centurian jitm

ପିଇବା ପାଣି ଭିତ୍ତିପ୍ରସ୍ତର ଦେଲେ ନରସିଂହ : ଗାଁ ରାସ୍ତା ଓ ପଞ୍ଜିକୃତ ଶ୍ରମିକଙ୍କ ପାଇଁ ବାସଗୃହ ଉପରେ ଦେଲେ ଗୁରୁତ୍ୱ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ନିର୍ବାଚନ ପ୍ରତିଶୃତି ମୁତାବକ ପ୍ରତ୍ୟେକ ଗାଁର ଘରକୁ ଘର ପିଇବା ପାଣି ଓ ରାସ୍ତା ନିର୍ମାଣ ଦିଗରେ ବଲାଙ୍ଗିର ସଦର ବ୍ଲକ ସ୍ଥିତ ଆଡେନଡୁଙ୍ଗୁରି ଗ୍ରାମରେ ଯୋଡି ହୋଇଛି । ଏହି କ୍ରମରେ ବଲାଙ୍ଗିର ସଦର ବ୍ଲକ ସ୍ଥିତ ଶିବତଲା ପଞ୍ଚାୟତର ଆଡେନଡୁଙ୍ଗୁରି ଗ୍ରାମ ଠାରେ ୯୯ଲକ୍ଷ ୬୨ହଜାର ୮୨୨ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଏହି ଅଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ । ପ୍ରକଳ୍ପଟି ଆଠମାସ ଭିତରେ ସମ୍ପୁର୍ଣ୍ଣ ହେବ ବୋଲି ଉପସ୍ଥିତ ବିଭାଗୀୟ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଗାଁରେ ଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇଥିଲେ । ମୁଖ୍ୟତଃ ଏହି ଗାଁରୁ ସାରସପିଟା ଦେଇ ତୁଷୁରାବାହାଲକୁ ଏକ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବୀ କରିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ବହୁତ ଶୀଘ୍ର ୫କିମିରୁ ଉଦ୍ଧ୍ୱର୍ ଦୂରତା ଥିବା ଏହି ରାସ୍ତାଟିକୁ ଗ୍ରାମ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମାଣ କରାଯିବାର ପ୍ରତିଶୃତି ଦେଇଥିଲେ । ଲୋକଙ୍କ ଅଭିଯୋଗ ମୁତାବକ ଗାଁରେ ଅନେକ ଲୋକଙ୍କ ଗୁହାଳ ପାଇଁ ଦରଖାସ୍ତ ଯାଇଥିଲେ ହେଁ ଅଳ୍ପ ମାତ୍ର ଗୁହାଳ ମଞ୍ଜୁରି ହୋଇଛି । ତେଣୁ ଉପସ୍ଥିତ ଥିôବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦ ଭୋଇଙ୍କୁ ପଞ୍ଜିକୃତ ଗାଇ ରଖିଥିବା ପ୍ରତ୍ୟେକ ହିତାଧିକାରୀଙ୍କୁ ବହୁତ ଶୀଘ୍ର ଗୁହାଳ ନିର୍ମାଣ କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଏହି ସଭାରେ ସେ ଏହି ଅଞ୍ଚଳର ପଞ୍ଜିକୃତ ନିର୍ମାଣ ଶ୍ରମିକ ଯେଉଁମାନେ କି ୧୦୦ ଦିନରୁ ଅଧିକ କାମ କରିଛନ୍ତି ସେମାନଙ୍କୁ ଗୃହ କାହିଁକି ପ୍ରଦାନ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । କୌଣସି ଗୋଟିଏ ବି ପଞ୍ଜିକୃତ ଶ୍ରମିକ ଯେପରି ଆବାସ ଗୃହ ପାଇବାରୁ ବଂଚିତ ନ ହେବେ ସେ ଦିଗରେ ଅଧିକାରୀମାନେ ଯତ୍ନବାନ ହୁଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ କହିଥିଲେ । ଶିବତଲା ଏବଂ ଆଡେନଡୁଙ୍ଗୁରି ଠାରେ ଲୋକଙ୍କ ଦାବୀ ମୁତାବକ ସେଠାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିବା ସହ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ବାକି ରହିଯାଇଥିବା ହିତାଧିକାରୀମାନଙ୍କୁ ଶିଘ୍ର ଭତ୍ତା ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭୋଇଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅଶୋକ ଭୁୟାଁ, ବ୍ଲକ ସହକାରୀ ଯନ୍ତ୍ରୀ ଟଙ୍କଧର କାଲୋ, କନିଷ୍ଠ ଯନ୍ତ୍ରୀ ସଂଜୟ ସାହୁ, ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଜୟକୃଷ୍ଣ ମିଶ୍ର, ବିଶ୍ୱଜିତ ନାଥ, ଗୋପି ଦନ୍ତା, କରୁଣାକର ବାଗ, ବୃନ୍ଦାବନ ପାଢୀ, ଗୋପ ମେହେର, ପର୍ଶୁରାମ ଦିକ୍ଷିତ, ରାମ ବେହେରା ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.