ls

ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ୧୦ ଦଫା ଦାବୀ ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

sb

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟ ବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି । ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମକୁ କର୍ପୋରେଟ କମ୍ପାନୀର ମୁନାଫା ପାଇଁ ଆକାଶଛୁଆଁ ଭାବେ ବୃଦ୍ଧି କରାଯାଉଥିବା ବେଳେ ଅତ୍ୟାବଶ୍ୟକ ଔଷଧ ମଧ୍ୟ ଏଥିରୁ ବର୍ତ୍ତୀ ନାହିଁ । ଡାଇବେଟିସ, ଆଣ୍ଟିବାୟୋଟିକ, ଅଣସଂକ୍ରମଣ, କ୍ୟାନସର, ଶ୍ୱାସଜନିତ ଆଦି ଔଷଧ ଓ ମେଡିକାଲ ଡିଭାଇସ ଆଦି ୮୦୦ ପ୍ରକାର ଔଷଧକୁ ୧୨.୧୨ପ୍ରତିଶତ ଦର ବୃଦ୍ଧି କରାଯିବାକୁ ଜାତୀୟ ଫାର୍ମାମୂଲ୍ୟ କତ୍ତୃୃପକ୍ଷ ନିଷ୍ପତ୍ତି ନେଇଛି । ବିଡମ୍ବନାର କଥା ଯେ, ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ଗୁଡିକର ଦାମ ପାଇକାରୀ ମୂଲ୍ୟସୂଚୀ ଅନୁସାରେ ବୃଦ୍ଧି କରାଯିବାକୁ ସମଗ୍ର ଦେଶରେ ବିରୋଧ ହୋଇଛି । ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ଓ ଔଷଧ ଯୋଗାଇବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରାଥମିକ କାର୍ଯ୍ୟ । ଔଷଧ ବା ଚିକିତ୍ସା ବିନା କାହାର ଅକାଳ ମୃତ୍ୟୁ ଗଣତନ୍ତ୍ର ପାଇଁ ଲଜ୍ଜାଜନକ ବୋଲି ମତପ୍ରକାଶ ପାଇଛି । ସମସ୍ତଙ୍କୁ ମାଗଣା ଔଷଧ ଓ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବଜେଟରେ ଜିଡିପିର ଛଅ ପ୍ରତିଶତ ବୃଦ୍ଧି କରିବା ପାଇଁ ଦାବୀ ହେଉଥିବା ବେଳେ କେନ୍ଦ୍ର ସରକାର ଅନ୍ୟାୟ ଭାବେ ଅତ୍ୟାବଶ୍ୟକ ଔଷଧର ଦରଦାମ ୧୨.୧୨ପ୍ରତିଶତ ବୃଦ୍ଧି କରିଛନ୍ତି । ସାଧାରଣ ଜନତା ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚରେ ଜର୍ଜରିତ ହୋଇପଡି ଅନେକେ ଋଣଗ୍ରସ୍ତ ହେବା ସହ ନିଜର ଜମି, ଗହଣା ସବୁ କିଛି ହରାଇ ବସନ୍ତି ଓ ବହୁ ଗରିବ ସାଧାରଣ ଜନତା ଚିକିତ୍ସା ନପାଇ ଅକାଳ ମୃତ୍ୟୁର ଶିକାର ହୁଅନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ଟଙ୍କା ଅଭାବରୁ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡିବା ଅତ୍ୟନ୍ତ ସମ୍ବେଦନମୂଳକ । ତୁରନ୍ତ ଜରୁରୀ ଆବଶ୍ୟକୀୟ ଚିକିତ୍ସା ଖର୍ଚ୍ଚକୁ ଯଥେଷ୍ଟ ମାତ୍ରାରେ କୋହଳ କରିବା ପାଇଁ ଅତ୍ୟାବଶ୍ୟକ ଔଷଧର ଦରଦାମ ଯଥେଷ୍ଟ ମାତ୍ରାରେ କମ୍‌ କରି ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ସହ ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ସ୍ଥାପନ, ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିୟୋଜିତ, ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ, ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ, ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗରେ ଇଣ୍ଡୋର ବିଭାଗ ଖୋଲିବା, ନିରାମୟରେ ଉତ୍ତମ ଗୁଣଯୁକ୍ତ ସମସ୍ତ ଔଷଧ ଯୋଗାଇବା, ନିରାମୟ ଔଷଧ କାଉଣ୍ଟରକୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ଖୋଲିବା, ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇବା, ରୋଗୀଙ୍କ ସୁବିଧା ପାଇଁ ନୂଆ ବସ୍‌ଷ୍ଟାଣ୍ଡ ସମ୍ମୁଖସ୍ଥ ମେଡିକାଲ ଦ୍ୱିତୀୟ ଗେଟ୍‌ ଖୋଲିବା, ପାର୍କିଂ ଫି’ ଆଦାୟ ବନ୍ଦ କରିବା ଆଦି ୧୦ଦଫା ଦାବୀ ନେଇ ପୃଥକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ସହ ବରିଷ୍ଠ ସାମ୍ବାଦିକ ରବି ରଥ, ବଂଶୀଧର ଭୂୟାଁ, ମାଗୁଣି ନାହାକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମନୋଜ କୁମାର ତରାଇ, ଗଗନ ଚନ୍ଦ୍ର ମଲ୍ଲିକ, ଏସ. ଶାମ୍ବାଶିବ ରାଓ, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ହୃଷିକେଶ ପାତ୍ର, ସୁରେନ୍ଦ୍ର ନାଥ ପଣ୍ଡା, କେ. ଶ୍ରୀନିବାସ ରାଓ, ରବୀନ୍ଦ୍ର କୁମାର ନାୟକ, ସନ୍ତୋଷ କୁମାର ପାତ୍ର, ଗୌରୀ ଶଙ୍କର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ଦାବୀ ଉପସ୍ଥାପନ କରିଥିଲେ ।

pc pk
Leave A Reply

Your email address will not be published.