୩ ମରଣାନ୍ତକ ଆକ୍ରମଣକାରୀ ଗିରଫ : ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୭ ତାରିଖ ରାତିରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣର ୩ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗିର ଆଦର୍ଶ ଥାନା ପୋଲିସ ଗିରଫ କରିବା ସହ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିବାରେ ସଫଳ ହୋଇ ପାରିଥିବା ଆଦର୍ଶ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୧୭ ତାରିଖ ଦିନ ରାତି ପ୍ରାୟ ୯ଟା୪୫ମି.ରେ ପ୍ରହ୍ଲାଦ ମିଶ୍ର, ଯୋଗୀଜ୍ୟୋତି ଯୋଷୀ ଏବଂ ସନ୍ତୋଷ କୁମାର ସାହୁ ଏକ ବାଇକ୍‌ ସାହାଯ୍ୟରେ ନିଜ ଘରକୁ ଫେରିବା ସମୟରେ ରାଜୀବନଗର ସ୍ଥିତ ଚସ୍‌କା ଫେକ୍‌ଟାରୀ ନିକଟରେ ଆକ୍ରମଣର ଶିକାର ହୋଇଥିଲେ । ସେଠାରେ ଅଂଧାରରେ ଲୁଚିଥିବା ଟିଚୋ, ସ୍ଥାନୀୟ ଇନ୍ଦ୍ରାନଗରର ଟିଙ୍କ୍‌ଡ଼ୁ ଓରଫ୍‌ ସୁରଜ ପରଡ଼ିଆ (୨୨), କାହ୍ନା ପରଡ଼ିଆ (୨୦) ଓ ଶମ୍ଭୁ ସେଠ (୨୦) ଏବଂ ଆଉ କିଛି ମାରଣାସ୍ତ୍ର ଯଥା ଟାଙ୍ଗି, ଛୁରୀ, ଖଣ୍ଡା ଧରିଥିବା ବ୍ୟକ୍ତି ମିଶି ପ୍ରହ୍ଲାଦ ଓ ତାଙ୍କ ସହ ଥିବା ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ପ୍ରହ୍ଲାଦଙ୍କ ମୁହଁରେ ଚୋଟ ବାଜିବାରୁ ଗଭୀର କ୍ଷତ ହେବା ସହ ଡାହାଣ ଆଖି ଓ କାନରେ ଶକ୍ତ ଆଘାତ ଲାଗିଥିଲା । ଅନ୍ୟ ଦୁଇଜଣଙ୍କ ମୁଣ୍ଡ, ହାତ, ଗୋଡ଼ ତଥା ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଥିଲା । ତେବେ ସଂପୃକ୍ତ ତିନି ଆହତଙ୍କୁ ଟାଉନ୍‌ ପିସିଆର୍‌ ଭେନ୍‌ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ପହଂଚାଇଥିଲା । ପରେ ତାଙ୍କ ସ୍ଥିତି ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ମେଡ଼ିକାଲ୍‌ କଳେଜ୍‌କୁ ରେଫର୍‌ କରାଯାଇଥିଲା । ତେବେ ଥାନା ପକ୍ଷରୁ କେଶ୍‌ ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯିବା ପରେ ବିଭିନ୍ନ ସ୍ଥାନ ଚଢ଼ଉ କରାଯାଇ ତିନି ଜଣ ସଂପୃକ୍ତ ଘଟଣାର ମରଣାନ୍ତକ ଆକ୍ରମଣକାରୀଙ୍କୁ ଗିରଫ୍‌ କରିବା ସହ ଘଟଣାରେ ବ୍ୟବହୃତ ଗୋଟିଏ ଷ୍ଟିଲ୍‌ ଛୁରୀ, ଗୋଟିଏ ପୁରୁଣା ଷ୍ଟିଲ୍‌ ଡ଼ବଲ୍‌ ହେଡେ଼ଡ଼୍‌ ଛୁରୀ ଏବଂ ଗୋଟିଏ ଟାଙ୍ଗି ଜବତ୍‌ କରିବାରେ ପୁଲିସ ସଫଳ ହୋଇଛି ।

Leave A Reply

Your email address will not be published.