ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଟ୍ରେଡ ୟୁନିୟନ ସମେତ କଂଗ୍ରେସ ସମର୍ଥନରେ ଆଜି ଦେଶ ବ୍ୟାପି ଧର୍ମଘଟର ଡାକରା ଦିଆଯାଇଛି । ସିଆଇଟିୟୁ, ଆଇଏନଟିୟୁସି, ଏଚ୍ଏମ୍ଏସ୍ଆଇୟୁସି, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଜିଏମ୍ଏମ୍, ସିଇଏଆର, ଇଣ୍ଡିପେଣ୍ଡେଣ୍ଟ ନ୍ୟାସନାଲ ଫେଡେରେସନ ସହ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ ବାତିଲ, ଭି.ବି.ଜି.ରାମ.ଜି. ଆଇନ-୨୦୨୫ ପ୍ରତ୍ୟାହାର ଓ ମନରେଗା ବଞ୍ଚାଅ, କୃଷକ ବିରୋଧୀ ବିହନ ବିଲ୍-୨୦୨୫ ପ୍ରତ୍ୟାହାର, ଜନ ବିରୋଧୀ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଆଦି ଦାବିରେ ଆଜିର ଦେଶବ୍ୟାପୀ ସାଧାରଣ ଧର୍ମଘଟ ଆହ୍ୱାନ ଦିଆଯାଇଥିଲା । ଆଜିର ଏହି ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ଦୋକାନ ବଜାର ବନ୍ଦ ରହିବା ସମେତ ଟ୍ରକ, ବସ୍ ଏବଂ ଅନ୍ୟାନ୍ୟ ମୋଟରଯାନ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ବ୍ୟାଙ୍କ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । କେନ୍ଦ୍ରର ବିଜେପି ନେତୃତ୍ଵାଧୀନ ମୋଦି ସରକାରଙ୍କ ଶ୍ରମ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର ଦାବି ସହ ଭି.ବି.ଜି.ରାମ.ଜି. ଆଇନ-୨୦୨୫ ପ୍ରତ୍ୟାହାର, ମନରେଗା ଯୋଜନାର ପୁନଃ ସ୍ଥାପନ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଘରୋଇକରଣର ବିରୋଧ, ବିଦ୍ୟୁତ ସଂଶୋଧନ ବିଲ୍ -୨୦୨୫ ଓ ଆଠ ଘଣ୍ଟା କାମ କରିବାର ଅଧିକାରକୁ ବଜାୟ ରଖିବା ପାଇଁ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସମସ୍ତ ସ୍ଵାଧୀନ କର୍ମଚାରୀ ଫେଡେରେସନମାନଙ୍କ ଆହ୍ୱାନରେ ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଓ ହରତାଲକୁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲାରେ ସଫଳ କରିବା ପାଇଁ ଏହି ଧର୍ମଘଟରେ ଜନସାଧାରଣଙ୍କୁ ସାମିଲ ହେବାକୁ ଆହ୍ୱାନ କରି ଆଜି ଏହି ଧର୍ମଘଟର ଡାକରା ଦିଆଯାଇଛି । ଏହି ଧର୍ମଘଟରେ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ସମେତ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତିଙ୍କ ସମେତ ବହୁ ବରିଷ୍ଠ ନେତାଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ରାଉରକେଲା ସହର ଏକ ଶିଳ୍ପ ପ୍ରଧାନ ନଗରୀ ହୋଇଥିଲା ବେଳେ ଏଠାରେ ବିଭିନ୍ନ ଟ୍ରେଡ ୟୁନିୟନ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା, ଆଶାକର୍ମୀ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ରାସ୍ତାରୋକ ସହ ପିକେଟିଂ କରାଯିବା ଫଳରେ ବିର୍ସା ଛକ ଠାରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା । ରାଉରକେଲା ବସଷ୍ଟାଣ୍ଡରେ ବସଗୁଡ଼ିକ ଛିଡାହୋଇ ରହିଥିଲାବେଳେ ବାହାରୁ ଆସିଥିବା କେତେକ ଯାତ୍ରୀ ବସଷ୍ଟାଣ୍ଡରେ ଅପେକ୍ଷା କରି ବସିବା ସହିତ ଅନ୍ୟ କେତେକ ଶୋଇଥିବା ଦେଖାଯାଇଥିଲା । ଆମ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ବେଦବ୍ୟାସ ବେଲଡିହି ଠାରେ ଡିପୋରେ ବସ୍ ଗୁଡ଼ିକୁ ରଖାଯାଇଥିଲା । ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ପେଟ୍ରୋଲ ପମ୍ପ ବାହାରେ କେତେକ ଅସାଧୁ ବ୍ୟବସାୟୀ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକ୍ରୟ କରୁଥିବା ଦେଖାଯାଇଥିଲା, ଯାହାକି ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି । ବିର୍ସା ଛକରେ ବନ୍ଦର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା ବେଳେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରା ନଯାଇ ନାମ ମାତ୍ର କେତେକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା । ଯାହାଫଳରେ ବିକ୍ଷୋଭକାରୀଙ୍କ ସହ ବାଇକ୍ ଓ ସ୍କୁଟର ଚାଳକଙ୍କ ଯୁକ୍ତିତର୍କ ଓ ହାତାହାତି ହୋଇଥିବା ଦେଖାଯାଇଥିଲା । ଏସବୁ ସତ୍ତ୍ୱେ ରାଉରକେଲା ସହରରେ ଧର୍ମଘଟର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା । ସୁନ୍ଦରଗଡ଼ ଶିଳ୍ପ ମଜଦୁର ୟୁନିଅନର ବ୍ୟାନର ତଳେ ଆଇଡିସି କଲୁଙ୍ଗା ଏବଂ ସ ମିଲ ଚୌକ ଅଞ୍ଚଳରେ ଧର୍ମଘଟ କରାଯାଇଥିଲା, ଯାହାଫଳରେ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଧର୍ମଘଟକୁ ସମର୍ଥନ କରି ଧର୍ମଘଟରେ ଯୋଗ ଦେଇଥିଲେ । ଯାହାର ପ୍ରଭାବ ଆଜି କାରଖାନା ଉପରେ ମଧ୍ୟ ପଡ଼ିଥିଲା ।
Prev Post
Next Post