ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ହାଇସ୍କୁଲ ଏନ୍ପିଏସ୍ ସଂଘର ଏକ ଜରୁରୀ ଆଭାସୀ ବୈଠକ ବଲାଙ୍ଗିର ଜିଲ୍ଲା ସଭାପତି ରାଜ କୁମାର ଭୋଇଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନରେ ପ୍ରଦାନ କରିଥିବା ଠିକା ଉଚ୍ଛେଦ ଭେଟି ଆଠ ମାସ ବିତି ଯାଇଥିଲେ ମଧ୍ୟ ଗଣଶିକ୍ଷା ବିଭାଗରେ କାର୍ଯ୍ୟକାରୀ ହୋଇ ନ ପାରିବା ପକ୍ରିୟାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଗଣଶିକ୍ଷା ବିଭାଗରେ ୨୦୦୪ ମସିହାରୁ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ଅଣଦେଖା କରି ଗଣଶିକ୍ଷା ବିଭାଗ ପ୍ରକାଶ କରିଥିବା ଚିଠି ନଂ.୧୫୦୫୦ ତା.୨୨.୦୬.୨୦୨୩କୁ ଏକ ଭ୍ରମାତ୍ମକ ଚିଠି ବୋଲି ସମାଲୋଚନା କରାଗଲା । ସଂଘ ପକ୍ଷରୁ କୁହାଯାଇଛି ଯେ, ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସମାନ ନିଯୁକ୍ତି ପକ୍ରିୟାରେ ନିୟୋଜିତ ହୋଇଥିଲେ ମଧ୍ୟ ସରକାର ଉକ୍ତ ଚିଠିରେ ମାଧ୍ୟମିକ ସ୍ତରରେ ଠିକା ଚାକିରିରୁ ଆରମ୍ଭ କରିଥିବା ଓ ନିୟମିତ ହୋଇଥିବା ଶିକ୍ଷକ ତଥା ନିୟମିତ ହୋଇ ନଥିବା ଶିକ୍ଷକଙ୍କୁ ୩ ବର୍ଗରେ ଭାଗ କରିଦେଲେ । କାହାକୁ ଶୂନ ତ କାହାକୁ କେଞ୍ଚାଏ ଓ କାହାକୁ ମେଞ୍ଚାଏ ଦେଇ ଠିକା ଉଚ୍ଛେଦର ପ୍ରହେଳିକା ଦେଖାଇ ଦିଆଗଲା । ସମାନ ପଦ୍ଧତିରେ ନିଯୁକ୍ତ ହୋଇଥିଲା ମଧ୍ୟ ୨୦୦୪-୨୦୧୦ ମଧ୍ୟରେ ନିଯୁକ୍ତ ଶିକ୍ଷକମାନଙ୍କ ନା ଚାକିରିକାଳକୁ ଗଣନା କରାଗଲା ନା ନୋସନାଲ ଇନକ୍ରିମେଣ୍ଟ ଦିଆଗଲା । ୨୦୧୦ରୁ ୨୦୧୬ ମଧ୍ୟରେ ନିଯୁକ୍ତ ବର୍ଗର ଶିକ୍ଷକଙ୍କୁ ସମସ୍ତଙ୍କର ମୂଳ ଦରମା ପ୍ରଦାନ କରିଦିଆଗଲା । ୨୦୧୬ରେ ନିଯୁକ୍ତ ଜଣେ ଶିକ୍ଷକ ୬ଟି ନୋସନାଲ ଇନକ୍ରିମେଣ୍ଟ ପାଇବା ବେଳକୁ ୨୦୧୧ରେ ନିଯୁକ୍ତ ଶିକ୍ଷକ ମାତ୍ର ଗୋଟିଏ ନୋସନାଲ ଇନ୍କ୍ରିମେଣ୍ଟ ପାଇବ । ଛଅବର୍ଗ କାଳ ପୁରଣ କରି ନ ଥିବା ସମସ୍ତ ଶିକ୍ଷକ ଯେତେ ବର୍ଷ କାର୍ଯ୍ୟ କରିଛନ୍ତି ସେତେକିଟି ନୋସନାଲ ଇନକ୍ରିମେଣ୍ଟ ପାଇବେ ଓ ନିୟମତି ହେବେ । ଶିକ୍ଷକଙ୍କ ଏକତାକୁ ନଷ୍ଟ କରି ପୁରୁଣା ପେନସନ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଚକ୍ରାନ୍ତ କରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଏହି ଚିଠି କିପରି ବଲାଙ୍ଗିର ଜିଲ୍ଲାରେ ଶୀଘ୍ର କାର୍ଯ୍ୟକାରୀ ହେବ ତାକୁ ନେଇ ସଂଘ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଯେଉଁ ଶିକ୍ଷକମାନେ ଅନ୍ୟାୟର ଶିକାର ହୋଇଛନ୍ତି ସେମାନେ ଆଗାମୀ ଦିନରେ କୋର୍ଟର ଆଶ୍ରୟ ନେବା ସହ ସରକାରଙ୍କ ସହ ଲଢେଇ ଜାରୀ କରିବା ଏବଂ ପୁରୁଣା ପେନସନ ଆନ୍ଦୋଳନ ପାଇଁ ସମସ୍ତେ ଏକଜୁଟ ହୋଇ ଲଢିବା ପାଇଁ ପ୍ରସ୍ତାବ ଦେଇ ସଭାକୁ ସାଙ୍ଗ କରାଗଲା । ଏହି ସଭାରେ ଦ୍ୱିତି ରଂଜନ ମହାଲିଙ୍ଗ, ବୀର କିଶୋର ସୁନା, ନରେଶ ଦ୍ୱାରୀ, ଡୋଳାମଣି ସାହୁ, ରବି ନାରାୟଣ ସାହୁ, ମଧୁସୁଦନ ସାହୁ, ଦେବାଶିଷ ବିଶି, ଘନଶ୍ୟାମ ଦଣ୍ଡସେନା, ଉପେନ୍ଦ୍ର ବେହେରା ପ୍ରମୁଖ ସାମିଲ ଥିଲେ ।