୍ତାହିକ ପତ୍ରିକା ଆଶା ପ୍ରେସରୁ ପ୍ରକାଶ କରି ଏହି ଇଂରେଜ ପତ୍ରିକାର ଦାୟିତ୍ୱ ଗୋଦାବରିଶ ମିଶ୍ରଙ୍କୁ ଦେଇଥିଲେ । ଶଶୀବାବୁ ମାସିକ ପତ୍ରିକା ବୈତରଣୀ ପ୍ରକାଶ କରିଥିଲେ । ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଶଶୀଭୂଷଣ ତାଙ୍କର ପ୍ରତିଷ୍ଠିତ “ଆଶା’ ଓ “ନ୍ୟୁ ଓଡ଼ିଶା’କୁ ଦେଶ ମିଶ୍ରଣ ଆନ୍ଦୋଳନ ସହିତ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର ଓ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଆନ୍ଦୋଳନର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ । ଆଶା ଥିଲା ଜନସାଧାରଣଙ୍କ ଆଶା ଓ ଭରସାର ଉତ୍ସ ଓ ଓଡ଼ିଆଙ୍କର ମୁଖପତ୍ର । ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ମିଶ୍ର କପିଳେଶ୍ୱର ଦାସ, ପଣ୍ଡିତ ବିଶ୍ୱନାଥ ମିଶ୍ର, ସତ୍ୟନାରାୟଣ ପଣ୍ଡା, ମଧୁସୂଦନ ମହାପାତ୍ର, ଡ. ସତ୍ୟନାରୟଣ ରାଜଗୁରୁ, ସାମ୍ବାଦିକ ରାମଚନ୍ଦ୍ର ଦାସ, ନାଟ୍ୟକାର କୈଳାସ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ପାଢ଼ୀ, ପଣ୍ଡିତ ହରିକୃଷ୍ଣ ସାହୁ ପ୍ରମୁଖ ସୁଲେଖକମାନେ ରିତିମତ କର୍ତ୍ତବ୍ୟ ବିଷୟରେ ଲେଖାମାନ ଲେଖୁଥିଲେ । ଭାଷା ଆନ୍ଦୋଳନକୁ ଉଜ୍ଜୀବିତ କରିବା ଲାଗି କଟକରେ ଉତ୍କଳ ଦୀପିକା ବାମଣ୍ଡାରେ ସମ୍ବଲପୁର ହିତୈଷିଣୀ, ବ୍ରହ୍ମପୁରରେ ସ୍ୱଦେଶୀ ଓ ବାର୍ତ୍ତାଲହରୀ ପ୍ରକାଶିତ ହୋଇ ବିଖଣ୍ଡିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାତୀୟ ଜାଗରଣ ସୃଷ୍ଟି କରିଥିଲା । “ଦୈନିକ ଆଶା’ ପ୍ରାକୃତିକ ଓଡ଼ିଶାରେ ଜନଜାଗରଣ ସୃଷ୍ଟି କରିଥିଲା । ଶଶୀଭୂଷଣ ଥିଲେ ଏକ ଅଦ୍ୱିତୀୟ ସମ୍ପାଦକ ତଥା ବଳିଷ୍ଠ ସଂଗଠକ । ତାଙ୍କର “ଆଶା’ ମାଧ୍ୟମରେ ରାଜ୍ୟର ନେତୃବୃନ୍ଦଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ । ଶଶୀବାବୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ପଣ୍ଡିିତ ମୋତିଲାଲ ନେହେରୁ, ଡ. ରାଜେନ୍ଦ୍ର ପ୍ରସାଦ, ରାଜାଜୀ, ପ୍ରକାଶମ୍‌, ପଟାଭି ସୀତାରମେୟା, ସୁବାଷ ବୋଷ, ପଣ୍ଡିିତ ରବିଶଙ୍କର ଶୁକ୍ଳା, ଶରତ ବୋଷ ପ୍ରମୁଖ ଦେଶର ବରେଣ୍ୟ ସଂଗ୍ରାମୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଡ. ବିକ୍ରମ ଦେବ ବର୍ମା, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ଶିଳ୍ପପତି ପରମାନନ୍ଦ ସାହୁ ପ୍ରମୁଖ ଶଶୀବାବୁଙ୍କୁ ସକ୍ରିୟ ସହଯୋଗ କରି ଓଡ଼ିଆ ସାମ୍ବାଦିକତାକୁ ପରିପୃଷ୍ଟ କରିଥିଲେ । ଶଶୀଭୂଷଣ ରଥ ଗଞ୍ଜାମ ଜିଲ୍ଲା ସୋରଡାର ପ୍ରଖ୍ୟାତ ମହାପାତ୍ର ପରିବାରରେ ୧.