ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂଗଠନ ମାଟିର ସ୍ୱର ତରଫରୁ ଗତକାଲି ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର ଶୀର୍ଷକ “ସହିତ୍ୟ କଥା ଓ ସମାଜ ବ୍ୟଥା” ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଲେଖକ ସାହିତ୍ୟିକ ସମାଜ ସେବୀ ଇତ୍ୟାଦି ପ୍ରାୟ ୩୦ ଜଣରୁ ଅଧିକ ଅଂଶଗ୍ରହଣ କରିଥିଲେ । ଏ ଆଲୋଚନା ଚକ୍ରରେ ବରିଷ୍ଠ କବି ପଦ୍ମଶ୍ରୀ ହଳଧର ନାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଥମେ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକମାନଙ୍କୁ ଜନ ଜୀବନ ଓ ଲୋକ କୈନ୍ଦ୍ରୀକ ଗୀତ କବିତା ଲେଖିବା ପାଇଁ ପରାମର୍ଶ ଦେଇଥିଲେ । ମାଟିର ସ୍ବର ବାସ୍ତବରେ ସାଧାରଣ ମଣିଷର ସମାଜର ଅବହେଳିତ ନିଷ୍ପେଷିତର ସ୍ୱର ଭାବେ ଆଗେଇ ଚାଲୁ ଏ ବାର୍ତ୍ତା ଦେଇ ଉତ୍ସାହିତ କରିଥଲେ । ଏ ପବିତ୍ର ମାଟିରେ ବିଭିନ୍ନ ରୂଷି ମୂନି ଓ ପଞ୍ଚଶଖା ଜନ୍ମ ଗ୍ରହଣ କରି ଆମ ମାଟି ମା’ ଓ ସାହିତ୍ୟର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି । ଏ ମାଟିର ମହାନ୍ କବି ଉପେନ୍ଦ୍ର ଭଞ୍ଜ, ବଳଦେବ, ରାଧାନାଥ, ମଧୂସୁଦନ ଏବଂ ଫକୀର ମୋହନ ଇତ୍ୟାଦି ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି । ସେମାନଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ ସାହିତ୍ୟ କାବ୍ୟ କବିତା ଲେଖିବା ଆବଶ୍ୟକ । ସାହିତ୍ୟ ସମାଜକୁ ଦିଗ୍ ଦର୍ଶନ ଦିଏ, ସମାଜକୁ ତାଗିଦ୍ କରେ ଏବଂ ଯେଉଁ ସାହିତ୍ୟ ସମସ୍ତ ହୃଦୟକୁ ଛୁଏଁ ସେ ସାହିତ୍ୟ କାଳଜୟୀ ସାହିତ୍ୟ ହୁଏ । ଏ ମାଟି ଏକ ପବିତ୍ର ମାଟି ଏଇଠି ଅତିବଡି ଜଗନ୍ନାଥ ଦାଶ ଲେଖିଥିବା ଭାଗବତ ଘରେ ଘରେ ପରିଚିତ । ଏଥିରେ ସାଧାରଣ ଜନ ଜୀବନର କଥା ରହିଛି । ତେଣୁ ସମାଜରେ ଲୋକାଭିମୁଖୀ ହୋଇପାରିଛି । ଏ ମାଟିରେ ଅନେକ ମହାନ୍ ଲେଖକ ସାହିତ୍ୟିକ ତପସ୍ୟା କରି ପଞ୍ଚସଖା ମଧ୍ୟ ଜନ୍ମ ଗ୍ରହଣ କରିଛନ୍ତି । ଏମାନଙ୍କୁ ଆମେ ସ୍ମରଣ କରିବା ଆବଶ୍ୟକ । କବି ହେଉଛି ଈଶ୍ବର, ସ୍ରଷ୍ଟା, ସମାଜ ପରିବର୍ତ୍ତନକାରୀ ଏବଂ ସାହିତ୍ୟ ହେଉଛି ସମାଜର ପ୍ରତିଛବି/ପ୍ରତିବିମ୍ବ ଲୋକାଭିମୁଖୀ ସାହିତ୍ୟ ଯୁଗ ଯୁଗ ଧରି ବଞ୍ଚିଥାଏ । ଏଥିପାଇଁ ସମସ୍ତ ଲେଖକ ଧ୍ୟାନ ଦେବାକୁ ସେ ଆହ୍ଵାନ ଦେଇଥିଲେ । ମାତ୍ର ଅଢେଇ ଶ୍ରେଣୀ ପାଠ ପଢି କୋଶଲ ଭାଷାରେ ସାଧାରଣ ଜନ ଜୀବନର କଥା ବସ୍ତୁକୁ ନେଇ ଲେଖିଥିବା ଅନେକ କାବ୍ୟ କବିତା ବିଭିନ୍ନ ଭାଷାରେ ଅନୁବାଦିତ ହୋଇଛି ଏବଂ ଆମେରିକା ପରି ଅନେକ ଦେଶରେ ଏହା ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛି । ଏ ହେଉଛି ସାଧାରଣ ଜନ ଜୀବନ ଆଧାରିତ ସାଧାରଣ ମଣିଷର ସାମାଜିକ ଜୀବନ ଶୈଳୀକୁ ନେଇ ଲେଖିଥିବା