ଭାରତର ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥାରେ ଅନୁଷ୍ଠାନ, ଆଇନ, ନିୟାମକ ଏବଂ କ୍ଷମତା ନିର୍ମାଣର ଭୂମିକା ବିଶ୍ଳେଷଣ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର

● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ (ଏଚ୍‌ଏଡିଆର୍‌) କାର୍ଯ୍ୟରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ମୁକାବିଲାକାରୀ ରୂପେ ଉଭା ହୋଇଛି : ଡକ୍ଟର ପି.କେ. ମିଶ୍ର
● ବାଙ୍ଗାଲୋର ଆଇଆଇଏମ୍‌ର ସେଣ୍ଟର ଫର୍ ପବ୍ଲିକ୍ ପଲିସିର ପ୍ରତିଷ୍ଠା ଦିବସ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କଲେ ଡକ୍ଟର ପିକେ ମିଶ୍ର

ବାଙ୍ଗାଲୋର, (ପିଆଇବି) : ଆର୍ଥିକ ବ୍ୟବସ୍ଥା, ସଂସ୍ଥାଗତ ବିକାଶ ଏବଂ କ୍ଷମତା ନିର୍ମାଣରେ ନିବେଶ ଏକ ବ୍ୟାପକ ଫଳାଫଳ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର କହିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଭାରତର ବିକଶିତ ବିପର୍ଯ୍ୟୟ ବିପଦ ପ୍ରଶମନ ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବିପର୍ଯ୍ୟୟ ସମ୍ବନ୍ଧୀୟ ମୃତ୍ୟୁହାର ହ୍ରାସ । ବାଙ୍ଗାଲୋର ଆଇଆଇଏମ୍‌ର ସେଣ୍ଟର ଫର୍ ପବ୍ଲିକ୍ ପଲିସିର ପ୍ରତିଷ୍ଠା ଦିବସ ରୌପ୍ୟ ଜୟନ୍ତୀ ସମାରୋହକୁ ସମ୍ବୋଧିତ କରି ଡକ୍ଟର ପିକେ ମିଶ୍ର ଏହା କହିଛନ୍ତି । ଏକ ବ୍ୟାପକ ଆଭିମୁଖ୍ୟ ସହିତ ଗୁଜରାଟ ଭୂମିକମ୍ପ ପୁନରୁଦ୍ଧାର କାର୍ଯ୍ୟକ୍ରମ ଦେଶର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାରେ କିପରି ସାହାଯ୍ୟ କରିଥିଲା ତାହା ସେ ବୁଝାଇ କହିଥିଲେ । ଡକ୍ଟର ପି.କେ ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ ଉନ୍ନତ ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସଂସ୍ଥାଗତ ଦୃଢ଼ତା, ଉତ୍ତମ ଯୋଜନା ଏବଂ ଅଧିକ ପ୍ରତିକ୍ରିୟାଶୀଳ ଆର୍ଥିକ ସହାୟତାର ମିଳିତ ପ୍ରଭାବ ଯୋଗୁଁ ଅପ୍ରତ୍ୟାଶିତ ଏବଂ ଧୀର ବିପଦ ଉଭୟ କ୍ଷେତ୍ରରେ ମୃତ୍ୟୁହାର ସ୍ଥିର ଭାବରେ ହ୍ରାସ ପାଇଛି । ଭାରତ ଏକ ସ୍ୱାକ୍ଷରକାରୀ ଥିବା ସେଣ୍ଡାଇ ଫ୍ରେମୱାର୍କ ଫର ଡିଜାଷ୍ଟର ରିକ୍ସନ ଅଧୀନରେ ମୂଳ ପ୍ରତିବଦ୍ଧତା ସହିତ ଏହା ସମାନ ବୋଲି ସେ କହିଛନ୍ତି । ‘‘ଗୁଜରାଟରୁ ମିଆଁମାର : ଗତ ୨୫ ବର୍ଷ ମଧ୍ୟରେ ଭାରତର ବିପର୍ଯ୍ୟୟ ପ୍ରଶମନ ନୀତି ଏବଂ ଅଭ୍ୟାସର ବିବର୍ତ୍ତନ’’ ଶୀର୍ଷକ ବିଷୟବସ୍ତୁ ଉପରେ ବକ୍ତବ୍ୟ ରଖି ଡକ୍ଟର ପି.