pakka

‘ବିରାଟ’ ମୁଗ ବିହନର ବିରାଟ ସଫଳତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧ ଲକ୍ଷ ୩୬ ହଜାର ହେକ୍ଟର ଜମିରେ ଧାନଚାଷ ପରବର୍ତ୍ତୀ ସମୟର ପଡିଆ ପଡ଼ିବା ସହିତ ବିଭିନ୍ନ ଡାଲି ଜାତୀୟ ଫସଲ କରିବା ପାଇଁ ଆର୍ଦ୍ରତା ମଧ୍ୟ ରହିଥାଏ । ଆନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା(ଇରି) ଦ୍ୱାରା ହେଉଥିବା ସାଟେଲାଇଟ୍‌ ସର୍ଭେରୁ ଉପରୋକ୍ତ ତଥ୍ୟ ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରବି ଋତୁରେ ୨୭ ହଜାର ୮୫୦ ହେକ୍ଟର ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଧାନର ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନାରେ ହାତକୁ ନିଆଯାଇଛି । ଏହି ଯୋଜନାରେ ୧୩ ହଜାର ୮୮୫ ହେକ୍ଟର ଜମିରେ ମୁଗଚାଷକୁ ପ୍ରାଧାନ୍ୟ ଦିଆଯାଉଛି । ଚାଷୀଙ୍କ ଆବଶ୍ୟକତା ମୁଗର ଏକ ନୂତନ କିସମ ‘ବିରାଟ’ ଯାହା ୬୫ରୁ ୭୦ ଦିନ ମଧ୍ୟରେ ଅମଳ ହୋଇପାରିବା ସହିତ ହେକ୍ଟର ପିଛା ୮ରୁ ୧୦ କ୍ଵିଣ୍ଟାଲ ଉତ୍ପାଦନ କ୍ଷମତା ଧାରଣ କରୁଛି ବୋଲି ଆଇକାଡାର ବଲାଙ୍ଗିର ଜିଲ୍ଲା ସଂଯୋଜକ ବିଜୟ କୁମାର ଶତପଥୀ ସୂଚନା ଦେଇଛନ୍ତି । କୃଷି ବିଭାଗ, ଇରି ଓ ଆଇକାଡାର ମିଳିତ କ୍ଷେତ୍ର ପରିଦର୍ଶନରେ ଏହି କିସମ ବିହନକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ କରାଯାଉଛି । ଜିଲ୍ଲାର କୃଷି ଜଳବାୟୁରେ ଏହାର ପ୍ରଦର୍ଶନ ଆଶାନୁରୂପ ରହିଥିବା ଜଣାଯାଇଛି । ଏହି ବିହନକୁ ନେଇ ପ୍ରଥମ ଥର ଚାଷ କରିଥିବା ମୁଗଚାଷୀ ତୁଷୁରାବାହାଲ ନିବାସୀ ଯୁଗେଶ୍ୱର୍ ଭୋଇଙ୍କ କହିବା ମୁତାବକ, ବିରାଟ କିସମ ମୁଗ ସାମାନ୍ୟ ଜଳସେଚନ ଓ ଉପଯୁକ୍ତ କୃଷି ପ୍ରଣାଳୀ ଦ୍ଵାରା ହେକ୍ଟର ପିଛା ୮ରୁ ୧୦ କ୍ଵିଣ୍ଟାଲ ଅମଳ କରାଯାଇ ପାରିବ । ବଲାଙ୍ଗିର ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲଙ୍କ କହିବା ଅନୁଯାୟୀ ଏହି ମୁଗ ଫସଲ କମ୍‌ ଦିନରେ ସ୍ୱଳ୍ପଖର୍ଚ୍ଚ ଓ କମ୍‌ ପାଣିରେ ଅଧିକ ଉତ୍ପାଦନ କରି ଚାଷୀମାନେ ନିଜ ଆୟକୁ ବହୁଗୁଣିତ କରିପାରିବେ । ତା ଛଡା ଡାଲି ଜାତୀୟ ଫସଲ ଦ୍ଵାରା ମୃତ୍ତିକାର ଉର୍ବରତା ବଢିଥାଏ। ବଜାରରେ ଡାଲିର ଚାହିଦା ଥିବାରୁ ମୁଗର ବିକ୍ରି ସମସ୍ୟା ମଧ୍ୟ ନାହିଁ । ଏଣୁ ନିଜ ଚାଷ ଜମିରେ ଡାଲି ଜାତୀୟ ଫସଲ ଅଧିକ ମାତ୍ରାରେ କରିବା ପାଇଁ କୃଷି ବିଭାଗ ତରଫରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

ten + 15 =