
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ସଭାପତି ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସମସ୍ତ ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ସମସ୍ୟା ବିଷୟରେ ସବିଶେଷ ଆଲୋଚନା କରିଥିଲେ । ରାଜ୍ୟରେ ଗତ ୨୦୧୫ ମସିହାରେ ନଭେମ୍ବର ମାସରେ ବିନା କାରଣରେ ୩୭୬୦ ଚୁକ୍ତି ଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନିଜ ·କିରିରୁ ଛଟେଇ କରାଯାଇଥିଲା । ତନ୍ମଧ୍ୟରୁ ୬୬ ଜଣ ଶିକ୍ଷକ ବଲାଙ୍ଗିର ଜିଲ୍ଲାର । ଏହାର ପ୍ରତିବାଦରେ ଶିକ୍ଷକ ସଂଗଠନ ପୁନଃ ନିଯୁକ୍ତି ନିମନ୍ତେ ରାଜରାସ୍ତାକୁ ଓହ୍ଲାଇଥିଲେ ଓ ୪ ମାସର ସଂଗ୍ରାମ ପରେ ତା.୦୪.୦୪.୨୦୧୬ ପୁନଃ ନିଯୁକ୍ତି ପ୍ରତିବଦଳରେ ନୂତନ ନିଯୁକ୍ତି ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ଫଳ ସ୍ୱରୁପ ଶିକ୍ଷକମାନେ ୧୦ ମାସର ପୂର୍ବ ଅବଧି ଚାକିରିରେ ବରିଷ୍ଠତା ହରାଇଥିଲେ ଓ ୧୦ ମାସ ଅଧିକ ସମୟ ଚୁକ୍ତିଭିତ୍ତିକ ଚାକିରିରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏଥି ପୂର୍ବ ଅବଧିକୁ ଚାକିରିରେ ଯୋଗ କରିବା ପାଇଁ ସଂଘ ତରଫରୁ ଦାବୀ କରାଯାଇଛି । ଏହାର ପ୍ରତିବାଦରେ ସଂଘ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜ ନ୍ୟାୟ ପାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ସହ ଏହି ବୈଠକରେ ୨୦୨୦ ମସିହାରେ ନିଯୁକ୍ତି ପାଇଥିବା ବଲାଙ୍ଗିର ଜିଲ୍ଲା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ କରାଯାଇଥିଲା । ସରକାରୀ ଚୁକ୍ତିଭିତ୍ତିକ ଶିକ୍ଷକ ହୋଇ ନୂତନ ପେନସନ ଯୋଜନା (ଏନ୍ପିଏସ୍)ରୁ ପ୍ରଥମ ଥର ପାଇଁ ପ୍ରଧାନ ଶିକ୍ଷକ ଭାବରେ ପ୍ରମୋସନ ପାଇଥିବା ଶିକ୍ଷକମାନଙ୍କୁ ଓ ୨୦୧୩ ବ୍ୟାଚର ନିଯୁକ୍ତ ଚୁକ୍ତି ଭିତ୍ତିକ ଶିକ୍ଷକମାନେ ନିୟମିତ ଶିକ୍ଷକ ହୋଇଥିବାରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ନୂତନ ଭାବରେ ସଂଘର ଉପସଭାପତି ରୂପେ ସୁଧାଂଶୁ ଶେଖର ବାରିକ, ଯୁଗ୍ମ ସଂପାଦକ ଭାବେ ଭଗବାନ ବେହେରା, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଗାୟତ୍ରୀ ବାରିକଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା । ଏହି ବୈଠକରେ ସାଧାରଣ ସଂପାଦକ ଅରବିନ୍ଦ କୁମ୍ଭାର, ନରେଶ ଦ୍ୱାରି, ସନାତନ ପୁରୋହିତ, ରଂଜିତ ମିଶ୍ର, ରାମ ନାରାୟଣ ଦାଶ, ଅଶ୍ୱିନି ଷଢଙ୍ଗି, ବୀର କିଶୋର ସୁନା, ସଦାନନ୍ଦ ଭୋଇ, ହେମନ୍ତ ବାରିକ, ଦ୍ୱିତିିରଂଜନ ମହାଲିଙ୍ଗ, କର୍ମ ପ୍ରଧାନ, ଗଣନାଥ ସାହୁ, ଶୁଭେନ୍ଦୁ କୁମାର ନାଥ, ଆଶୁତୋଷ ପୁଝାରୀ, ମମିତା ପ୍ରଧାନ, ବିଦ୍ୟାପତି ପ୍ରଧାନ, ଅଜୟ କୁମାର ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ବାରିକ ଧନ୍ୟବାଦ ଦେଇ ଥିଲେ ।