କବିତାର ପରିଚୟ ମୋ ପାଇଁ । ଜନ ଜୀବନ ଆଧାରିତ ସାହିତ୍ୟର ମୃତ୍ୟୁ ନାହିଁ । ଏଥିପ୍ରତି କବି ଲେଖକ ସାହିତ୍ୟିକ ଯଥେଷ୍ଟ ଗୁରୁତ୍ୱ ଦେବା ପାଇଁ ସେ ଆହ୍ଵାନ ଦେଇଥିଲେ । “ମାଟିର ସ୍ବର” ବାସ୍ତବରେ ଏକ ହୃଦୟକୁ ଛୁଇଁଲା ଭଳି ଏକ ନାମ । ମାଟିର ସ୍ବର ସାଧାରଣ ମଣିଷର ସ୍ଵର ହେଉ ଏବଂ ଏଥିରେ ସାମିଲ ହୋଇଥିବା ସମସ୍ତ ସାହିତ୍ୟିକ ବନ୍ଧୁମାନେ ଲୋକ କୈନ୍ଦ୍ରୀକ ସାହିତ୍ୟ ସୃଷ୍ଟି କରି ଏ ସମାଜର ପରିବର୍ତ୍ତନ ଆଣନ୍ତୁ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନୀତ ବକ୍ତା ଅଧ୍ୟାପକ କବି ସୁସାହିତ୍ୟିକ ପ୍ରଦୀପ୍ତ କୁମାର ବିଶ୍ବାଳ ନିଜର ବକ୍ତବ୍ୟରେ କହିଥିଲେ ଯେ, ସାହିତ୍ୟ ସମାଜର ପ୍ରତିବିମ୍ବ । ସାହିତ୍ୟର ଅନ୍ୟ ନାମ ସାମାଜିକ ଅଙ୍ଗୀକାରବଦ୍ଧତା । ଯେଉଁ ସାହିତ୍ୟରେ ସମାଜର ଦୃଶ୍ୟ ନାହିଁ, ଲୋକଙ୍କ ବେଦନା ନାହିଁ, ବ୍ୟଥା ନାହିଁ, ବିଚାର ନାହିଁ, ଜୀବନ ନାହିଁ ସେ ସାହିତ୍ୟ ଓ ସାହିତ୍ୟିକଙ୍କୁ ଉତ୍ତରପିଢ଼ି କାହିଁକି ମନେ ରଖିବ ? ସନ୍ଥ କବି ଭୀମଭୋଇ ଓ ସଚ୍ଚି ରାଉତରାୟଙ୍କ ପରି ଲୋକ କୈନ୍ଦ୍ରୀକ ସାହିତ୍ୟ ସୃଷ୍ଟି କରିବା ପାଇଁ ସେ ସମସ୍ତଙ୍କୁ ଆହ୍ବାନ ଦେଇ ମାଟିର ସ୍ବର ବାସ୍ତବରେ ମାଟିର କଥା କହୁ ଏ ବାର୍ତ୍ତା ଦେଇଥିଲେ । ଅନ୍ୟତମ ଅତିଥି ସାହିତ୍ୟିକ ଓ କବି ସର୍ବଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ ସମେତ ଡଃ ଲକ୍ଷ୍ମୀପ୍ରିୟା ଦେଇ, ସସ୍ମିତା ଦାଶ, ପଦ୍ମିନୀ ମିଶ୍ର, ଇତିଶ୍ରୀ ଜେନା, ଅନନ୍ୟା ଦାଶ, ସଂଘମିତ୍ରା, ଓମ୍ ପ୍ରକାଶ, ଡାଃ ଅରୁଣ, ଶିବବ୍ରତ ଦାସ, ଉତ୍ତମ ଦାସ, କୂଳମଣି ପୃଷ୍ଟି, କାମରାଜ ସାହୁ, ଉମେଶ ଜେନା, ଶ୍ରୀକାନ୍ତ ପଣ୍ଡା, ସଞ୍ଜୟ ଷଡଙ୍ଗୀ, ନଟବର ପ୍ରଧାନ,ସୁରେଶ କୁମାର ସାହୁ, ପଞ୍ଚାନନ ସାହୁ, ରୋହିତ ଜେନା ଏବଂ ମୂରଲୀଧର ମହାରଣା ଇତ୍ୟାଦି ନିଜ ନିଜର ଅଭିମତ ପ୍ରଦାନ କରି ଏଭଳି ଆଲୋଚନାର ଆବଶ୍ୟକତା ଓ ଗୁରୁତ୍ବକୁ ସ୍ବୀକାର କରିବା ସହିତ ଉଚ୍ଚ ପ୍ରଶଂସା କରିଥିଲେ । ବିପ୍ଳବୀ କବି ପ୍ରଫୁଲ୍ଲ କୁମାର ମାଝୀ କବି ଲେଖକ ମାନଙ୍କୁ ସମାଜ କୈନ୍ଦ୍ରୀକ ଓ ସାମାଜିକ ସମସ୍ୟା ଆଧାରିତ ସାହିତ୍ୟ ସୃଷ୍ଟି ପାଇଁ ପରାମର୍ଶ ଦେଇ କହିଥିଲେ ଯେ, ସାହିତ୍ୟ ଏକ ବିପ୍ଳବ କିନ୍ତୁ ବ୍ୟବସାୟ ନୁହେଁ । ଏଥିପ୍ରତି ସମସ୍ତ କବି ଲେଖକ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ । ସେ ଆହ୍ଵାନ ଦେଇଥିଲେ ଯେ, ଲେଖକ ଓ କବି ସାଧାରଣ ଉପଢୌକନ କିମ୍ବା ମାନପତ୍ର ପଛରେ ନ ଦୌଡ଼ି ବଲିଷ୍ଠ ସାହିତ୍ୟ ସୃଷ୍ଟି କରି ସମାଜ ବଦଳାଇବା ଦିଗରେ ଅଧିକ ଧ୍ୟାନ ଦେବା ଜରୁରୀ ମନେହୁଏ । କବୀ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବଦ ଅର୍ପଣ କରିଥିବା ବେଳେ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।