୧.୧୮୮୫ ସାଲରେ ଜନ୍ମଗ୍ରହଣ କରି ମହୁଲିଆ (ଭଞ୍ଜନଗର ନିକଟ) ପିଉସାଙ୍କୁ ପୋଷ୍ୟପୁତ୍ର ହୋଇ ରଥ ହୋଇଯାଇଥିଲୋ ଶଶୀଭୂଷଣଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ବିଚକ୍ଷଣ ସାଂଗଠନିକ ଶକ୍ତି ଦେଶ ମିଶ୍ରଣ ଓ ଆନ୍ଦୋଳନକୁ ସତେଜ ଓ ଶକ୍ତିଶାଳୀ କରି ଗଢ଼ିତୋଳିଥିଲା । ଯାହା ଫଳରେ ୧୯୩୬ ଏପ୍ରିଲ ପହିଲରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରତିଷ୍ଠିତ ହେଲା । ଶଶୀଭୂଷଣଙ୍କ ଅବିସ୍ମରଣୀୟ ଅବଦାନ ଅଭୁଲା ରହିବ । ଶଶୀବାବୁ ସଂସ୍କୃତ, ଓଡ଼ିଆ, ତେଲୁଗୁ, ତାମିଲ, ହିନ୍ଦୀ, ଗୁଜରାଟୀ, ବର୍ମୀଜ, ବଙ୍ଗାଳୀ, ଇଂରାଜୀ, ଜର୍ମାନୀ ପ୍ରଭୃତି ବହୁ ଭାଷାରେ ପାଣ୍ଡତ୍ୟ ଅର୍ଜନ କରି ନେତାମାନଙ୍କର ନିକଟତର ହୋଇପାରିଥିଲେ । ଗାନ୍ଧିଜୀଙ୍କ ଗୁଜରାଟୀ ଗୀତା ସେ ଜେଲରେ ଥିଲାବେଳେ ଓଡ଼ିଆରେ ଅନୁବାଦ କରିଥିଲେ । ଶଶୀବାବୁ ଦେଶ ମିଶ୍ରଣ ଆନ୍ଦୋଳନର ଯେଭଳି ଅଗ୍ରଭାଗରେ ଥିଲେ ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଭାବେ ବହୁବାର କାରାବରଣ କରି ସ୍ୱାଧୀନତା ସଂଗ୍ରାମକୁ ସୁଦୃଢ଼ କରିଥିଲେ ଓ ସ୍ୱଦେଶୀ ଆନ୍ଦୋଳନକୁ ଜନଗଣଙ୍କ ମଧ୍ୟରେ ପ୍ରଚାର କରିବାରେ ସଫଳକାମୀ ହୋଇଥିଲେ । ଭାରତର ବିଭିନ୍ନ ପ୍ରାନ୍ତରେ ଖବରକାଗଜର ଦୃତ ବିକାଶ ଘଟୁଥିବା ବେଳେ ସମ୍ବାଦପତ୍ରର ଜନ୍ମପୀଠ ଗଞ୍ଜାମରେ ଯେତେବେଳେ ନୈରାଶ୍ୟ ଘୋଟି ଯାଇଥିଲା ସେତେବେଳେ ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ଅନ୍ୟାନ୍ୟ ରାଜ ପରିବାରଙ୍କ ସହଯୋଗରେ ନବୀନ ପତ୍ରିକା ପ୍ରକାଶ କରି ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଜନମତ ସୃଷ୍ଟି କରିଥିଲେ । ଜନସେବୀ ବୃନ୍ଦାବନ ନାୟକଙ୍କ ଦ୍ୱାରା ୧୯୮୨ ଫେବୃୟାରୀ ୧୦ ତାରିଖରେ ବନ୍ଦ ହୋଇଯାଇଥିବା ଶଶୀଭୂଷଣଙ୍କ ଆଶାକୁ “ଦୈନିକଆଶା’ ପ୍ରକାଶ ପାଇଲା । ଦୈନିକଆଶାର ଉଜ୍ୱଳ ଭବିଷ୍ୟତ କାମନା କରି ରାଷ୍ଟ୍ରନୀତିଜ୍ଞ ଗୋଦାବରୀଶ ମିଶ୍ର ଲେଖିଥିଲେ –
