ସାବିତ୍ରୀ ବ୍ରତ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗାଁ ଗାଁ ରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ ନିଆରା ଢଙ୍ଗରେ । ଏହିପର୍ବ ପାଳନ ପାଇଁ ଗାଁର ମହିଳାମାନେ ବୁଧବାର ରାତିରେ ଏକ ସଭା କରି କିପରି ପାଳନ ହେବ ସେନେଇ ଯୋଜନା ପ୍ରସ୍ତୁତ କରି ଗୁରୁବାର ଏହି ପର୍ବ ମହା ଆନନ୍ଦରେ ପାଳନ କରିଛନ୍ତି । ଗ୍ରାମର ମଝିରେ ଥିବା ଏକ ବିରାଟ ବରଗଛ ତଳରେ ସମସ୍ତ ମହିଳାମାନେ ପୂଜା ସାମଗ୍ରୀ ନେଇ ସୁନ୍ଦର ପୋଷାକ ପିନ୍ଧି ବୋହୂ ବେଶରେ ସଜାଇ ହୋଇ ପୂଜା କରିଛନ୍ତି । ପୂଜକ ଭାବରେ ପଣ୍ଡିତ କୁଳମଣି ମିଶ୍ର ଦାଇତ୍ୱ ତୁଲାଇ ପୂଜାପାଠ କରି ସାବିତ୍ରୀ ବ୍ରତ ପୁରାଣ ପଢି ପୂଜାରେ ବସି ଥିବା ମହିଳାମାନଙ୍କୁ ଶୁଣାଇ ଥିଲେ । ବରଗଛ ମୂଳରେ ଶିଳ ଶିଲୁପୁଅ ସହ ଲକ୍ଷ୍ମୀ ନାରାୟଣ ଓ ତୁଳସୀ ବୃକ୍ଷ ରଖାଯାଇ ପୂଜା କରାଯାଇଛି । ସମସ୍ତେ ନିଜ ନିଜର ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ୭ ଗୋଟି ଚୁଡ଼ି, ଗୁଆ, ଦୁବପାତ୍ର ହଳଦିଗଣ୍ଠି ବ୍ରତ ଫୁଲ ଫଳ ଧରି ବରଗଛକୁ ସାତ ଥର ପ୍ରଦକ୍ଷୀଣ କରି, ଧୂପ ଆଳତି ଦେଇ ମୁଣ୍ଡିଆ ମାରି ପୁଜା ଶେଷ କରି ଥିଲେ । ଏଥିସହ ନିଜ ନିଜ ଘରକୁ ଫେରି ଆସି ନିଜ ସ୍ୱାମୀ ଦେବତା ମାନଙ୍କୁ ପୁଜା ଘର ପାଖରେ ୧୦୮ଗୋଟି ଦୁବରେ, ଆରତୀ ଉତାରି, ଗୋଡ ଧୋଇ, ଗୋଡ ଧୁଆ ପାଣି ପିଇ ଥିଲେ । ପୂଜାସାରିବା ପରେ କେବଳ ଫଳ ମୂଳ ଖାଇବା ପାଇଁ କହିବା ସହ ନିର୍ଜଳା ଉପବାସ କରିବା ସାବିତ୍ରୀ ବ୍ରତର ନିୟମ ଅଛି ବୋଲି ପଣ୍ଡିତ ଶ୍ରୀ ମିଶ୍ର କହିଥିଲେ ।

Leave A Reply

Your email address will not be published.