ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ଼ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି । ଉଦ୍ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠ ପ୍ରମୁଖ ରହିଛି । ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ, ୩୧୭ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି । ଏଥି ସହିତ ୫୬ଟି କଲେଜକୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର କାର୍ଯ୍ୟ, ୫-ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ‘ଆମ ହସ୍ପିଟାଲ’କୁ ରୂପାନ୍ତରଣ, ୧୮୫ଟି ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତମାନଙ୍କୁ ‘ଆମ ବ୍ୟାଙ୍କ’ ସୁବିଧା, ଲକ୍ଷ୍ମୀ ଯୋଜନାରେ ୨୬୨ଟି ବସ୍ ଷ୍ଟପେଜ୍, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅଧିନରେ ୪୩୧ଟି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଓ ଧାର୍ମିକ ସ୍ଥଳୀର ଉନ୍ନତି କାର୍ଯ୍ୟ ଏବଂ ‘ଆମ ଓଡିଶା ନବୀନ ଓଡିଶା’ରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ୩୧୩୫ଟି ପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେର ଓ ମହାନ ସ୍ୱାଧୀନତା ସଂଗ୍ରାମୀ ମା’ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବରଗଡ କଳାର ଭୂମି ଓ ସଂସ୍କୃତିର ଭୂମି । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି । ନିକଟରେ ବୁଣାକାର ଓ କଳାକାରମାନଙ୍କ ପେନସନ୍ ବୃଦ୍ଧି ସଂପର୍କରେ ସୂଚନା ଦେଇଥିଲେ । ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ଭକ୍ତମାନଙ୍କ ପାଇଁ ସୁନ୍ଦର ଅନୁଭବ ଆଣିଛି ଏବଂ ଆଜି ଉଦ୍ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ । ରାଜ୍ୟରେ ୫-ଟି ଉପକ୍ରମରେ ଚାଲିଥିବା ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି । ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି । ଏଥିରେ ବରଗଡ଼ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି ସେ କହିଥିଲେ ।