ବଣାଇ : ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର । ଦିବ୍ୟାଙ୍ଗ ସ୍ଵାମୀ ମୃତ ସ୍ତ୍ରୀ ଆହତ । ଅଳ୍ପକେ ବର୍ତ୍ତିଗଲା ଶିଶୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦେଉଳହୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଅନୁସାରେ ଦେଉଳହୁଡ଼ି ଗ୍ରାମର ଜେନା ମୁଣ୍ଡାରୀ ଜଣେ ଦିବ୍ୟାଙ୍ଗ । ସରକାରୀ ଯୋଜନାରେ ଘରଟିଏ ପାଇଁ ବହୁ ବର୍ଷ ହେଲା ସେ ସରପଞ୍ଚଙ୍କୁ ଗୁହାରୀ କରି ଆସୁଥିଲେ । ହେଲେ ତାଙ୍କ ଦୁଃଖ କେହି ଶୁଣିନଥିଲେ । ସେ ନିଜେ ଏକ ଅସ୍ଥାୟୀ ଘର ତିଆରି କରି ରହୁଥିଲେ । ବୁଧବାର ରାତିରେ ଜେନା ମୁଣ୍ଡାରୀ, ସ୍ତ୍ରୀ ସୁକୁଆର ମୁଣ୍ଡାରୀ ଏବଂ ୮ ବର୍ଷର ଶିଶୁ ପୁତ୍ର ଘରେ ଶୋଇଥିଲେ । ରାତିରେ ହଠାତ୍ ଘର ଭାଙ୍ଗିବା ଆରମ୍ଭ କଲା । ଏଥିରେ ଶିଶୁ ପୁତ୍ରର ନିଦ ଭାଙ୍ଗିଗଲା । ସେ ଘରୁ ଦୌଡ଼ି ବାହାରକୁ ଚାଲି ଆସିଲା । ହେଲେ ଘର ଭିତରେ ଜେନା ମୁଣ୍ଡାରୀ ଓ ସ୍ତ୍ରୀ ସୁକୁଆର ରହିଯାଇଥିଲେ । ତାଙ୍କ ଉପରେ ଘରଟି ମାଡ଼ି ବସିଥିଲା । ଜେନା ମୁଣ୍ଡାରୀ ଗୁରୁତର ହେବାରୁ ତାଙ୍କୁ ବଣାଇ ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ସ୍ତ୍ରୀ ସୁକୁଆର ଆହତ ହୋଇଛନ୍ତି ।
Prev Post