
- ୨୦୫ କେନ୍ଦ୍ର ମଧ୍ୟରୁ ୫୯ କେନ୍ଦ୍ରର ନିଜସ୍ଵ କୋଠା ନାହିଁ
– ବ୍ଲକ କାର୍ୟ୍ୟାଳୟ ଚାଲିଛି ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ
– ୧୭୭ କେନ୍ଦ୍ରରେ ପାଇଖାନା ନାହିଁ
ଦେଓଗାଁ, (ମନୀଷ କୁମାର ସାହୁ) : ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନାକୁ ଯେତେ ସକ୍ରିୟ କରିବାକୁ ଯାଉଛନ୍ତି ତାର ଭିତ୍ତି ଭୂମୀ ଆସ୍ତେ ଆସ୍ତେ ନଷ୍ଟ ହେବାକୁ ବସୁଛି । ଦୀର୍ଘ ବର୍ଷ ହେଲା ବ୍ଲକ ଆର୍ସିଡିଏସ୍ କାର୍ଯ୍ୟାଳୟ ବ୍ଲକ ପରିସରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି । ନୂଆଁ କୋଠା ନିର୍ମାଣ ପାଇଁ ବହୁ ବର୍ଷ ହେଲା ଅନୁଦାନ ଆସିଛି ହେଲେ କାମ ଶେଷ ହୋଇ ପାରୁନାହିଁ । ପୂର୍ବ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କ ନାମରେ ନାମିତ ଥିବା କୋଠାରେ ଦୂର ଦୂରାନ୍ତରରୁ ଆସି ବିଶ୍ରାମ ନେବାକୁ ଲକ୍ଷ୍ୟ ରଖାଯାଇଥିବା କୋଠା ପାଲଟିଛି ସରକାରୀ କାର୍ଯ୍ୟାଳୟ । ଅଧିକ ଶିଶୁ, ପ୍ରସୂତି ଓ ଗର୍ଭବତୀ ମା’ ମାନେ ଠିକ୍ ଭାବେ ସେବା ପାଇବେ ବୋଲି ଯୋଜନା କରୁଥିବା ବେଳେ ଭିତ୍ତି ଭୂମୀର ଅଭାବ ଦେଖାଯାଇଛି । ଦେଓଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଥିବା ତଥ୍ୟ ଅନୁସାରେ ବ୍ଲକର ମୋଟ ୨୦୫ଟି ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ ମାତ୍ର ୧୪୬ଟି କେନ୍ଦ୍ର ନିଜସ୍ବ କୋଠାରେ ଚାଲିଥିବା ବେଳେ ୧୫ଟି କେନ୍ଦ୍ର ସ୍ଥାନୀୟ ସ୍କୁଲରେ, ୨ଟି ଭଡ଼ା ଘରେ, ୪୨ଟି ଗୋଷ୍ଠୀ କେନ୍ଦ୍ରରେ ପରିଚାଳିତ ହେଉଛି । ୪୨ଟି ମଧ୍ୟରୁ ରତନପୁର, କୁଲିହାବାହାଲ, ବୁଢ଼ାବାହାଲ ଓ ମାଲପଡ଼ା କେନ୍ଦ୍ର କାମ ଚାଲିଛି । ମୋଟ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଅଧାରୁ ଅଧିକ କେନ୍ଦ୍ରରେ ପାନୀୟ ଜଳ ଅଭାବ । ପ୍ରାୟ ୫୦ଟି କେନ୍ଦ୍ରର କର୍ମୀମାନେ ୨ଶହ ମିଟରରୁ ଅଧିକ ଦୂରରୁ ପାଣି ଆଣି କାମ କରୁଛନ୍ତି । ମାତ୍ର ୨୮ଟି କେନ୍ଦ୍ରରେ ପାଇଖାନା ଠିକ ଭାବେ ଚାଲିଛି । ଦୀର୍ଘ ୨ ବର୍ଷରୁ ଅଧିକ ହେଲା କୋଭିଡ଼ ଯୋଗୁଁ କେନ୍ଦ୍ର ଗୁଡ଼ିକ ବନ୍ଦ ଥିବା ବେଳେ ନୂଆଁ ତିଆରି କରିବା କିମ୍ବା ମରାମତି କରିବାରେ ସରକାର ଧ୍ୟାନ ଦେଇ ନ ଥିବାରୁ ବର୍ତ୍ତମାନ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବାକୁ ଲାଗିଛି । ଦେଓଗାଁ ବ୍ଳକରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନାରେ ଘୋର ବ୍ୟାଘାତ ଦେଖାଯାଉଛି । କର୍ମୀମାନଙ୍କ ଦରମାକୁ ନେଇ ବିବାଦ ଆରମ୍ଭ ହେବାକୁ ଯାଉଛି । ଯେହେତୁ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିଭାଗକୁ ପରିଚାଳନା କରୁଛନ୍ତି ତେଣୁ କର୍ମୀମାନେ ଅଲଗା ଅଲଗା ବିଲ କରି ମାସିକ ଦୁଇ ଥର ପାରିଶ୍ରମିକ ପାଉଥିବା ଅଭିଯୋଗ କରୁଛନ୍ତି । ସେହିପରି କ୍ରମାଗତ ଭାବେ ଅଣ୍ଠାର ମୂଲ୍ୟ ବଦ୍ଧି ହେଉଥିବା ବେଳେ ସେହି ଦରରେ ସରକାର ଯୋଗାଇ ଦେଉ ନାହାନ୍ତି । ତେଣୁ ବିଭିନ୍ନ ସମୟରେ ଯେତେ ପରିମାଣରେ ଅଣ୍ଠା ଦେବା କଥା ଦେବାରେ ଅସୁବିଧା ମଧ୍ୟ ହେଉଛି ବୋଲି କିଛି କର୍ମୀ ମତ ରଖିଛନ୍ତି । ତେଣୁ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଠିକ ଭାବେ ପରିଚାଳନା କରିବାକୁ ସାଧାରଣରେ ଦାବୀ ହେଉଛି ।