ତୁଷୁରା ଥାନା ଏଏସଆଇଙ୍କ ନାଁରେ ବଧୁ ନିର୍ୟ୍ୟାତନା ଅଭିଯୋଗ : ପରିବାର ଲୋକେ ଫେରାର, ପୁଲିସକୁ ଖୋଜୁଛି ପୁଲିସ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନ୍ୟାୟ ପାଇବା ପାଇଁ ପୁଲିସ ଉପରେ ଲୋକେ ଭରସା କରି ପୁଲିସର ଦ୍ବାରସ୍ଥ ହୋଇ ଥାଆନ୍ତି । କିନ୍ତୁ ପୁଲିସ ଯଦି ଭୁଲ କରେ, ତେବେ କଥା ସରିଲା ବୋଲି କୁହାଯାଏ । ତେବେ ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି । ଜଣେ ପୋଲିସ ଏଏସଆଇଙ୍କ ନାମରେ ଯୌତୁକ ନିର୍ୟ୍ୟାତନା ଅଭିଯୋଗ ଆସିଥିବବା ଜଣାପଡ଼ିଛି । ଏହି ମାମଲା ରୁଜୁ ହେବା ପରେ ଏବେ ପୋଲିସ ଜଣେ ପୋଲିସଙ୍କୁ ଖୋଜୁଥିବା ବେଳେ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନାରେ ତୁଷୁରା ଥାନା ଏଏସଆଇ ଗିରିଶ ଦଣ୍ଡସେନାଙ୍କ ସମେତ ପରିବାର ଲୋକ ମାନଙ୍କ ନାଁରେ ବଧୁ ନିର୍ୟ୍ୟାତନା ଅଭିଯୋଗ ହୋଇଛି । ତେବେ ସଇଁନ୍ତଲା ପୋଲିସ କେସ ନମ୍ବର ୫୮/୨୧ କ୍ରମରେ ୪୯୮(ଏ), ୩୨୩,୫୦୬,୩୪ ଆଇପିସି ୪ ଡିପି ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମତେ ସଇଁନ୍ତଲା ଥାନା ତୁଷ୍ଟାପାଲି ଗାଁର ଚନ୍ଦ୍ରକାନ୍ତି ବୁଡେକ ବଲାଙ୍ଗିର ଇନ୍ଦିରା ନଗରରେ ରହୁ ଥିବା ତୁଷୁରା ଏଏସଆଇ ଗିରିଶ ଦଣ୍ଡସେନାଙ୍କ ପୁଅ ସ୍ୱାଧୀନଙ୍କୁ ଗତ ବର୍ଷ ଫେବୃଆରୀ ମାସରେ ବିବାହ କରିଥିଲେ । ପାରମ୍ପରିକ ରୀତିରେ ବିବାହ କରିଥିବା ବେଳେ ଝିଅ ଘରୁ ମଧ୍ୟ ପୁଅ ଘରକୁ ଯୌତୁକ ଦେଇଥିଲେ । ବିବାହ ପରେ ଚନ୍ଦ୍ରକାନ୍ତି ଏକ ମାସ ଧରି ଶ୍ୱଶୁର ଘରେ ବେଶ ଭଲ ଭାବରେ ରହି ଆସୁଥିଲେ । ହେଲେ କିଛି ଦିନ ପରେ ତାଙ୍କ ଉପରେ ଶ୍ୱଶୁର ଗିରିଶ, ଶାଶୁ, ନଣନ୍ଦ ମିଶି ଯୌତୁକ ଦାବୀରେ ନିର୍ୟ୍ୟାତନା ଦେବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଚନ୍ଦ୍ରକାନ୍ତି । ତେବେ ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଏସଆଇ ପ୍ରସନ୍‌ନ୍ନ ନାଏକ ବଲାଙ୍ଗିର ସ୍ଥିତ ଇନ୍ଦିରା ନଗରକୁ ଯାଇଥିଲେ । ସେତେବେଳେ ପରିବାର ଲୋକେ କେହି ନଥିବା ବେଳେ ତାଲା ପକାଇ ଫେରାର ଥିବା ଯୋଗୁଁ ପୁଲିସକୁ ନିରାଶ ହୋଇ ଫେରି ଆସିବାକୁ ପଡ଼ିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.