ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜାପଡା କୁଞ୍ଜ ବିହାରୀ ପ୍ରଧାନ(୫୨) । ଆଜକୁ ଦୀର୍ଘ ୩୦ ବର୍ଷ ହେବ ସେ ସେବା ମନୋଭାବ ରଖି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରି ଶବବାହକର କାର୍ୟ୍ୟ ତୁଲାଇ ଆସୁଛନ୍ତି । ତାଙ୍କ ନିଜସ୍ୱ ଏକ ପୁରୁଣା ଟ୍ରେକର ଅଛି, ଯେଉଁଥିରେ ତାଙ୍କ ପରିବାର ପୋଷଣ କରନ୍ତି । ସେହି ଟ୍ରେକରରେ ସେ ଶବ ବାହକର କାମ କରି ଗରିବ, ଅସହାୟ, ନୀରିହ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ଏପରିକି ପଦ୍ମପୁର ଉପଖଣ୍ତ ଅଞ୍ଚଳର ଯେ କୌଣସି ସ୍ଥାନରୁ ଯେ କୌଣସି ମୂହୁର୍ତ୍ତରେ ଯେମିତି ହେଉ ଯେତେ ଦିନର ପଚା ଶବ ହେଉ ତାକୁ ସ୍ଥାନାନ୍ତର କରିବା ପାଇଁ ବାହାକ କାର୍ୟ୍ୟ କରିବାଚୁ ସାମାନ୍ୟ ମଧ୍ୟ କୁଣ୍ଠାବୋଧ ନ କରି ଚାଲି ଯାଇଥାନ୍ତି କୁଞ୍ଜ ଭାଇ । ସମୟ ସମୟରେ ପରିସ୍ଥିତିକୁ ଦେଖି ନିଜ ହାତରୁ ଟ୍ରେକରରେ ତେଲ ପକେଇ ମଧ୍ୟ ବିନା ଭଡାରେ ସେବା କରିବାକୁ ପଶ୍ଚାତାପ କରି ନଥାନ୍ତି । କୁଞ୍ଜ ଭାଇର ଟ୍ରେକର ରୋଡ ଉପରେ ଗଲେ, ଯେ କୌଣସି ଲୋକ ଜାଣି ଯାଆନ୍ତି ଯେ ସେ କୌଣସି ଜାଗାରୁ ଶବ ବୋହିବାକୁ ଯାଉଛନ୍ତି । ଯେଉଁ ସମୟରେ ସରକାରଙ୍କ ଦ୍ୱାରା କୌଣସି ମହାପ୍ରୟାଣର ସେବାର ସୁବିଧା ନଥିଲା ସେତେ ଦିନରୁ ସେ ଏହି ସେବାକୁ କର୍ତ୍ତବ୍ୟ ରୂପେ ପାଳନ କରି ମହାନତାର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ କରୋନାର ଭୟରେ ନିଜ ଘର ପରିବାର ନିଜ ସଂପର୍କୀୟର ଶବକୁ ଛୁଇଁବାକୁ ଡ଼ରୁଥିବା ବେଳେ ସେଥି ପ୍ରତି କୁଞ୍ଜ ଭାଇ ଖାତିର ନକରି ଆଗେଇ ଚାଲିଛନ୍ତି । ସେବା ହିଁ ଧର୍ମ ଓ କର୍ମ ବୋଲି ମାନି ନେଇଛନ୍ତି । ତାଙ୍କର ପରିବାରରେ ସ୍ତ୍ରୀ, ଦୁଇ ଝିଅ, ଜଣେ ପୁଅ । କୁଞ୍ଜ ଭାଇଙ୍କ ଏହି ସେବା ମନୋଭାବ ତାଙ୍କୁ ସେବାରେ ମହାନତା ବ୍ୟକ୍ତିର ପରିଚୟ ଦେଇଛି । ଆଜିର ସମାଜ ମଧ୍ୟରେ ଏହି ସେବାକୁ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କଲେ କୁଞ୍ଜ ଭାଇଙ୍କଙ୍କ ମନରେ ହସ ଦେଇ ପାରନ୍ତା ।