କେ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସଂକଳ୍ପ ଉପରେ ଆଲୋକପାତ କରିଥିଲେ । ଗତ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତର ବିପର୍ଯ୍ୟୟ ପ୍ରଶମନ ନୀତି ଓ ଅଭ୍ୟାସ କିଭଳି ବଦଳିଛି ତାହା ଉପରେ ସେ ଆଲୋଚନା କରିଥିଲେ । ଡକ୍ଟର ପି.କେ ମିଶ୍ର କହିଥିଲେ ଯେ, ଭାରତରେ ବିପର୍ଯ୍ୟୟ ବିପଦ ପରିଚାଳନାରେ ଅନେକ ପରିବର୍ତ୍ତନ ଘଟିଛି । ଡକ୍ଟର ମିଶ୍ର ତାଙ୍କ ଆଲୋଚନାରେ ୧୯୯୧ ମସିହାରେ ଓଡ଼ିଶା ମହାବାତ୍ୟା, ୨୦୦୧ ମସିହାରେ ଗୁଜରାଟ ଭୂମିକମ୍ପ ଏବଂ ୨୦୦୪ ମସିହାରେ ଭାରତ ମହାସାଗର ସୁନାମି ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏସବୁ ବିପର୍ଯ୍ୟୟ ଅନେକ ଶିକ୍ଷା ଦେଇଥିଲା ବୋଲି ସେ କହିଥିଲେ । ଡକ୍ଟର ମିଶ୍ର ଆହୁରି କହିଥିଲେ, ୧୯୯୩ର ଲାଟୁର ଭୂମିକମ୍ପ ଏବଂ ୨୦୦୫ର କାଶ୍ମୀର ଭୂମିକମ୍ପ ଭଳି ଅନ୍ୟାନ୍ୟ ଘଟଣା ମଧ୍ୟ ଘଟିଥିଲା । ଏହାବ୍ୟତୀତ, ଅନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦଶନ୍ଧି (ଆଇଡିଏନ୍‌ଡିଆର୍‌) ୧୯୯୦-୧୯୯୯, ହ୍ୟଗୋ ଫ୍ରେମୱାର୍କ ଫର୍ ଆକ୍ସନ୍ (ଏଚ୍‌ଏଫ୍‌ଏ) ୨୦୦୦-୨୦୧୫ ଏବଂ ସେଣ୍ଡାଇ ଫ୍ରେମୱାର୍କ ୨୦୧୫-୨୦୩୦ ଭଳି ବିଶ୍ୱସ୍ତରୀୟ ନୀତି ପ୍ରକ୍ରିୟା ଆମର ଚିନ୍ତାଧାରା ଏବଂ ଅଭ୍ୟାସକୁ ବହୁଳ ଭାବରେ ପ୍ରଭାବିତ କରିଥିଲା ବୋଲି ସେ କହିଥିଲେ । ବ୍ୟାପକ ପ୍ରତିକ୍ରିୟା ଓ ପୁନଃନିର୍ମାଣ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ, ଡକ୍ଟର ପି.କେ. ମିଶ୍ର ମତ ରଖିଥିଲେ । ଏକ ଆଇନଗତ ଢାଞ୍ଚା, ନିୟାମକ ସଂସ୍କାର, ତାଲିମ ଓ ଜ୍ଞାନ ନେଟୱାର୍କ, ନିର୍ମାଣ ନିୟାମକ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ନିର୍ମାଣ ମାଧ୍ୟମରେ ବିପର୍ଯ୍ୟୟ ପ୍ରଶମନକୁ ସଂସ୍ଥାଗତ ରୂପ ଦେବା ପାଇଁ ପ୍ରଭାବଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । ଗୁଜରାଟ ପଦକ୍ଷେପର ଗୁରୁତ୍ୱ ବିଷୟରେ ଆଲୋଚନା କରି ଡକ୍ଟର ମିଶ୍ର ଗୁଜରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଜିଏସ୍‌ଡିଏମ୍‌ଏ) ଦ୍ୱାରା ଗ୍ରହଣ କରାଯାଇଥିବା ବହୁବିଧ କାର୍ଯ୍ୟକଳାପର ତାଲିକା ଦେଇଥିଲେ । ଏହା ପ୍ରତିକ୍ରିୟା ଏବଂ ରିଲିଫ୍ ଠାରୁ ବହୁ ଆଗକୁ ବଢ଼ି ଭୂମିକମ୍ପ ପୁନଃନିର୍ମାଣ କାର୍ଯ୍ୟ କରିଥାଏ । ଏହାସହିତ ନୀତି ଓ ଆଇନ ପ୍ରଣୟନ; ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି; ପ୍ରସ୍ତୁତି ପଦକ୍ଷେପ; ଦକ୍ଷତା ନିର୍ମାଣ; ପ୍ରଶମନ ପଦକ୍ଷେପ; ଏବଂ ସଚେତନତା ଓ ଜନସାଧାରଣଙ୍କ ପ୍ରସ୍ତୁତି ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରିଥାଏ । ‘‘ଏକ ଆଧାର ଭାବେ ପାଣ୍ଠିଯୋଗାଣ: ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ପାଣ୍ଠି ଯୋଗାଣ ବିଷୟବସ୍ତୁ ଉପରେ ମତ ରଖି ଡକ୍ଟର ମିଶ୍ର ଜୋର ଦେଇ କହିଥିଲେ, ନୂଆ ପାଣ୍ଠି ଯୋଗାଣ ଢାଞ୍ଚାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାରଗତ ଯୋଗଦାନ ହେଉଛି, ବିପର୍ଯ୍ୟୟ ପ୍ରଶମନ, ପୁନରୁଦ୍ଧାର ଓ ପୁନର୍ଗଠନ, ପ୍ରସ୍ତୁତି ଓ ପ୍ରଶମନ ଆଦି ଭିନ୍ନ କିନ୍ତୁ ପରସ୍ପର ନିର୍ଭରଶୀଳ କାର୍ଯ୍ୟ ବିପର୍ଯ୍ୟୟ ପ୍ରଶମନରେ ସାମିଲ ରହିଛି । ସାମ୍ପ୍ରତିକ ସମୟରେ ବିପର୍ଯ୍ୟୟ ପ୍ରଶମନରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଫଳତା ବିଷୟରେ ଡକ୍ଟର ପି.କେ. ମିଶ୍ର ଆଲୋଚନା କରିଥିଲେ । ସେ ପ୍ରମୁଖ ସଫଳତାଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ । ଏଥିରେ ପ୍ରଗତିକୁ ଗୁରୁତ୍ୱ ଦିଆଯାଇଥିବା ସେ କହିଥିଲେ । ଘୂର୍ଣ୍ଣିବାତ୍ୟା ଜନିତ ମୃତ୍ୟୁହାରରେ ନାଟକୀୟ ହ୍ରାସ; ଜାତୀୟ ଓ ରାଜ୍ୟ ସ୍ତରରେ ପ୍ରତିକ୍ରିୟା କ୍ଷମତା ବୃଦ୍ଧି; ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଦ୍ରୁତ ଏବଂ ସ୍ୱଚ୍ଛ ରିଲିଫ୍ ବଣ୍ଟନ; ବିପର୍ଯ୍ୟୟ ପରବର୍ତ୍ତୀ ସାମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା; ଉନ୍ନତ କ୍ଷୟକ୍ଷତି ଆକଳନ ଓ ସ୍ଥିର ପୁନରୁଦ୍ଧାର; ଏବଂ ମାନବିକ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ (ଏଚ୍‌ଏଡିଆର୍‌) କ୍ଷେତ୍ରରେ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ସହାୟତା ଏବଂ ନେତୃତ୍ୱ ଭାରତର ଉପଲବ୍ଧିରେ ସାମିଲ ରହିଥିବା ସେ କହିଥିଲେ । ଆଜି ଭାରତର ବିପର୍ଯ୍ୟୟ ପ୍ରଶମନ ବିକାଶ ଏକ ପଦ୍ଧତିଗତ ଏବଂ ସମନ୍ୱିତ ପଦ୍ଧତିକୁ ପ୍ରତିଫଳିତ କରେ । ପ୍ରଯୁକ୍ତିବିଦ୍ୟା, ସାଂସ୍ଥାଗତ କ୍ଷମତା, ଜନସାଧାରଣଙ୍କ ସମ୍ପୃକ୍ତି ଏବଂ ସାମାଜିକ ସୁରକ୍ଷା ଏଥିରେ ସାମିଲ ରହିଛି । ଏହି ସଫଳତାଗୁଡ଼ିକ ଭାରତକୁ କେବଳ ଏକ ଆଞ୍ଚଳିକ ନେତା ଭାବରେ ନୁହେଁ ବରଂ ବିପର୍ଯ୍ୟୟ ବିପଦ ପରିଚାଳନାରେ ଏକ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ମଡେଲ ଭାବରେ ସ୍ଥାନିତ କରେ । ଏହି ଗତିକୁ ବଜାୟ ରଖିବା, ନୂତନ ବିପଦ କ୍ଷେତ୍ର (ଯଥା, ସହରାଞ୍ଚଳ ବନ୍ୟା, ଗ୍ରୀଷ୍ମପ୍ରବାହ)ରେ ପ୍ରସ୍ତୁତିକୁ ଗଭୀର କରିବା ଏବଂ ପୁନରୁଦ୍ଧାର ଓ ବିକାଶର ସମସ୍ତ ଦିଗରେ ଜଳବାୟୁ ସ୍ଥିରତାକୁ ସମାହିତ କରିବା ଆଗାମୀ ଆହ୍ୱାନ ବୋଲି ସେ କହିଥିଲେ । ଡକ୍ଟର ପି.