ଫ୍ରେଣ୍ଡସ୍‌ କ୍ଲବ ରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ନରସିଂହ

  • ହୀନ ରାଜନୀତି ପଡିଆର ବିକାଶରେ ପ୍ରତିବନ୍ଧକ ସାଜିଲା – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ଶିକ୍ଷା ସାଙ୍ଗକୁ କ୍ରୀଡାକ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିବ, ଏହି ଲକ୍ଷ୍ୟରେ ଏହି ପଡିଆକୁ ଗତ ୧୦ ବର୍ଷ ଭିତରେ ବିକାଶ କରାଯାଇଛି । ପଡିଆର ପଶ୍ଚିମ ପଟରେ ଏକ ସୁଦୃଶ୍ୟ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରିଛି । ଫୁଟବଲ ପଡିଆରେ ମଧ୍ୟ ଉନ୍ନତିକରଣ ପାଇଁ ଏକ ସୁଦୃଶ୍ୟ ଗ୍ୟାଲେରି ନିର୍ମାଣ ହୋଇପାରିଛି କିନ୍ତୁ ଏହା ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମରେ ପରିଣତ କରିବା ପାଇଁ ଏକ ସୁଇମିଂ ପୁଲ, ଆଉଟଡୋର ଜିମ୍‌, ହଷ୍ଟେଲ ସାଙ୍ଗକୁ ଫୁଟବଲ ପଡିଆରେ ସବୁଜ ଘାସ ଓ ପାଣି ସିିଞ୍ଜନ କରିବାର ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇସାରିଥିଲା କିନ୍ତୁ ଗତ ସରକାର ଅମଳରେ ହୀନ ରାଜନୀତି ପଶି ସେହି ସବୁ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରାଯାଇଛି । କିନ୍ତୁ ବର୍ତ୍ତମାନ ସରକାର ବଦଳି ସାରିଛି । ମୁଁ ଦୃଢ ନିଶ୍ଚିତ ଆମେ ପୁଣି ଉଦ୍ୟମ କରିବା ଆଗାମୀ ବର୍ଷ ଭିତରେ ଯେମିତି ଏ ଅଟକିଥିବା ପ୍ରକଳ୍ପ ସବୁ ଆରମ୍ଭ ହୋଇ ପୃଥ୍ୱୀରାଜ ହାଇସ୍କୁଲ ପଡିଆ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମରେ ପରିଣତ ହୋଇପାରିବ ବୋଲି ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ପଡିଆରେ ପ୍ରେଣ୍ଡସ୍‌ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କ୍ରୀଡାକୁ ରାଜନୀତିର ଉପରେ ରଖାଯାଉ । ଏହି ଖେଳ ପଡିଆ ଯେପରି ସ୍କୁଲ ପିଲାମାନଙ୍କ କ୍ରୀଡାର ବିକାଶରେ କାମ ଦେବା ସାଙ୍ଗରେ ସାଧାରଣ ଲୋକଙ୍କ କ୍ରୀଡା କୌଶଳ ବିକାଶ ପାଇଁ ଉପଲବ୍ଧ ରହିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର । ଗତ ୧୦ ବର୍ଷ ଭିତରେ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମ ହେଉ କି ଆଉଟଡୋର ଷ୍ଟାଡିୟମର ଗ୍ୟାଲେରି ହେଉ ସେ ସବୁର ସଠିକ୍‌ ଉପଯୋଗ ହୋଇଥିବାରୁ ଆମ ଅଂଚଳରେ ନିଶ୍ଚିତ ଭାବରେ ଆଗାମୀ ଦିନରେ ଭଲ କ୍ରୀଡାବିତ୍‌ ବାହାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଚିର୍ତ୍ତାକତ୍ସକ ସେମି ଫାଇନାଲ କଟକ ଦଳ ଭୁବନେଶ୍ୱର ଦଳକୁ ୧-୦ରେ ପରାସ୍ତ କରି ଫାଇନାଲକୁ ପହଂଚିଛି । ଲୋଟସ ଷଡଙ୍ଗୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ହରିନାରାୟଣ ପୁଜାରୀ, ଗାନ୍ଧୀ କ୍ଲବ ସଭାପତି ରାମଚନ୍ଦ୍ର ପୁରୋହିତ, ପ୍ରଫେସର ଶିବ ନନ୍ଦ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.