
ବଙ୍ଗୋମୁଣ୍ଡା, (ଯୁଗଳ କିଶୋର ଶବର) : ବଙ୍ଗୋମୁଣ୍ଡା ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ଓ ଧାନ ଉଠାଣ ସମସ୍ୟାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅଜିତ ଯୋଶୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତିର ସମାଧାନ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଅନେକ ଦିନ ଧରି ପ୍ରାୟ ୧୦ ହଜାର ବସ୍ତା ଧାନ ମଣ୍ଡି ବାହାରେ ପଡ଼ି ରହିଥିଲା । ଚାଷୀମାନେ ଅଭିଯୋଗ କରିଥିଲେ ଯେ, ଅସଲି ଚାଷୀଙ୍କ ଧାନ ଉଠାଯାଉ ନଥିବା ବେଳେ ବେପାରୀମାନଙ୍କ ଧାନକୁ ମିଲରମାନେ ପ୍ରାଥମିକତା ଦେଇ ନେଉଛନ୍ତି । ଫଳରେ ଚାଷୀମାନେ ଭୟଙ୍କର ଅସୁବିଧାରେ ପଡ଼ିଥିଲେ । ଗତବର୍ଷ ମଧ୍ୟ ବଙ୍ଗୋମୁଣ୍ଡା ମଣ୍ଡିରେ ସମାନ ପରିସ୍ଥିତି ଦେଖାଦେଇଥିଲା । ଧାନ ଦୀର୍ଘଦିନ ଧରି ବାହାରେ ପଡ଼ି ରହିବାରୁ ଅନେକ ଚାଷୀଙ୍କ ଧାନ ଗଜା ହୋଇ ନଷ୍ଟ ହୋଇଯାଇଥିଲା । ଚଳିତ ବର୍ଷ ପୁଣି ସେହିଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଚାଷୀମାନେ ଅଜିତ ଯୋଶୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଚାଷୀଙ୍କ ଅଭିଯୋଗ ପାଇବା ପରେ ଅଜିତ ଯୋଶୀ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ତାଙ୍କ ହସ୍ତକ୍ଷେପ ପରେ ଧାନ ଉଠାଣ ପ୍ରକ୍ରିୟା ସୁଚାରୁ ହୋଇଥିବା ସହ ଚାଷୀମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହୋଇଥିବା ଜଣାପଡ଼ିଛି ।
