
ଟିଟିଲାଗଡ଼, (ଗୌରବ ଦରଜୀ) : ଦିନକୁ ଦିନ ଟିଟିଲାଗଡରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟରେ ଟିଟିଲାଗଡରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଉ ନଥିବା ଯୋଗୁଁ ରାସ୍ତା, ଦୋକାନ ବଜାର ଆଦି ବହୁଳ ପରିମାଣରେ ଭିଡ଼ ରହୁଛି। ଲୋକେ ମାସ୍କ ମଧ୍ୟ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି। ଲକ୍ ଡାଉନ୍, ସଟ୍ ଡାଉନ୍ ସବୁ କୋହଳ ହେବା ଯୋଗୁଁ ଲୋକେ କୋରୋନାକୁ ମଧ୍ୟ ଭୟ ନ କରି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ଫଳରେ କୋରୋନା ଅତି ସହଜରେ ତାର କାୟା ବିସ୍ତାର କରିଚାଲିଛି। ସହରର ଯେଉଁଠି ଦେଖ, ଲୋକଙ୍କ ଭିଡ଼ ଜମି ରହୁଛି। ସେପ୍ଟେମ୍ବର ମାସର ଦଶ ଦିନ ମଧ୍ୟରେ କୋରୋନା ଯେପରି ବିସ୍ଫୋରଣ କରି ଚାଲିଛି। ସେପ୍ଟେମ୍ବର ୧ ତାରିଖରୁ ୧୦ ତାରିଖ ମଧ୍ୟରେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ୬୩୫ ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିବା ବେଳେ ପ୍ରାୟ ୧୮୭ ଜଣଙ୍କ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେମ୍ୱର ୧୦ ତାରିଖରେ କରାଯାଇଥିବା ପରୀକ୍ଷାରେ ୮୬ ଜଣଙ୍କ ମଧ୍ୟରୁ ୩୦ ଜଣ କୋରୋନାରେ ଆକ୍ରାନ୍ତ ଥିବା ରିପୋର୍ଟରେ କୁହାଯାଇଛି। ଟିଟିଲାଗଡରେ ବଢୁଥିବା ଗୋଷ୍ଠୀ ସଂକ୍ରମଣକୁ ଦେଖି ଟିଟଲାଗଡକୁ କିଛି ଦିନ ପାଇଁ ବନ୍ଦ କରିବାକୁ ଜନସାଧାରଣ ପ୍ରଶାସନକୁ ଦାବି ଜଣାଇଛନ୍ତି। ଟିଟିଲାଗଡରେ କୋରୋନାକୁ ରୋକା ନ ଗଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।