ଭୁବନେଶ୍ୱର, (କେପିଏନ୍ଏସ୍) : ଭୂସମ୍ପଦ ତଥ୍ୟାବଳୀ ରଥ ବା ଲ୍ୟାଣ୍ଡ ରିସୋର୍ସ ଇନଭେଣ୍ଟରିର ଶୁଭାରମ୍ଭ ଆଜି କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ କରକମଳରେ ଅନୁଷ୍ଠିତ ହୋଇଛି । ଏଲ. ଆର୍. ଆଇ ଯାତ୍ରା ରିୱାର୍ଡ ପାଇଲଟ ପ୍ରକଳ୍ପ ଅନ୍ତର୍ଗତ ୫ଟି ଜିଲ୍ଲା (ନୟାଗଡ, କୋରାପୁଟ, ସମ୍ବଲପୁର, ଢେଙ୍କାନାଳ ଏବଂ ଦେବଗଡ଼)ର ବିଭିନ୍ନ ଗ୍ରାମପଞ୍ଚାୟତରେ ଆରମ୍ଭ ହେବ । ଏଥିରେ ଦେବଗଡ଼ ଜିଲ୍ଲାର ୮ଟି, ଢେଙ୍କାନାଳର ୧୪ଟି, କୋରାପୁଟର୧୬ଟି, ନୟାଗଡର ୧୯ ଟି ଏବଂ ସମ୍ବଲପୁରର ୨୨ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଅଟେ । ଉପରୋକ୍ତ ଜିଲ୍ଲା ମାନଙ୍କରେ ଭୂସମ୍ପଦ ତଥ୍ୟାବଳୀ ରଥ ଆଜି ଠାରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଲେ ଯେ, ଭୂସମ୍ପଦ ତଥ୍ୟକୁ ବ୍ୟବହାର କରି ଏଲ. ଆର୍. ଆଇ କାର୍ଡ ପ୍ରସ୍ତୁତ କରାଯାଇଛି । ଏହି କାର୍ଡ ବ୍ୟବହାର କରି ଚାଷୀ ଭାଇ ଓ ଭଉଣୀମାନେ ଜମିର ଉପାଦେୟତା, ଉପଯୁକ୍ତ ଫସଲ, ମାଟିର ସମସ୍ୟା ଓ ପ୍ରସ୍ତାବିତ ଉପଚାର ସମ୍ପର୍କରେ ଜାଣିପାରିବେ । ଏହି କାର୍ଡର ବ୍ୟବହାର ଦ୍ଵାରା ଚାଷୀ ଭାଇ ଓ ଭଉଣୀ ମାନେ ନିଜ ଜମିର ବିଭିନ୍ନ ଭୌତିକ ଓ ରାସାୟନିକ ଗୁଣବତ୍ତା ବିଷୟରେ ଜାଣିବା ସହ ଫସଲ ଚୟନ, ସାର ପରିଚାଳନା, ମୃତ୍ତିକା ସଂରକ୍ଷଣ ଉପାୟ ଓ ଉପଯୁକ୍ତ ଜଳ ସଂରକ୍ଷଣ ପଦ୍ଧତି ଆଦି ନିର୍ଦ୍ଧାରଣ କରିପାରିବେ । ଏଲ. ଆର୍. ଆଇ ତଥା ବିଜ୍ଞାନ ଭିତ୍ତିକ ଜଳ ବିଭାଜିକା ପରିଚାଳନା ସମ୍ଵନ୍ଧରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅବଗତ କରାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି ଯାତ୍ରା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ନିର୍ଦ୍ଦେଶାଳୟ ଦ୍ୱାରା ଆବଣ୍ଟିତ ଏଲଆରଆଇ କାର୍ଡ଼ର ଉପାଦେୟତା ସମ୍ପର୍କରେ ଚାଷୀମାନେ ବିଶେଷ ଭାବରେ ଅବଗତ ହୋଇପାରିବେ । ଏତଦ୍ ବ୍ୟତୀତ ଉପ ଜଳବିଭାଜିକା ଅନ୍ତର୍ଗତ ନୂତନ କାର୍ଯ୍ୟର ଶୁଭାରମ୍ଭ ଓ ଭୂମି ପୂଜନ, ଏଲଆରଆଇ ମହୋତ୍ସବ, ଶ୍ରମଦାନ, ପାନୀ କି ପାଠଶାଲା ତଥା ପୂର୍ବ ସମ୍ପାଦିତ କାର୍ଯ୍ୟାବଳୀର ଲୋକାର୍ପଣ ମଧ୍ୟ ହେବ । ସଂପୃକ୍ତ ଜଳ ବିଭାଜିକା ଅଞ୍ଚଳ ଅନ୍ତର୍ଗତ ଚାଷୀ ସମୂହଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ । ଏଲ. ଆର୍. ଆଇ କାର୍ଡର ତଥ୍ୟାବଳୀକୁ ବ୍ୟବହାର କରି ଲାଭବାନ ହୋଇଥିବା ଚାଷୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବାର ପରିକଳ୍ପନା କରାଯାଇଅଛି ବୋଲି କୃଷି ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଥିଲେ । ତତ୍ ସହିତ ଆଗାମୀ ପିଢ଼ିକୁ ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା ପରିଚାଳନା ସମ୍ଵନ୍ଧରେ ଅବଗତ କରାଇବା ପାଇଁ ପଞ୍ଚାୟତ ସ୍ତରରେ ବିଦ୍ୟାଳୟମାନଙ୍କରେ କୁଇଜ ପ୍ରତିଯୋଗିତା ଆୟୋଜନ ହେବ । ଏହି ଯାତ୍ରାରେ ନିୟୋଜିତ ଭୁସମ୍ବଳ ତଥ୍ୟାବଳୀ ରଥର ଗତିବିଧି ଏମଆଇଏସ୍ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପର୍ଯ୍ୟବେକ୍ଷଣ କରାଯିବ । ଏହାର ସୁବ୍ୟବହାର ଦ୍ଵାରା ଜଳ ବିଭାଜିକା ଅଞ୍ଚଳରେ ଫସଲ ଅମଳ ବୃଦ୍ଧି ହେବାସହ ମୃତ୍ତିକା ଓ ଜଳ ସଂରକ୍ଷଣ ହୋଇପାରିବ ଯାହାକି ଜଳ ଛାୟା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା, କୃଷି ଅଧିକାରୀ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।