om academy

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଜିଆରଏସ୍‌କୁ ଡାକି ପଚରାଉଚରା କଲେ ବିଡ଼ିଓ, ଭିଜିଲାନ୍ସ ତଦନ୍ତ ଦାବୀ କଲେ ଗ୍ରାମବାସୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଥିବା ଟଙ୍କାକୁ ନେଇ ଲଗାତାର ଭାବରେ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ଓ ଅଭିଯୋଗ ପରେ ପ୍ରଶାସନ ଚେତିଛି । ତେବେ ଆଜି ଜିଆରଏସ୍‌ ମନୋଜ ଦାସଙ୍କୁ ବିଡ଼ିଓ ଦେବାଶିଷ ସାମଲ ବ୍ଳକ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିବା ବେଳେ ଅଡିଟ୍‌ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ବିଡିଓ ଶ୍ରୀଯୁକ୍ତ ସାମଲ କହିଛନ୍ତି । ତେବେ ଦିନକୁ ଦିନ ବ୍ଳକରେ ଅନେକ ଦୁର୍ନୀତି ହେଉଥିବା ଘଟଣା ମଧ୍ୟ ଅଭିଯୋଗ ହେଉଛି । ହେଲେ ଏହି ଘଟଣାକୁ ତଦନ୍ତ କରି କେବେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଅଙ୍ଗିରାଜ ସାହୁ, ଅଗସ୍ତି ସାହୁ, ଡିଙ୍ଗର ମହାକୁର ସମେତ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାଁରେ ଟଙ୍କା ଜମା ହେଲା କେମିତି ? ଅଶୋକ ସାହୁ, ରାମେଶ୍ୱର ଭୋଇ, ରାମକୃଷ୍ଣ ସାହୁ, ମତି ସାହୁ, ଯଦୁମଣି ସାହୁ, ମୌନାବତୀ ସାହୁ, ଜାନକୀ ସାହୁ, ବିରଞ୍ଚି ସାହୁ ସମେତ ଶତାଧିକ ଲୋକଙ୍କ ନାଁରେ କାମ କରିନଥିବା ବେଳେ ଟଙ୍କା ପଡିଛି କାହିଁକି ? ଏଭଳି ଅନେକ ଚର୍ଚ୍ଚା ଜୋର ଧରିଛି । ଏଥିରୁ ପ୍ରଶ୍ନ ଉଠେ ଯେ, କାମ ନ କରିଥିବା ବ୍ୟକ୍ତିଙ୍କ ନାଁରେ ଟଙ୍କା ପଡୁଛି କେମିତି ? ତେବେ ଏହାକୁ ନେଇ ଭିଜିଲାନ୍ସ ତଦନ୍ତର ଆବଶ୍ୟକ ରହିଥିବା ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ସୂଚନା ମତେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତରେ ଗତ ୧୧/୦୬/୨୦୧୬ରେ ଲାଚୁଟ ଠାରୁ ସ୍ଥାନୀୟ ନଦୀ ପର୍ୟ୍ୟନ୍ତ ବ୍ରିଜ ନିର୍ମାଣ ଏବଂ ଆଡିବନ୍ଧ କାର୍ୟ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅଟକଳ ପରିମାଣ ଥିବା ବେଳେ ୬ଲକ୍ଷ ୩୨୮ ଟଙ୍କା ଉଠିସାରିଛି । ପ୍ରକାଶ ଥାଉ କି ଯେ, ଉକ୍ତ ପଞ୍ଚାୟତର ଜିଆର୍‌ଏସ୍‌ ମନୋଜ ଦାସ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ନାଁରେ ଖାତାରେ ଟଙ୍କା ଜମା କରିଥିବା ବେଳେ କାମ ନ କରିଥିବା ଶତାଧିକ ଲୋକଙ୍କ ନାଁରେ ଟଙ୍କା ମଧ୍ୟ ପକାଇଛନ୍ତି । ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ, ବିନା କାମରେ କେମିତି ଭାବରେ ଲୋକଙ୍କ ଖାତାରେ ଟଙ୍କା ଜମା ହେଲା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପକେଟ ପାଇଁ କାରସାଦି କରିଛନ୍ତି କି ଜିଆରଏସ୍‌ ବାବୁ ଜଣକ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ନିମ୍ନ ମାନର କାମ ଯୋଗୁଁ ନିର୍ମାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ କାମ ଆରମ୍ଭ ହେବା ପରେ ସୂଚନା ଫଳକ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଜିଆର୍‌ଏସ୍‌ ଜାଣିଶୁଣି ସୂଚନା ଫଳକ ମଧ୍ୟ ଲଗାଇ ନାହାନ୍ତି । ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅନେକ ଥର ଅଭିଯୋଗ ମଧ୍ୟ ହୋଇସାରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇ ନାହିଁ । ଯାହା ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ରାଜେଶ ସାହୁ ବିଡ଼ିଓ ଦେବାଶିଷ ସାମଲଙ୍କୁ ଲିଖିତ ଭାବେ ଅଭିଯୋଗ ମଧ୍ୟ କରିଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ପଞ୍ଚାୟତର ଲାଚୁଟ ଗ୍ରାମରୁ ନଦୀକୂଳ ପର୍ଯ୍ୟନ୍ତ ୨୦୨୦-୨୧ ମସିହାରେ ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଗୋଟିଏ କି ଦୁଇଟି ନୁହେଁ ଅନେକ କାମରେ ଲକ୍ଷ ଲକ୍ଷ ଟଙ୍କାର ଏହି ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଆଲୋଚନା ହେଉଛି । ଏନେଇ ଜିଆର୍‌ଏସ୍‌ ମନୋଜ ଦାସଙ୍କୁ ପଚାରିବାରୁ ଯଦି କୌଣସି ବ୍ୟକ୍ତିଙ୍କର କାମ ୧୦୦ ଦିନରୁ ଅଧିକ କାମ ଥିବ, ତେବେ କଣ କରାଯାଇପାରିବ, ସେଥିପାଇଁ କାମ ନ କରିଥିବା ଲୋକଙ୍କ ଖାତାରେ ଟଙ୍କା ଜମା କରାଯାଉଛି ବୋଲି ମଧ୍ୟ ସେ ଫୋନ ମାଧ୍ୟମରେ ପ୍ରକାଶ କରିଥିବା ବେଳେ ଘଟଣା ସମ୍ପର୍କରେ ସ୍ୱୀକାର କରିଛନ୍ତି । ତେବେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.