ରାଜ୍ୟରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସମାଜ ଡକ୍ଟର ମହତାବଙ୍କ ପ୍ରତିଷ୍ଠିତ ପ୍ରଜାତନ୍ତ୍ର ପ୍ରଭୃତି ବହୁ ଖବରକାଗଜ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ସାମ୍ବାଦିକ ଶଶୀଭୂଷଣଙ୍କ ପ୍ରତିଷ୍ଠିତ “ଦୈନିକଆଶା’ ଦେଶର ସ୍ୱାଧୀନତା ସଂଗ୍ରାମ ଓ ଓଡ଼ିଆଙ୍କ ଦେଶ ମିଶ୍ରଣ ଆନ୍ଦୋଳନର ବାର୍ତ୍ତା ପ୍ର·ର କରି ସର୍ବତ୍ର ପରିଚିତ । ଗଞ୍ଜାମରେ “ଆଶା’ ଓ “ନ୍ୟୁ ଓଡ଼ିଆ’ ଦୈନିକ ପତ୍ରିକା ପ୍ରକାଶିତ ହେଉଥିଲେ ମଧ୍ୟ ବିଭିନ୍ନ ସମୟରେ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଦ୍ୱାରା “ପ୍ରଭାତ’, “ନବୀନ’, ଶିଶିର ପ୍ରକାଶ ପାଉଥିଲା । ପରବର୍ତ୍ତୀ କାଳରେ ପ୍ରଭାତ ଓ ଶିଶିର ବନ୍ଦ ହୋଇଯାଇଥିଲେ ମଧ୍ୟ ୯୪ ବର୍ଷ ଧରି ନବୀନ ଧାରାବାହିକ ଭାବେ ପ୍ରକାଶ ପାଇ ଆସୁଛି । ଭୁବନେଶ୍ୱର ରଥଙ୍କ ଦ୍ୱାରା ଧର୍ମଯୁଦ୍ଧ ଓ ପ୍ରଜାବନ୍ଧୁ, ଆନନ୍ଦ ଆଚାର୍ଯ୍ୟଙ୍କ ଦ୍ୱାରା ଓଡ଼ିଆ ଓ ବାଇଓଡ଼ିଆ ଏବଂ ପରବର୍ତ୍ତୀ ସମୟରେ ସାମ୍ବାଦିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ “ତରୁଣ’ ପ୍ରକାଶିତ ହେଉଥିଲା । ଗଞ୍ଜାମ ଜିଲା କେବଳ ସମ୍ବାଦପତ୍ର ପ୍ରକାଶନରେ ଦିନେ କେବଳ ଅଗ୍ରଣୀ ନଥିଲା, ଦେଶମିଶ୍ରଣ ଓ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ । ଏହି ଉତ୍ସର୍ଗୀକୃତ ବରପୁତ୍ରମାନଙ୍କ ତ୍ୟାଗ, ନିଷ୍ଠା ଓ ସଂଗ୍ରାମ ଦ୍ୱାରା ଯାହାକି ଆଜି ସ୍ମରଣୀୟ ଘଟଣା ପ୍ରବାହର ଅଂଶବିଶେଷ । ସମାଜ ସଂସ୍କାର ଦିଗରେ ଶଶୀଭୂଷଣଙ୍କ ଉଦ୍ୟମ ଚିର ପ୍ରଶଂସିତ । ତାରାତାରିଣୀ ପୀଠରେ ବଳିବନ୍ଦ ଆନ୍ଦୋଳନ ୧୯୩୦ ସାଲରେ ଚହଳ ପକାଇ ଦେଇଥିଲା । ୫୮ ବର୍ଷ ବୟସରେ ୨୦.୩.୧୯୪୩ ସାଲରେ ସ୍ୱାଧୀନତା ସଂଗ୍ରାମୀ, ଦେଶମିଶ୍ରଣ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଜନସେବକ, ଶିକ୍ଷାବିତ, ପ୍ରଖ୍ୟାତ ସାମ୍ବାଦିକ ଗୀତାଟୀକାକାର, ପୁରୁଷ ପୁଙ୍ଗବ, ସଂସ୍କାରକ ବହୁଭଷା ବିଷାରଦ, ବାଗ୍ମୀ, ଦୂରଦୃଷ୍ଟି ସଂପନ୍ନ, ଦେବୀଭକ୍ତ ପଣ୍ଡିତ ପ୍ରବାହ ଜନନାୟକ ଶଶୀଭୂଷଣଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱର ଅବସାନ ଘଟିଲା । ଶଶୀବାବୁ ଆମ ଭିତରୁ ୫୬ ବର୍ଷ ହେଲା ଚିର ବିଦାୟ ନେଇଥିଲେ ମଧ୍ୟ ଜନମାନସରେ ତାଙ୍କର କୀର୍ତ୍ତିରାଜ ଏବେ ମଧ୍ୟ ସତେଜ ରହିଛି ।
ସମ୍ପାଦନ ନବୀନ, ନବୀନ ଭବନ, ବ୍ରହ୍ମପୁର-୧୦, ମୋ-୯୮୬୧୦ ୧୩୭୮୦

jay balangir
Leave A Reply

Your email address will not be published.

fifteen − six =