କୋଭିଡ କେଆର ସେଣ୍ଟର୍‌ରେ ମହିଳା‌ଙ୍କୁ ଅସଦାଚରଣ ମାମଲା : ବଲାଙ୍ଗିର ପହଞ୍ଚିଲା ଡିଏମଇଟି.ର ତଦନ୍ତକାରୀ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କୋଭିଡ କେଆର ସେଣ୍ଟର୍‌ରେ ଜୈନେକ ଆୟୁଷ ଡାକ୍ତର ଦ୍ୱାରା ମହିଳାଙ୍କୁ ଅସଦାଚରଣ ମାମଲାର ତଦନ୍ତ ପାଇଁ ଆଜି ଡିଏମଇଟି.ର ଏକ ତଦନ୍ତକାରୀ ଦଳ ବଲାଙ୍ଗିର ଆସି ମାମଲାର ତଦନ୍ତ କରି ଫେରିଛି । ଦୁଇ ଜଣିଆ ବିଶିଷ୍ଟ ଏହି ତଦନ୍ତକାରୀ ଦଳରେ ଡା.ନିର୍ମଳ ମହାପାତ୍ର ଓ ଡା.ବିପିନ ବିହାରୀ ମିଶ୍ର ଆଜି ସକାଳୁ ଦିନ ଏଗାରଟାରେ ବଲାଙ୍ଗିର ମୁଖ୍ୟ ଚିକିତ୍ସା ଅଧୀକାରୀଙ୍କ କାର୍ୟ୍ୟାଳୟରେ ପହଞ୍ଚି ପ୍ରାୟ ତିନି ଘଣ୍ଟା ଧରି ଅସଦାଚରଣ ମାମଲାର ଅନୁସନ୍ଧାନ କରିଥିଲେ । ତଦନ୍ତକାରୀ ଦଳ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରିଥିବା ବେଳେ କିଛି ଦିନ ଭିତରେ ସରକାରଙ୍କୁ ସଂପୁର୍ଣ୍ଣ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସା ବିଭାଗ ତଦନ୍ତକାରୀ ଦଳକୁ ଘଟଣାର ଅନୁସନ୍ଧାନରେ ସମସ୍ତ ଆବଶ୍ୟକୀୟ ସହେଯାଗ କରିଛି ବୋଲି ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା. ଭୀମ ସାହୁ ପ୍ରକାଶ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ଜଣେ କୋଭିଡ ଯୋଦ୍ଧା ମହିଳା କର୍ମଚାରୀ କୋଭିଡରେ ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ବଲାଙ୍ଗିର ଲର୍କିପାଲି ସ୍ଥିତ କୋଭିଡ କେଆର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ହେବା ସମୟରେ ସେଠାରେ ନିଯୁକ୍ତ ଜଣେ ଆୟୁଷ ଡାକ୍ତର ଅର୍ଦ୍ଧରାତ୍ରୀରେ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ । ମହିଳାଙ୍କ ପାଟିତୁଣ୍ଡ ଶୁଣି ଉପସ୍ଥିତ ରୋଗୀଙ୍କ ପରିଜନମାନେ ଡାକ୍ତରଙ୍କୁ ମାଡ ମାରିବା ପରେ ପୋଲିସକୁ ଜିମା ଦେଇଥିଲେ । କିନ୍ତୁ ଆଶ୍ଚର୍ୟ୍ୟଜନକ ଭାବେ ଉଭୟ ପୋଲିସ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏହି ଘଟଣାକୁ ନେଇ ବିଧାନସଭାରେ ପ୍ରଶ୍ନ କରିବା ପରେ ସରକାର ଘଟଣାର ତଦନ୍ତ ଦାୟିତ୍ୱ ଡିଏମଇଟିକୁ ଦେବା ସହ ଘଟଣା ଚପାଇବାକୁ ଉଦ୍ୟମ କରୁଥିବା ସମସ୍ତ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.