- ଜଳିଗଲା ଘର ସାମଗ୍ରୀ ଏବଂ ବାଇକ
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଶଙ୍କର ସେଲ୍ସର ଦୋକାନୀ ବାଣ ଫୁଟାଇ ଥିବା ବେଳେ ପୂର୍ଣ୍ଣ ସାହୁଙ୍କ ଭଡ଼ା ଘର ଭିତରକୁ ବାଣ ପଶିଯାଇ ଘର ଭିତରେ ବିସ୍ପୋରଣ ହୋଇଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ୩ ସଦସ୍ୟ । ସୂଚନା ଅନୁଯାୟୀ ମନୋଜ କୁମାର ପଧାନ ଭଡ଼ା ଘରେ ରହୁଥିଲେ । ଘରେ ୨ ମହିଳା ସଦସ୍ୟ ଓ ମନୋଜ ଟିଭି ଦେଖୁଥିବା ବେଳେ ଘର କବାଟ ଦେଇ ଘର ଭିତରକୁ ବାଣ ପଶିଆସି ଘରେ ଥିବା ୨ ବାଇକ୍ ଉପରେ ପଡ଼ି ବିସ୍ପୋରଣ ହୋଇଥିଲା । ଫଳରେ ୨ ବାଇକ୍ରେ ଥିବା ପେଟ୍ରୋଲ ଟାଙ୍କି ଜଳି ଯାଇ ବିସ୍ପୋରଣ ହୋଇଥିଲା । ଘରେ ଥିବା ସବୁ ଆସବାବ ପତ୍ର ସହ ଘରେ ଲାଗିଥିବା ବିଜୁଳି ତାର ମଧ୍ୟ ଜଳି ଯାଇଥିଲା । ଏହି ବିସ୍ପୋରଣରେ ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ ବୋଲି କୁହାଯାଇଛି । ସ୍ଥାନୀୟଲୋକେ ପୋଲିସ ତଥା ଦମକଳ ବାହିନୀକୁ ଫୋନ୍ କରି ନିଆଁକୁ ଆୟତ୍ତ କରିବା ସହ ପରିବାରର ୩ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ । ନିୟମକୁ ଖାତିର ନକରି ଗତ ରାତି ୧୧:୩୦ ପର୍ଯ୍ୟନ୍ତ ବାଣ କେମିତି ଫୁଟାଇ ଥିଲେ ବ୍ୟକ୍ତି ଜଣକ, ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଣ ଫୁଟାଇବାରେ ଗାଇଡ ଲାଇନ୍ ଥିଲେ ସୁଦ୍ଧା ପାଳନ କରୁନାହାନ୍ତି ଅମାନିଆ ଲୋକମାନେ । ଏଥିପ୍ରତି ପୋଲିସ ପ୍ରଶାସନ ଧ୍ୟାନ ଦେଲେ ଏମିତି ଘଟଣା ଘଟି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ସବୁ ଜିନିଷ ପତ୍ର ପୋଡି ଯାଇଥିବା ବେଳେ ଚିନ୍ତାରେ ମନୋଜଙ୍କ ପରିବାର ।