ବୌଦ୍ଧ, (ବଂଶୀଧର ମାଝୀ) : ଗତକାଲି ସକାଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଗ୍ରାମରେ ଗୋଟିଏ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଡାକ୍ତରଖାନା ନିକଟରେ ରହୁଥିବା ସରୋଜ ବେହେରାଙ୍କ ଝିଅ ଯଶୋଧାରା (୧୦) ନିଜ ଘରେ ଖେଳୁଥିବା ବେଳେ ଗୋଟିଏ ବିଷଧର ସାପ କାମୁଡି ଦେଇଥିଲା । ସାପ କାମୁଡି ଦେବା ପରେ ଶିଶୁଟି ଚେତାଶୁନ୍ୟ ହୋଇପଡିଥିଲା ଓ ତାକୁ ତୁରନ୍ତ ହରଭଙ୍ଗା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ସୁଧାର ନ ଆସିବାରୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ହରଭଙ୍ଗା ଥାନାରେ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ମୃତ ନାବାଳିକା ଯଶୋଧାରା ଛତ୍ରଙ୍ଗଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଥିଲେ । ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।