csstore

ଅଲଚିକି ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବୀରେ ରାଜ୍ୟପାଳଙ୍କୁ ଭେଟି ଦାବି ରଖିଲେ ଅର୍ଜୁନ ମୁର୍ମୁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶାରେ ପ୍ରାଥମିକ ସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ, ଇଂରାଜୀ ସହିତ ଅଲଚିକିରେ ଲେଖାଯିବା, ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲିବା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ, ସୁନାରାମ ସୋରେନ ସାନ୍ତାଳୀ ପାଠାଗାର ପ୍ରତିଷ୍ଠା କରାଯିବା, ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ଵିତୀୟ ରାଜ୍ୟ ଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ, ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା, ମାନକି ମୁଣ୍ଡା, ପାହାଡି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେ ସଙ୍ଗେ ପାରମ୍ପାରିକ ମୁଖ୍ୟଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଏମ୍.ପି.ସି. ସ୍ଵୟଂଶାସିତ ମହାବିଦ୍ୟାଳୟ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସାନ୍ତାଳୀ ଭାଷା ପାଇଁ ନିୟମିତ ଅଧ୍ୟାପକ ପଦବୀ ସୃଷ୍ଟି କରିବା ଦାବୀରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡେଣ୍ଡ ଆସୋସିଏସନ୍(ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ବୁଧବାର ଦିନ ଓଡିଶାର ମହାମୋହିମ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭପତିଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଏ ବାବଦରେ ବିଚାର କରି ଦାବିଗୁଡିକ ପୂରଣ କରାଯିବ ବୋଲି ମହାମହିମ ରାଜ୍ୟପାଳ ଦୃଢ଼ ପ୍ରତିଶୃତି ଦେଇଛନ୍ତି ବୋଲି ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ପ୍ରକାଶ କରିଛନ୍ତି । ଓଡିଶାରେ ସ୍ମରଣାତୀତ କେଉଁ ଯୁଗରୁ ଆଦିବାସୀମାନେ ବସବାସ କରି ଆସୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡିଶାରେ ସ୍ଵତନ୍ତ୍ର ଭାଷା, ପ୍ରଥା, ପରମ୍ପରା ଓ ଧର୍ମୀୟ ବିଶ୍ୱାସ ସହ ୬୨ ପ୍ରକାରର ଆଦିବାସୀମାନେ ଦେଖିବାକୁ ମିଳନ୍ତି ସେମାନଙ୍କ ମଧ୍ୟରୁ ସାନ୍ତାଳ, ହୋ ଓ ମୁଣ୍ଡାମାନେ ମୁଖ୍ୟ ଆଦିବାସୀ ଗୋଷ୍ଠୀ ଅଟନ୍ତି । ସେମାନେ ସାନ୍ତାଳୀ, ହୋ ଓ ମୁଣ୍ଡାରୀ ପରି ସ୍ଵତନ୍ତ୍ର ଭାଷା ବ୍ୟବହାର କରନ୍ତି । ସାନ୍ତାଳୀ ହେଉଛି ଏକମାତ୍ର ଭାଷା ଯାହା ସମ୍ବିଧାନର ଅଷ୍ଟମ ଅନୁସୂଚିରେ ୨୦୦୩-୦୪ରେ ଅନ୍ତର୍ଭୁକ୍ତ ହୋଇ ସ୍ୱୀକୃତି ଲାଭ କରିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସାହିତ୍ୟ ଏକାଡେମୀ ଦ୍ୱାରା ମଧ୍ୟ ୨୦୦୫ରେ ମାନ୍ୟତା ଲାଭ କରିଛି । ଅନ୍ୟପକ୍ଷରେ ହୋ ଓ ମୁଣ୍ଡାରୀ ଭାଷା ଅଣସ୍ଵୀକୃତ ପ୍ରାପ୍ତ ଭାଷା ଅଟନ୍ତି । ଏହି ଭାଷା ଗୁଡିକର ଏବେ ମଧ୍ୟ ଉଲ୍ଲେଖନୀୟ ବିକାଶ ହୋଇପାରିନାହିଁ । ଏହି ଭାଷାଗୁଡିକର ସ୍ୱତନ୍ତ୍ର ଲିପି ରହିଛି ଓ ଏହି ଲିପି ଗୁଡିକ ଏହି ଭାଷା କହୁଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ଭାବେ ଭଲ ପ୍ରସାର କରିନାହିଁ ଓ ଏହାର କାରଣ ହେଉଛି – ସରକାରଙ୍କ ପୃଷ୍ଠପୋଷକତାର ଅଭାବ, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ନ ରହିବା ତଥା ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ନ କରିବା ଇତ୍ୟାଦି । ଯଦିଓ ସାନ୍ତାଳୀ ଭାଷା ଓଡ଼ିଶାର କେତେକ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ପ୍ରଚଳନ କରାଯାଇଛି, କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଯଥା- ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସାନ୍ତାଳୀ ଅଧ୍ୟାପକ ନିଯୁକ୍ତି ଓ ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳରେ ଥିବା ମହାବିଦ୍ୟାଳୟ ଗୁଡିକରେ ସାମଗ୍ରିକଭାବେ ସାନ୍ତାଳ ଭାଷାର ପ୍ରଚଳନ ଓଡ଼ିଶା ସରକାରଙ୍କ ଦ୍ଵାରା କରାଯାଇନାହିଁ । ସାନ୍ତାଳୀ ଭାଷାପାଇଁ ନିୟମିତ ଶିକ୍ଷକ ପଦବୀ ଗୁଡିକ ମଧ୍ୟ ଏମ୍.ପି.ସି ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦାରେ ବାରମ୍ଵାର ଛାତ୍ରଛାତ୍ରୀ ତଥା ବିଭିନ୍ନ ସଂଗଠନ ଦ୍ୱାରା ଦାବୀସ୍ୱତ୍ତେ ସୃଷ୍ଟି କରାଯାଇନାହିଁ । ଏଣୁ ଓଡ଼ିଶାରେ ସାନ୍ତାଳୀ, ହୋ ଓ ମୁଣ୍ଡାରୀ ଭାଷାର ବିକାଶ ପାଇଁ ଦ୍ଵିତୀୟ ରାଜ୍ୟଭାଷାର ମାନ୍ୟତା ଏବଂ ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆବଶ୍ୟକତା ଅଟେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ସୃଷ୍ଟି ଅଲଚିକି ଲିପି ପ୍ରତି, ସାନ୍ତାଳୀ ଭାଷା ପ୍ରତି ରାଜ୍ୟ ସରକାର କ୍ରମାଗତ ଭାବରେ ଅବହେଳା କରିଚାଲିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ନଦେଲେ ଆଗାମୀ ଦିନରେ ମଧ୍ୟ ନିଜର ଭାଷା ଓ ଲିପି ପାଇଁ ଲଢ଼େଇ ଜାରି ରହିବ ।

jayashree
Leave A Reply

Your email address will not be published.