କେ. ମିଶ୍ର ଆହୁରି କହିଥିଲେ, ଜଳବାୟୁ ପରିବର୍ତ୍ତନ, ଭୂ-ରାଜନୈତିକ ବିକାଶ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଉପୁଜୁଥିବା ଆହ୍ୱାନ ପରିପ୍ରେକ୍ଷୀରେ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥାର ଗତିଶୀଳତା ରହିବା ଆବଶ୍ୟକ । ଆମକୁ ଏକ ସକ୍ରିୟ, ପୁନରାବୃତ୍ତିମୂଳକ ଏବଂ ଅଭ୍ୟାସ-ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ ଯେଉଁଠାରେ ପ୍ରତ୍ୟେକ ସଂସ୍କାର ଅନ୍ୟ ଗୋଟିଏକୁ ମଜବୁତ କରିବ । ଏଠାରେ ଯେପରି ସମସ୍ତ ଉପାଦାନ ସମ୍ବଳ, ସୁରକ୍ଷା ଏବଂ ସୁଯୋଗ ପାଇଁ ଲୋକଙ୍କ ପ୍ରବେଶକୁ ଉନ୍ନତ କରିବା ପାଇଁ ଏକତ୍ରିତ ହେବ ବୋଲି ସେ କହିଥିଲେ । ଡକ୍ଟର ପି.କେ. ମିଶ୍ର ଗୁରୁତ୍ୱାରୋପ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ସହାୟତା (ଏଚ୍‌ଏଡିଆର୍‌) କାର୍ଯ୍ୟରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ମୁକାବିଲାକାରୀ ଭାବରେ ଉଭା ହୋଇଛି, ଯାହା ସଙ୍କଟ ସମୟରେ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସଂହତି ପ୍ରତି ଏହାର ବର୍ଦ୍ଧିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଦେଶର ପ୍ରଶିକ୍ଷିତ ଏବଂ ସଜ୍ଜିତ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନ୍‌ଡିଆର୍‌ଏଫ୍‌) ଏବଂ ସଶସ୍ତ୍ର ବାହିନୀ ମାଧ୍ୟମରେ, ଭାରତ ନେପାଳ (୨୦୧୫ ଭୂମିକମ୍ପ), ତୁର୍କୀ (୨୦୨୩ ଭୂମିକମ୍ପ) ଏବଂ ମିଆଁମାର (୨୦୨୫ ଭୂମିକମ୍ପ) ଭଳି ଦେଶଗୁଡ଼ିକୁ ସମୟୋଚିତ ବିପର୍ଯ୍ୟୟ ପ୍ରତିକ୍ରିୟା ସହାୟତା ପ୍ରଦାନ କରିଛି । ଡକ୍ଟର ମିଶ୍ର କହିଥିଲେ, ଭାରତ ନେତୃତ୍ୱରେ ସଂସ୍ଥାଗତ ନବସୃଜନର ଏକ ସମ୍ଭାବନାପୂର୍ଣ୍ଣ ଉଦାହରଣ ହେଉଛି ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ମେଣ୍ଟ (ସିଡିଆର୍‌ଆଇ) । ଏହା ବିଶ୍ୱ ସ୍ତରରେ ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠିତ ଏକ ବହୁପକ୍ଷୀୟ ମଞ୍ଚ । ଭାରତ ଦ୍ୱାରା ପରିକଳ୍ପିତ ଏବଂ ଆରମ୍ଭ ହୋଇଥିବା ସିଡିଆର୍‌ଆଇ ଏକ ନୂଆ ପିଢ଼ିର ସ୍ୱତନ୍ତ୍ର ପ୍ରତିଷ୍ଠାନକୁ ପ୍ରତିନିଧିତ୍ୱ କରେ ଯାହା ଏକ କେନ୍ଦ୍ରିତ କ୍ଷେତ୍ର ସୁଦୃଢ଼ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଥାଏ ତଥା ବିଶ୍ୱସ୍ତରୀୟ ସହଯୋଗ ଓ ଜ୍ଞାନ ବିନିମୟକୁ ସହଜ କରିଥାଏ ।

jittmm
Leave A Reply

Your email address will not be published.