ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ପଞ୍ଚାୟତର ସିରୁଲ୍ ଗ୍ରାମରେ ଦେଖିବାକୁ ମିଳିଛି। ଜାତି ଭେଦଭାବ ଦେଖାଇ ଦୁଇ ସାହି ମଧ୍ୟରେ ନାଳ ପାଣି ନିଷ୍କାସନ ପାଇଁ ବିବାଦ । ଆଜି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ୧୪୪ ଧାରା ଜାରି କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ଶତାଧିକ ପଡ଼ାବାସି ବିରୋଧ କରିବାରୁ ପୋଲିସ ପଛଘୁଞ୍ଚା ଦେଇ ଫେରି ଆସୁଛି ବୋଲି ଆଲୋଚନା ହେଉଛି ।
ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୬ ତାରିଖ ରେ ସିରୁଲ୍ ଗ୍ରାମର ହରିଜନପଡ଼ା ବାସୀ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟଳୟକୁ ଆସି ଅଭିଯୋଗ କରିଥିଲେ ଯେ, ହରିଜନପଡ଼ାର ନଳକୂପ ପାଣି ନିଷ୍କାସନ ହୋଇ ସାହୁପଡ଼ା ଦେଇ ବୋହି ଯାଉଥିବାରୁ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ସାହୁପଡ଼ାର ବାସିନ୍ଦା ମାନେ ନାଳରେ ମାଟି ପକାଇ ଦେବାରୁ ନାଳରେ ପାଣି ଜମା ହୋଇ ରହିଛି, ଯାହାକୁ ନେଇ ହରିଜନପଡ଼ା ଓ ସାହୁପଡ଼ା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ମାର୍ଚ୍ଚ ୩୦ରେ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମୁରିବାହାଲ ତହସିଲଦାର ଓ ମୁରିବାହାଳ ବ୍ଲକ ବିଡିଓଙ୍କ ସହ ସରକାରୀ ଅଧିକାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀ ତଥା ଉଭୟ ପଡ଼ାବାସୀଙ୍କ ସହ ଆଲୋଚନା କରି ଉକ୍ତ ସ୍ଥାନରେ ନାଳ ସମୂର୍ଣ ତିଆରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କିଛି ଦିନ ପରେ ଯେତେବେଳେ ତହସିଲଦାର ଆସି ନାଳ ତିଆରି କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଥିଲେ, ସେତେବେଳେ ସାହୁପଡ଼ାବାସୀ ଅଭିଯୋଗ କରିଥିଲେ । କାମ ବନ୍ଦ କରି ତହସିଲଦାର ଫେରି ଯାଇଥିଲେ ।
ଗତ ଏପ୍ରିଲ ୧୨ ତାରିଖରେ ହରିଜନପଡ଼ା ବାସୀ ଟିଟିଲାଗଡ ପୌରପରିଷଦ ଘେରାଉ କରି ଟିଟିଲାଗଡ ଉପଜିଲ୍ଲାପାଳ ତଥା ପୌରପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟଙ୍କ ସହ ଆଲୋଚନା କରିଥିଲେ । ସେହି ସମୟରେ ଉପଜିଲ୍ଲାପାଳ ଉପଖଣ୍ଡିୟ ଆରକ୍ଷୀ ଅଧିକ୍ଷକ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଗାଁରେ ୧୪୪ ଧାରା ଜାରି କରି ତୁରନ୍ତ ନାଳ ତିଆରି କାର୍ୟ୍ୟ ଆରମ୍ଭ କରାଯାଉ । ଆଜି ଟିଟିଲାଗଡ ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ପୋଲିସ ବାହିନୀ ଧରି ସିରୁଲ୍ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ୧୪୪ ଧାରା ଜାରି କରି ସ୍ଥାନୀୟ ବିଦ୍ୟୁତ୍ ଖୁଣ୍ଟରେ ନୋଟିସ ଛାପି ମୁରିବାହାଲ ତହସିଲଦାର ଓ ଜେସିବି ମେସିନ ନେଇ କାମ ଆରମ୍ଭ କରିଥିଲେ । କିନ୍ତୁ ନାଳ ତିଆରି କରିବା ପରିବର୍ତ୍ତେ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଏହା ଦେଖି ହରିଜନପଡ଼ାବାସୀ ଉତ୍ୟକ୍ତ ହୋଇଥିଲେ । ପୋଲିସ ଓ ପଡ଼ାବାସୀ ମୁହାଁମୁହିଁ ହୋଇଥିଲେ । ଅନେକ ମହିଳା, ପୁରୁଷ ତଥା ବୁଢ଼ାବୁଢ଼ୀ ମଧ୍ୟ ପୋଲିସ ବାହିନୀ ସମ୍ମୁଖକୁ ଆସି ଗାତ କାହିଁକି ଖୋଳାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଗାତ ଖୋଳିବା ପରିବର୍ତ୍ତେ ନାଳ ତିଆରି କରିବା ପାଇଁ ଦାବି କରିଥିଲେ । ପୋଲିସ ବାହିନୀ ତଥା ଡିଏସପି ଶ୍ରୀ ଶତପଥୀ ପଡ଼ାବାସୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଲୋକେ ବୁଝି ନଥିଲେ । ଅପରପକ୍ଷେ ସାହୁପଡ଼ା ବାସୀ ପ୍ରଶାସନ ଯାହା ଠିକ୍ ଭାବିବ, ତାହା ହେବ ବୋଲି ପ୍ରଶାସନକୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ହରିଜନପଡ଼ା ବାସୀ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଠାରେ ୧୪୪ ଧାରାର ଖୋଲାମ୍ଖୋଲା ଉଲଙ୍ଘନ କରିଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି । ପୋଲିସ ସମସ୍ୟାର ସମାଧାନ ନକରି ଫେରି ଆସିଥିବା ବେଳେ ଏହା ପ୍ରଶାସନର ବିଫଳତାକୁ ସୂଚାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।