ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନର ନିରପେକ୍ଷ ତଦନ୍ତ ପାଇଁ ଦାବୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଭରତପୁର ଥାନାରେ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ରାଉରକେଲା ଅବସର ପ୍ରାପ୍ତ ପୋଲିସ ଅଫିସର କଲ୍ୟାଣ ଆସୋସିଏସନ ତରଫରୁ ଉଦବେଗ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିକଟରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ଭରତପୁର ଥାନାକୁ ଯାଇ ଚନ୍ଦକା ଅଂଚଳରୁ ଫେରୁଥିବା ବେଳେ ରାସ୍ତାରେ କିଛି ଯୁବକଙ୍କ ସହ ତାଙ୍କର ବଚସା, ମାଡିପିଟ ହୋଇଥିବାରୁ ରିପୋର୍ଟ ଦେବାପାଇଁ ଯାଇଥିଲେ । ଥାନାରେ ଥିବା ଏସଆଇ ବୈଶାଳୀନୀ ପଣ୍ଡାଙ୍କୁ ରିପୋର୍ଟ କରିବାରୁ ଆଇଆଇସି ଦୀନକୃଷ୍ଣ ପଣ୍ଡା ସେମାନଙ୍କୁ ଲିଖିତ ରିପୋର୍ଟ ଦେବାପାଇଁ କହିଥିଲେ ଯାହାକୁ ନେଇ ଦୁଇପକ୍ଷଙ୍କ ଭିତରେ ପାଟିତୁଣ୍ଡ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ସେମାନଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଆଳ କରି ମେଜର ଗୁରୁବଂଶ ସିଂ ଓ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନ ବିଭିନ୍ନ ଗଣମାଧ୍ୟମରେ ମନଗଢା ବୟାନ ଦେଇ ତଦନ୍ତକୁ ଦିଗହରା କରାଇବାର ପ୍ରଚେଷ୍ଟା କରୁଛନ୍ତି । ପୋଲିସ ଡିଜି ସେତେବେଳେ ଉପସ୍ଥିତ ଥିବା ଥାନାର ଷ୍ଟାଫଙ୍କୁ ନିଲମ୍ବିତ କରିବା ସହ କ୍ରାଇମ୍‌ ବ୍ରାଞ୍ଚକୁ ତଦନ୍ତଭାର ଅର୍ପଣ କରିଛନ୍ତି ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଘଟଣାର ସତ୍ୟାସତ୍ୟ ନଜାଣି ବିଭିନ୍ନ ବ୍ୟକ୍ତିବିଶେଷ ଓ ରାଜନୈତିକ ଦଳ ଖାଲି ପୋଲିସ ମୁଣ୍ଡରେ ଅଠା ବୋଲିବାକୁ ଭୁଲୁନାହାନ୍ତି । ଘୁରି ବୁଲୁଥିବା ସୋସିଆଲ ମିଡ଼ିଆ ଅନୁଯାୟୀ ଥାନାକୁ ଆସିବା ପୂର୍ବରୁ ରାସ୍ତାରେ କିଛି ଯୁବକଙ୍କ ସହ ସେ ଦୁଇ ଜଣଙ୍କର ଝଗଡାଝାଟି ଓ ମାଡିପିଟ ହୋଇଥିଲା । ଯାହା ତଦନ୍ତ ପରିସରକୁ ଆସିବା ଦରକାର କିନ୍ତୁ କେବଳ ପୋଲିସ ମୁଣ୍ଡରେ ଅଠାବୋଳି ଦେବାକୁ ଜୋରସୋର ପ୍ରୟାସ ହେଉଛି । ତେଣୁ ଏକ ନିରପେକ୍ଷ ତଦନ୍ତ କରାଯାଇ ସତ୍ୟ ଘଟଣାକୁ ସାମ୍ନାକୁ ଆଣିବାକୁ ଆସୋସିଏସନର ସଭାପତି ବିଶ୍ୱମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ, ଉପସଭାପତି ଯଦୁମଣି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ରଂଜିତ କୁମାର ଭୋଇ, କୀର୍ତ୍ତନ ଚରଣ ସାମଲ, ଶ୍ରୀନିବାସ ଦାସ, ପିତାମ୍ବର କୁଅଁର ଓ ଅନ୍ୟମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.