csstore

ଆଜାଦ୍ ହିନ୍ଦ୍ ଫୌଜର ସେନାନୀ ସ୍ବର୍ଗତ କୁରେସୀଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଶେଖ୍ ରାମଜାନ କୁରେସୀ ଆଜାଦ୍ ହିନ୍ଦ୍ ଫୌଜରେ ସାମିଲ ହୋଇଥିଲେ । ମଧ୍ୟ ପ୍ରଦେଶର ମୂଳ ନିବାସୀ ସ୍ବର୍ଗତ କୁରେସୀ ଗତ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ବରଗଡ଼ ଜିଲ୍ଲାର ମାଣ୍ତୋସିଲ ଗ୍ରାମକୁ ଆସି ସେଠାରେ ସ୍ଥାୟୀ ଭାବରେ ରହି ଆସୁଥିଲେ । ସ୍ବର୍ଗତ କୁରେସୀ ସପ୍ତାହିକ ବଜାର ବୁଲି ଛତା ଏବଂ ତାଲା ଚାବି ମରାମତି କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ଘରକୁ ଘର ବୁଲି ମହିଳା ମାନଙ୍କୁ ଚୁଡି ବିକ୍ରୀ କରୁଥିଲେ । କୁରେସୀଙ୍କ ଧର୍ମପତ୍ନୀ ମିନତ୍ ବାଈ ବି କୁରେସୀ ବେଗମ ଚୁଡି ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ସଂବାଦ ଗତ କିଛି ମାସ ତଳେ ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା । ଆଜି ଅପରାହ୍ନ ୨ଟା ୩୦ ମିଟର ସମୟରେ ସ୍ବର୍ଗତ କୁରେସୀଙ୍କ ଧର୍ମପତ୍ନୀ ମିନତ୍ ବାଈ ବି କୁରେସୀଙ୍କ ତାଙ୍କ ମାଣ୍ତୋସିଲ ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଯାଇଛି । ତାଙ୍କୁ ୭୦ ବର୍ଷ ହେଉଥିବା ବେଳେ ଗତ ଚାରି ପାଞ୍ଚ ଦିନ ହେଲା ଜ୍ବର ହେଉଥିବା କଥା ତାଙ୍କର ଏକମାତ୍ର ପୁତ୍ର ଅଲ୍ଲି ମହମ୍ମଦ କୁରେସୀଙ୍କ ଠାରୁ ସୂଚନା ମିଳିଛି । ଘରୋଇ ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ କୌଣସି ବଡ ହସପିଟାଲରେ ମୋର ମା’ଙ୍କ ଚିକିତ୍ସା କରି ପାରିଲିନାହିଁ ବୋଲି ଅଲ୍ଲି ମହମ୍ମଦ କୁରେସୀ କ୍ଷୋଭ ପ୍ରକାଶ କରିଛନ୍ତି । ବରତୁଣ୍ତା ଗ୍ରାମର କବରସ୍ଥାନ ଠାରେ ଯେଉଁଠାରେ ଶେଖ୍ ରାମଜାନ କ୍ବିରେସିଙ୍କ ୫ ବର୍ଷ ତଳେ କବର ଦିଆ ହୋଇଥିଲା, ତାଙ୍କ ପାଖରେ ମିନତ୍ ବାଈ ବି କୁରେସୀଙ୍କୁ କବର ଦିଆଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ମିନତ୍ ବାଈ ବି କୁରେସୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଗୋଟିଏ ସ୍ବାଧୀନତା ସଂଗ୍ରାମୀ ପରିବାରକୁ ରାଜ୍ୟ ସରକାର ସାମାନ୍ୟ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦେଇ ପାରିଲେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ସମାଜସେବୀ ତଥା ବରଗଡ଼ ଜିଲ୍ଲା ପ୍ରତିନିଧି ବିଜେପି ଲଳିତ ଜଗତ, ମାଣ୍ତୋସିଲ ଗ୍ରାମ୍ଯ କମିଟି ପୂର୍ବତନ ସଭାପତି ଶେଖ୍ ମହମ୍ମଦ ହନିଫ ପ୍ରମୁଖ ଶୋକ ପ୍ରକାଶ କରି ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

jayashree
Leave A Reply

Your email address will not be published.