- ଜିଲ୍ଲାପାଳଙ୍କ କଥାକୁ ବି ଖାତିର କରୁନାହାନ୍ତି ସ୍ଥାନୀୟ ତହସିଲଦାର
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ତରଫରୁ ବ୍ରହ୍ମପୁର ଠାରେ ଏକ ପ୍ରେସ୍ମିଟ୍ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକ, ନାରାୟଣପୁର ପଞ୍ଚାୟତର ସତ୍ୟନାରାୟଣପୁର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜାଗାକୁ କିଛି ସ୍ଥାନୀୟ ଲୋକ ଜବର୍ ଦଖଲ କରିଥିବା ବିଷୟରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ବେଳେ ଏହାକୁ ତହସିଲଦାର୍ ଏବଂ ଅନ୍ୟ ଅଧିକାରୀମାନେ ବେଖାତିର ମନୋଭାବ ପ୍ରଦର୍ଶନ କରୁଥିବା ଦୃଢ଼ ଅଭିଯୋଗ କରାଯାଇଛି । ଏହାରି ବିରୁଦ୍ଧରେ ଆମ୍ ଆଦମୀ ପାର୍ଟି ପକ୍ଷରୁ କ୍ଷୋଭ ପ୍ରକାଶ କରି ଏହାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରାଯାଇଛି । ପ୍ରକାଶ ଥାଉକି, ସୋମବାର ବ୍ରହ୍ମପୁର ମହାନଗର ନିଗମର ଗଞ୍ଜାମ କଳା ପରିଷଦ ସଭା ଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପୁଙ୍ଖାନୁୁପୁଙ୍ଖ ଆଲୋଚନା ହୋଇଛି । ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ଏସମ୍ପର୍କରେ ବିଶଦ ସୂଚନା ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି ଶିକ୍ଷା ବ୍ୟବସ୍ଥା କେବଳ ଖାତା କଲମରେ ଚାଲିଛି । କେଉଁଠି ବିଦ୍ୟାଳୟରେ ଶିକ୍ଷକ ନଥିବା ସମସ୍ୟା, କୋଉଠି ମଧ୍ୟାହ୍ନ ଭୋଜନର ନାନା ଅସୁବିଧା ଦେଖାଦେଇଛି । ବିଦ୍ୟାଳୟର ଏକ ଜାଗାକୁ ହଡପ କରିବା ନେଇ ଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କିଛିଦିନ ତଳେ ସତ୍ୟନାରାୟଣପୁର ବିଦ୍ୟାଳୟର ଜାଗାକୁ ମାଡ଼ି ବସିବା, କଥା ଜାଣିଲା ପରେ, ନୀଳକଣ୍ଠ ରେଡ୍ଡୀ, ବ୍ଲକ ଶିକ୍ଷା ଅଧିକାରୀ, ତହସିଲଦାର ଓ ଆର.ଆଇଙ୍କୁ ଅବଗତ କରାଇଥିଲେ । ଏହା ସତ୍ୱେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଏହି ବିଷୟକୁ ଲିଖିତ ଆକାରରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗପତ୍ର ଦିଆଯାଇଥିଲା । କିଛିଦିନ ପରେ ପୁନର୍ବାର ଏକ ଅଭିଯୋଗପତ୍ର ଦିଆ ଗଲା, କିନ୍ତୁ, ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳଙ୍କ କଥାକୁ ବି ସ୍ଥାନୀୟ ତହସିଲଦାର ହେୟ ମନେ କରିବା, ନ ଶୁଣିବା, ଆଦି ଅଭିଯୋଗରେ ଶ୍ରୀ ରେଡ୍ଡୀ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଡିମାର୍କେସନ କରି ଉକ୍ତ ବିଦ୍ୟାଳୟର ଜାଗାକୁ ମାଡ଼ି ବସିଥିବା ଲୋକମାନଙ୍କୁ ଉଠାଇବା, ଉକ୍ତ ବିଦ୍ୟାଳୟର ଜାଗା ପରିସରକୁ ଖାଲି ରଖିଲେ, ଛାତ୍ରଛାତ୍ରୀମାନେ, ଖେଳକୁଦ ଆଦି କରିପାରିବେ ବୋଲି ମତପ୍ରକାଶ ପାଇଛି । ଯଦି ବିଦ୍ୟାଳୟର ଜାଗା ଗୁଡିକ ଏମିତି ସମସ୍ତେ ମାଡ଼ି ବସିବେ ଓ ଅଧିକାରୀ ମାନେ ଖାଲି ଖାତା କଲମରେ ବିଭାଗ ଚଲେଇବେ, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ଶ୍ରୀ ରେଡ୍ଡୀ ଗୁରୁତ୍ତ୍ୱାରୋପ କହିଛନ୍ତି । ଖଣି ଓ ଇସ୍ପାତ ପରିବହନ ମନ୍ତ୍ରୀଙ୍କ ରହୁଥିବା ଅଞ୍ଚଳରେ ଏଭଳି ଘଟଣାକୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆମ ଆଦମୀ ପାର୍ଟି । ଏହି ସମସ୍ୟାର ସମାଧାନ ନ ହେଲେ କୋର୍ଟର ଦ୍ୱାରସ୍ଥ ନେବେ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।