jayashree

ଧାନରେ ଲାଗୁଛି ଅଜଣା ରୋଗ, ଔଷଧ ପକାଇଲେ ଦବି ଯାଉଛି ଧାନ: ନକଲି କୀଟନାଶକକୁ ନେଇ ଚର୍ଚ୍ଚା : ସାର ପରେ ଔଷଧକୁ ନେଇ ଚିନ୍ତାରେ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ବାଲିଆ ମାଟିରେ ଦିଶେ ଶାଗୁଆ କ୍ଷେତ ଝଲ ମଲ ….. ବୋଲି ଦଶହରା ମାସରେ ଚାଷୀ ଗର୍ଜି ଉଠେ ଗାଁ ଦାଣ୍ଡରେ। କିନ୍ତୁ ଚଳିତ ବର୍ଷର ଚାଷକୁ ନେଇ ଝଲ ମଲ ହେବା ବଦଳରେ ଚାଷୀ ଆଖିରୁ ଝରୁଛି ଲୁହ । କେତେବେଳେ ୟୁୁରିିିଆ ସାରକୁ ନେଇ ତ ପୁଣି କେତେବେଳେ କୀଟନାଶକକୁ ନେଇ ଚିନ୍ତାରେ ରହୁଛି ଚାଷୀ । ବଡବାହାଲ – ଗୌଡ଼ଗୋଠ ରାସ୍ତାର ଶାଗୁଆ କ୍ଷେତ ଭିତରେ ଥିବା ଗୌଡ଼ଗୋଠର ଚାଷୀ ହରିଶ୍ଚନ୍ଦ୍ର ରଣା ଦୁଇ ଏକର ଜମିରେ କରିଛନ୍ତି ଧାନ ଚାଷ । ପ୍ରଥମେ ଭଲ ଦିଶୁଥିବା ଧାନ ଉପରେ କେଉଁ ରୋଗ ଲାଗିଲା ଯେ ଉଠିବା ବଦଳରେ ଦାବି ଯାଉଛି ବୋଲି କୋହ ଭରା ହୋଇ କହିଛନ୍ତି । ଧାନରେ ରୋଗ ଲାଗିବାର ଜାଣିବା ମାତ୍ରେ ପ୍ରୟୋଗ କରିଥିଲେ କୀଟନାଶକ । ହେଲେ ସ୍ପ୍ରେ ହେବା କ୍ଷଣି ଧାନ ଡିସ୍‌ କଲର୍‌ ହୋଇ ତଳକୁ ଦବି ଯିବାରୁ ଏବେ ଚିନ୍ତାରେ ରହୁଛନ୍ତି । ଏହି ଗାଁର ସେ ଏକା ନୁହନ୍ତି, ଆହୁରି ଅନେକ ଚାଷୀ ଏହି ଦୁଃଖର ଶିକାର ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକ ଭିତରେ ବର୍ତ୍ତମାନ ଧାନ ଚାଷରେ ଚକଡ଼ା, ଗଣ୍ଠି ପୋକ, ପତ୍ର ପୋଡା ଲାଗିବା ଆରମ୍ଭ ହୋଇଛି । ହେଲେ ଚାଷୀଙ୍କୁ ଉଚିତ ପରାମର୍ଶ ଦେବାକୁ ଆସୁନାହାନ୍ତି କୃଷି ଅଧିକାରୀ କି କର୍ମଚାରୀ । ପଞ୍ଚାଯତରେ ନିଯୁକ୍ତ ହୋଇଥିବା କୃଷି କର୍ମଚାରୀମାନେ ଏକାଧିକ ପଞ୍ଚାୟତର ଦାୟିତ୍ୱରେ ରହି ମୋବାଇଲ ଯୋଗେ ଔଷଧ ବତାଉଥିବାରୁ ଧାନ ଚାଷର ସଠିକ ଚିକିତ୍ସା ହେଇପାରୁ ନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ଯାହାଫଳରେ ଦେଓଗାଁ ବ୍ଲକର ବିକ୍ରି ହେଉଥିବା କୀଟନାଶକର ମାନକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବ୍ଲକ କୃଷି ଅଧିକାରୀଙ୍କୁ ପଚାରିଲେ ଅଭିଯୋଗ ଆସିଲେ, ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏଣୁ ଦେଓଗାଁ ବ୍ଲକର ଚାଷୀଙ୍କୁ ଉଚିତ ପରାମର୍ଶ ଦେଇ ଏପରି ଔଷଧ ବିକ୍ରି କରୁଥିବା ଦୋକାନୀ ପ୍ରତି କାର୍ୟ୍ୟାନୁଷ୍ଠାନ ନେବାକୁ ଚାଷୀ ମହଳରେ ଦାବୀ ହେଉଛି ।

Leave A Reply

Your email address will not be published.