ହାଇଦ୍ରାବାଦ୍, (କେପିଏନ୍ଏସ୍) : ପଶ୍ଚିମ ଓଡିଶାର ଅତି ପ୍ରାଚୀନ ତଥା ଶକ୍ତି, ଭକ୍ତି, ସମର୍ପଣ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ‘ଡାଲଖାଇ’କୁ ପ୍ରୋତ୍ସାହନ ପାଇଁ ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ଡାଲଖାଇ ପୁରସ୍କାର ଘୋଷଣା ହୋଇଥିଲା । କମ୍ ସମୟର ସୂଚନାରେ ମଧ୍ୟ ଷୋହଲଟି ଦଳ ଅଂଶଗ୍ରହଣ କରିଥିଲେ । ପଶ୍ଚିମ ଓଡିଶାର ଭାଇ ଭଉଣୀଙ୍କ ମହାନ୍ ପର୍ବ ଭାଇଜିଉଁତା ତଥା ଦୁର୍ଗାପୂଜା ଅବସରରେ ଯେଉଁ ଗ୍ରାମରେ ଯେମିତି ଭାବରେ ଡାଲଖାଇ ନୃତ୍ୟ ପରିବେଷଣ କରନ୍ତି ତାହାର ଛୋଟ ଭିଡ଼ିଓ ପଠେଇବାକୁ ଅନୁରୋଧ କରାଯାଇଥିଲା । ଏଥିରେ ବଲାଙ୍ଗିର, ବରଗଡ଼ ଓ ନୁଆଁପଡ଼ା ଜିଲ୍ଲାର ଗ୍ରାମାଞ୍ଚଳର ଦଳ ସବୁ ଅଂଶଗ୍ରହଣ ସୂଚାଇ ଦେଲେ ଯେ, ଏବେ ମଧ୍ୟ ଏସବୁ ଜିଲ୍ଲାରେ ଡାଲଖାଇ ନୃତ୍ୟ ବଂଚି ରହିଛି । ଶ୍ରେଷ୍ଠ ଦଳ ବାଛିବାକୁ ବିଚାରକୁ ମଣ୍ଡଳୀରେ ଥିଲେ ପଦ୍ମଶ୍ରୀ ଲୋକକବି ରତ୍ନ ଡ. ହଳଧର ନାଗ, ସଂସ୍କୃତି ବିଷାରଦ ପଣ୍ଡିତ ଡ. ଘାସିରାମ ମିଶ୍ର, ଗବେଷକ ସୁରେନ୍ଦ୍ର ସାହୁ, ସଂସ୍କୃତି ସଂଗଠକ ଚୌଧୁରୀ ବିଭାର, ବିଶିଷ୍ଟ ସଙ୍ଗୀତକାର ସର୍ବେଶ୍ଵର ଭୋଇ ଏବଂ ଜଣାଶୁଣା କଣ୍ଠଶିଳ୍ପୀ ଆରତୀ କୁମ୍ଭାର । ସମସ୍ତେ ଓସାକାର ପ୍ରୋତ୍ସାହନ ଭଳି ମହତ୍ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶାର ସମସ୍ତ ଦୂର୍ଗାପୂଜା କମିଟିମାନଙ୍କୁ ନିଜ ନିଜ ଅଂଚଳର ଡାଲଖାଇ ନୃତ୍ୟକୁ ଦଶହରା ପୂଜା ବେଳେ ସାମିଲ କରି ପ୍ରୋତ୍ସାହନ ଦେବାକୁ ‘ଓସାକା’ ତରଫରୁ ଅନୁରୋଧ କରାଯାଇଥିଲା । ବିଜେତା ଭାବେ ବଲାଙ୍ଗିର ଜିଲ୍ଲା ଗଣ୍ଡପାଲି ଗ୍ରାମର ଅହଲ୍ୟା ପୋଢ଼ ଏବଂ ସାଥୀ ଦଳ ଜଏ ମାଁ ସମଲେଇ ପୁରନା ଡାଲଖାଇ ପାର୍ଟି ପ୍ରଥମ ପୁରସ୍କାର ପାଇଛନ୍ତି । ଦ୍ଵିତୀୟ ପୁରସ୍କାର ମିଳିଛି ବଲାଙ୍ଗିର ଜିଲ୍ଲା ଗଣ୍ଡପାଲି ଗ୍ରାମର କୁମାରୀ ନାଗ ଏବଂ ସାଥୀ ଦଳକୁ ଓ ତୃତୀୟ ପୁରସ୍କାର ବରଗଡ଼ ଜିଲ୍ଲା ଗୁଏ ବାହାଲି ଗାଁର ଦଳ ପାଇଛନ୍ତି । କିଛି ଦଳକୁ ଜୁରୀ ପୁରସ୍କାର ମଧ୍ୟ ଦିଆଯାଇଛି । ‘ଓସାକା’ର ଫେସବୁକ୍ ପେଜ୍ ଏବଂ ୟୁଟୁବ ଚେନାଲରେ ଫଳାଫଳ ଉପଲବ୍ଧ ଅଛି । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅର୍ଜୁନ କୁମାର ସାହୁ, ମୁରଲୀ ସିକା, ଧରମ ସିଂ ଧରୁଆ ଏବଂ ଭରତ ସାହୁ । ସଫଳତାର ସହ ଓସାକା ଡାଲଖାଇ ପୁରସ୍କାର ୨୦୨୩ ଶେଷ ହୋଇଥିବାରୁ ବିଜେତା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ଦଳକୁ ‘ଓସାକା’ର ସଭାପତି ରାମକୃଷ୍ଣ ବାରିକ୍, ଉପ ସଭାପତି ଶଙ୍କର ସାହୁ ଏବଂ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାମଲ ଧନ୍ୟବାଦ୍ ଜଣାଇଛନ୍ତି । ଯଥାଶୀଘ୍ର ବିଜେତା ଦଳକୁ ପୁରସ୍କାର ରାଶି ଏବଂ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଓସାକାର କାର୍ଯ୍ୟକାରୀ ସଦସ୍ୟ ପ୍ରତ୍ୟୁଷ ମିଶ୍ର ସୂଚନା ଦେଇଛନ୍ତି ।