jayashree

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

  • ଶିଶୁ ସୁରକ୍ଷା ନିମନ୍ତେ ପ୍ରତି ବିଭାଗ ଆନ୍ତରିକତାର ସହ କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଆଶୀର୍ବାଦ ଯୋଜନାରେ ପିତାମାତାଙ୍କୁ ହରାଇଥିବା ୨ ଜଣ ଶିଶୁ ମାନସ ହରିପାଳ ଏବଂ ମାନସୀ ହରିପାଳଙ୍କୁ ୧୦୦୦ ଟଙ୍କାର ଚେକ ପ୍ରଦାନ କରିବା ସହ ଅନ୍ୟ ୪ ଜଣ ଶିଶୁ ପୁଜା ମେହେର, ଏଲିନା ବଘାର, ତୁଳସୀ ବେହେରା, ଅପର୍ଣ୍ଣା ନନ୍ଦଙ୍କୁ ସ୍ୱତନ୍ତ୍ର ଯତ୍ନ ଶିଶୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହା ସହିତ ଦ୍ଵିତୀୟ କିସ୍ତିରେ ଜିଲ୍ଲାର ୩୫୫ ଜଣ ଶିଶୁଙ୍କୁ ଆଶୀର୍ବାଦ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସର୍ବମୋଟ ଏ ପର୍ଯ୍ୟନ୍ତ ଜିଲ୍ଲାର ୪୩୮ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ବୈଠକରେ ସିଡ଼ିପି ଓ ଚତୁର୍ଭୁଜ ଦାସ ସ୍ୱାଗତ କରିବା ସହ ଜିଲ୍ଲାରେ ପ୍ରତ୍ୟେକ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ତଥା ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ବିଭାଗଗୁଡିକ ମଧ୍ୟରେ ଉତ୍ତମ ସଂପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁମାନଙ୍କୁ ସୁରକ୍ଷାଦେବାକୁ ବୈଠକରେ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ୬ଟି ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ଶିଶୁ ତଥା କିଶୋର ଶ୍ରମିକ ଅବସ୍ଥା ଓ ନିରାକରଣ ବିଷୟରେ ଆଲୋଚନା ହୋଇଥିଲା । ପରେ ରେଆର ସଂଗଠନର ସମ୍ପାଦକ ତଥା ଚାଇଲଡ ଲାଇନ ନିର୍ଦେଶକ ଅନଙ୍ଗ ନେଗୀ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ସଦସ୍ୟ ମଧୁସୁଦନ ପଧାନ, ଜିଲ୍ଲା ଶ୍ରମ ଅଧିକାରୀ ଡ଼ିଲେଶ୍ଵର ଖାଖା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରାମର୍ଶଦାତା ରାକେଶ ପ୍ରଧାନ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ତଥା ଶିଶୁ ଶ୍ରମିକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସାଏ, ବିଶେଶ୍ୱର ହୋତା, ସ୍ୱାଗତ ରାଜ ମିଶ୍ର, ଯାଦବ ନାଗ ପ୍ରଭୁତି ସହଯୋଗ କରିଥିଲେ ।

Leave A Reply

Your email address will not be published.