jayashree

ମିଳୁନି ୟୁରିଆ ସାର ଚିନ୍ତାରେ ଚାଷୀ : ୧୨ଟି ପେକ୍ସକୁ ଆସିଥିବା ସାର ଗଲା କୁଆଡେ ?

ଦେଓଗାଁ, (କିଶୋର କୁମାର ସାହୁ) : ଚାଷ ଆରମ୍ଭରୁ ଭଲ ବର୍ଷା ହେବାରୁ ଚାଷକୁ ନେଇ ଉତ୍ସାହିତ ଥିଲା ଚାଷୀ । ହେଲେ ଅଧା ବାଟରେ ମୌସୁମୀ ଧୋକା ଦେବାରୁ ମରୁଡ଼ି ମୁହଁରେ ପଡ଼ି ପାଣି ପାଇଁ ଡହଲ ବିକଳ ହେଉଥିଲା । କିନ୍ତୁ ଲଘୁଚାପ ବର୍ଷାକୁ ନେଇ ଚାଷ ପାଇଁ ପୁଣି ଅଣ୍ଟା ଭିଡ଼ିଲା ବେଳକୁ ଉଭେଇ ଯାଉଛି ୟୁରିଆ ସାର । ସାର ନ ମିଳିବାରୁ ଚିନ୍ତାରେ ରହୁଛି ଚାଷୀ । କିନ୍ତୁ ପେକ୍ସ ଗୁଡିକୁ ପ୍ରଚୁର ପରିମାଣରେ ଆସିଥିବା ୟୁରିଆ ସାର କାଗଜପତ୍ରରେ ଚାଷୀଙ୍କୁ ବଣ୍ଟନ କରି ଦଲାଲ ଲୁଟିନେଲେ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଦେଓଗାଁ ବ୍ଳକରେ ଥିବା ୧୨ଟି ପେକ୍ସ ଓ ୭୩ଟି ଡିଲର ମାଧ୍ୟମରେ ସାର ବିକିବାର ବ୍ୟବସ୍ଥା କରିଛନ୍ତି ସରକାର । ହେଲେ କିଛି କଳାବଜାରୀ ପେକ୍ସ ଗୁଡ଼ିକରୁ ସାର ନେଇ ଡିଲର ନିକଟରେ ୟୁରିଆ ସାରକୁ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ୟୁରିଆ ସାର ୫୦ କେଜି ଥିବା ବସ୍ତା ପ୍ରତି ୨୬୬ ଟଙ୍କା ଥିବା ବେଳେ ୩୫୦ରୁ ୪ ଶହ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପକ୍ଷରେ ସାରକୁ କିଛି ଡିଲର ଲୁଚାଇ ରଖି ଥିବାରୁ ଠିକ ସମୟରେ ୟୁରିଆ ସାର ପ୍ରୟୋଗ କରିବାରୁ ବଞ୍ଚିତ ହେଉଛି ଚାଷୀ । ଚଳିତ ବର୍ଷ ଦେଓଗାଁ ବ୍ଳକରେ ୧୦ ହଜାର ୫ ଶହ ହେକ୍ଟରରେ ଧାନ ଚାଷ ହେବ । ଏକର ପ୍ରତି ୩୫ କେଜି ହିସାବରେ ୯୧୩.୫୦ ମେଟ୍ରିକ ଟନ ୟୁରିଆ ସାର ଆବଶ୍ୟକ ପଡିବ । କୃଷି ବିଭାଗର ବେପରୁଆ ମନୋଭାବ ଯୋଗୁଁ ଏବେ ସାରକୁ ନେଇ ଚାଷୀ ନାକେଦମ ହେଉଛି । ବର୍ତ୍ତମାନ ଦେଓଗାଁ, ଗାଇବାହାଲ, କୁତୁର୍ଲା, ସିକୁଆଁ, ବନ୍ଧପଡ଼ା, ରାମଚନ୍ଦ୍ରପୁର, କୁଲୁତାପଡା, ଗୌଡ଼ଗୋଠ, ଧଣ୍ଡାମାଲ , ସାରସମାଲ ପଞ୍ଚାୟତର ଗାଁଗୁଡିକରେ ୟୁରିଆ ସାରର ଅଭାଵ ଦେଖାଯାଇଛି । ଏହି ପାଞ୍ଚୟତର ପେକ୍ସଗୁଡ଼ିକୁ ଆସିଥିବା ସାର କୁଆଡ଼େ ଗଲା ବୋଲି ଚାଷୀ ମହଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଷୀଙ୍କୁ ବଣ୍ଟନ ହୋଇଥିବା ସାରକୁ ଯାଞ୍ଚ କରି ଅସାଧୁ କର୍ମଚାରୀଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ନେବା ସହ ଦେଓଗାଁ ବ୍ଲକର ଚାଷୀମାନଙ୍କ ପାଇଁ ୟୁରିଆ ସାର ଯୋଗାଣ କରିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.