ପାଟଣାଗଡ଼ ଅବକାରୀ ବିଭାଗର ଚଢ଼ାଉ : ୭ କେଜି ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୭ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ସତ୍ୟନାରାୟଣ ଦାସ ଆଜି ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହରିଶଙ୍କର ରାସ୍ତାରେ ଥିବା ବର୍ଥଲା ଛକରେ ଏକ ବାଇକ ଚାଳକକୁ ସନ୍ଦେହ କରି ତାଙ୍କୁ ଅଟକାଇବାରୁ ସେ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗର କର୍ମଚାରୀମାନେ କାବୁ କରିବାରେ ସଫଳ ହୋଇଥିଲେ । ତାଙ୍କୁ ପଚରାଉଚରା କରିବାରୁ ତାଙ୍କ ବାଇକଠାରୁ ପ୍ରାୟ ୭ କେଜି ଗଞ୍ଜେଇ ବାହାରିଥିବା ବେଳେ ଉକ୍ତ ଗଞ୍ଜେଇକୁ ଜବତ କରିଥିବା ଜଣାପଡିଛି । ସମ୍ପୃକ୍ତ ଯୁବକ ଜଣକ ଶଙ୍କର ସାହୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମହଲାଇ ଗାଁର ବୋଲି ଜଣାପଡିଛି । ସେ ତୁଷୁରା ଅଞ୍ଚଳରୁ ଆଣି ନୂଆପଡା ଜିଲ୍ଲାର ଜାମସେଟକୁ ନେଉଥିବା ବେଳେ ଧରାପଡିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସତ୍ୟନାରାୟଣ ଦାସ କହିଛନ୍ତି । ଏ ସଂକ୍ରାନ୍ତରେ ଆସାମୀ ବିରୁଦ୍ଧରେ ଏକ ପିଆର କେସ୍‌ ୯୦/୨୨ ୨୩ ଏନ୍‌ଡ଼ିପିଏସ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଏହି ଚଢ଼ାଉ ସମୟରେ ବୁଲୁ ସେଠୀ, ଗୁଣମତି ମାଝୀ. ବଳରାମ ପ୍ରଧାନ ଓ ଦୁଲେଶ୍ୱର କୁମୁରା ସହଯୋଗ କରିଥିଲେ ।

Leave A Reply

Your email address will not be published.