ସହିଦ ମାଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ମାତୃକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଘେଁସ ଜମିଦାର ମଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି ବରଗଡ଼ ମହିଳା ସମିତି ଦାବି ଜଣାଇଛି । ସମିତି ପକ୍ଷରୁ ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ଆଜି ସଦସ୍ୟାଗଣ ହଲଦିପାଲି ବୀର ଛକ ସ୍ଥିତ ସହିଦ ସ୍ମୃତି ସ୍ମାରକୀ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବରିଷ୍ଠ ସଦସ୍ୟା ଗୀତା ମିଶ୍ର ବ୍ରିଟିଶ ସରକାରଙ୍କ ଅତ୍ୟାଚାର ପାଇଁ ଲଢେଇ କରିଥିବା ମାଧୋ ସିଂଙ୍କ ସ୍ମୃତି ଚାରଣ କରିଥିଲେ । ମାଧୋ ସିଂ ନିଜ ଚାରି ପୁତ୍ରଙ୍କୁ ହରାଇବା ପରେ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିଥିଲେ ଏବଂ ୧୮୫୮ ଡିସେମ୍ବର ୩୧ ତାରିଖ ଦିନ ସମ୍ବଲପୁର ଜେଲ ଛକରେ ତାଙ୍କୁ ୭୨ ବର୍ଷ ବୟସରେ ଫାଶୀ ଦିଆଯାଇଥିଲା । ସେମାନଙ୍କ ବିରଳ ବଳିଦାନରୁ ଆମ ଉତ୍ତର ପିଢ଼ି ପ୍ରେରଣା ପାଇବା ପାଇଁ ଏହାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦେବାପାଇଁ ଦାବି ଜଣାଇଥିଲେ । ସମ୍ପାଦିକା ସୁଦ୍ଧାଂଶୁବାଳା ଦାଶ ଉଦ୍ଦେଶ୍ୟ ଜ୍ଞାପନ ଏବଂ ମମତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କନକ ପ୍ରଧାନ, ମାମି ମିଶ୍ର, ଜୟଗୀତା ପଣ୍ଡା, ଇନ୍ଦ୍ରାଣୀ ଶତପଥୀ, ସରିତ ସଲୋନୀ ଦାଶ, ସୁମିତ୍ରା ଦାଶ, ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ପଦ୍ମିନୀ ସାହୁ, ସସ୍ମିତା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ବୀର ଛକ ପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.