
ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ଖବର କାଗଜରେ ପ୍ରକାଶିତ ସମ୍ବାଦରୁ ଜଣାଯାଏ ଯେ, ଓଡିଶା ରାଜ୍ୟ ସରକାର ଓବିସି ପଛୁଆବର୍ଗର ଜନଗଣନା କରିବାକୁ ଯାଉଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟ ଓବିସି ମଞ୍ଚ ସ୍ୱାଗତ କରିଛି ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛି ବୋଲି ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିରର ସଂଖ୍ୟାନୁପାତିକ ସଂରକ୍ଷଣ ଓ ଓବିସି ଜନଗଣନା ପାଇଁ ଦିଆଯାଇଥିବା ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି । ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ବିଳମ୍ବ ହେଲେ ହେଁ ଏହା ଅତ୍ୟାବଶ୍ୟକ ଥିଲା, ତଥାପି ଭ୍ରମ ସୃଷ୍ଟି ହୁଏ ଯେ, ଏହି ଗଣନା ୧. ଓବିସି ଜାତି ଜନଗଣନା, ୨.ଏସ୍ଇବିସି ଜାତି ଜନଗଣନା କି? ୩. ସାମୁହିକ ଭାବେ ପଛୁଆ ବର୍ଗ ଜାତି ଜନଗଣନା, ଯଦି ଓବିସି ସହିତ ଅଣଓବିସି ସାଧାରଣ ବର୍ଗର ଜାତିଙ୍କୁ ମିଶାଇ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଏସ୍ଇବିସି କେଟାଗୋରିର ଏକ ସାମୁହିକ ଜନଗଣନା କରାଯିବ ତାହା ହେଲେ ଓବିସି ମଞ୍ଚ ଏହାକୁ ତୀବ୍ର ବିରୋଧ କରିବ । କାରଣ, ମଣ୍ଡଳ କମିଶନ ରିପୋର୍ଟ ଓଡିଶାରେ କାର୍ଯ୍ୟକାରୀ କରିବାରେ ୨୯ ବର୍ଷ ବିତି ଯାଇଥିଲେ ହେଁ, ମଣ୍ଡଳ କମିଶନ ଦ୍ୱାରା ଚିହ୍ନଟ ଓବିସିଙ୍କୁ ଏଯାବତ କୌଣସି ଆରକ୍ଷଣ ଦିଆଯାଇ ନାହିଁ । ଜିଲ୍ଲା ଓବିସି ମଞ୍ଚ ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ, ଓବିସିଙ୍କୁ ଓଡିଶାରେ ଅଲଗ ଭାବରେ ସଂରକ୍ଷଣ ନ ଦେଇ ଦାସ କମିଶନ ବସାଇ ଏସ୍ଇବିସି ନାମରେ ଓବିସିଙ୍କ ୨୦୦ଟି ଜାତି ସହିତ ସାଧାରଣ ବର୍ଗର କ୍ଷେତ୍ରୀୟ, ଖଣ୍ଡାୟତ, ମହାନାୟକ, ମହାନ୍ତି, ବଣିଆ ଇତ୍ୟାଦି ଜାତିକୁ ମିଶାଇ ଏସ୍ଇବିସି ନାମରେ ୧୯୯୪ରୁ ୨୭% ଓ ବର୍ତ୍ତମାନ ୧୧.୨୫% କେବଳ ସରକାରୀ ଚାକିରି ଆରକ୍ଷଣ ଦେଉଛନ୍ତି, ଯାହା ଅଣଓବିସି ଏସ୍ଇବିସିମାନେ ଆରକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ହରଣ କରି ନେଉଛନ୍ତି । ମଣ୍ଡଳ କୃତ ଓବିସି ଓ ଦାସ କମିଶନ କୃତ ଏସ୍ଇବିସି ସମାନ ଗୋଷ୍ଠୀ ନୁହେଁ । କାରଣ ଉକ୍ତ ଜାତି ମାନଙ୍କୁ ସାଧାରଣ ବର୍ଗର ବୋଲି ମଣ୍ଡଳ କମିଶନ ଘୋଷଣା କରିଥିବା ବେଳେ ଦାଶ କମିଶନ ତାଙ୍କୁ ପଛୁଆ ଜାତି ବୋଲି ମାନ୍ୟତା ଦେଇଛନ୍ତି । ପ୍ରକାଶ ଥାଉ କି ଓଡିଶା ରାଜ୍ୟ ସରକାର ଖଣ୍ଡାୟତ ଓ ମହାବାୟକ ଜାତିକୁ ଓବିସି ପାହ୍ୟା ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ହେଁ, ସରକାର ତଥା ଏନ୍ସିବିସି ଅନୁଧ୍ୟାନ କରି ୨୦୦୯ରେ ଏହି ଜାତିମାନଙ୍କୁ ଓବିସି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଓବିସିଙ୍କୁ ଏସ୍ଇବିସି ହିସାବରେ ୧୧.୨୫% ଆରକ୍ଷଣ ସ୍ଥଳେ ୨୭% ଦିଅନ୍ତୁ କିମ୍ବା ତାହାରି ଦୁଇ ଗୁଣ ୫୪% ଦିଅନ୍ତୁ ତଥାପି ପ୍ରକୃତ ପଛୁଆ ଓବିସିଙ୍କ କିଛି ଲାଭ ହେବ ନାହିଁ ସେମାନେ ୦% ହିଁ ପାଇବେ । ତେଣୁ ରାଜ୍ୟ ଓବିସି ମଞ୍ଚ ଓଡିଶା ଦାବୀ କରେ ଯେ, ଓବିସିଙ୍କ ଅଲଗ ଜାତି ଜନଗଣନା କରି ସମାନୁପାତିକ ନ ହେଲେ ବି ବର୍ତ୍ତମାନ ଶିକ୍ଷା, ଚାକିରି ତଥା ପଞ୍ଚୟାତିରାଜ ମ୍ୟୁନିସିପାଲିଟି, ଏନ୍ଏସି ନିର୍ବାଚନରେ ୨୭% ଆରକ୍ଷଣ ଦିଆଯାଉ । ଓବିସି ମଞ୍ଚ, ଏସ୍ସି/ଏସ୍ଟି, ଏସ୍ଇବିସି, ଓବିସିଙ୍କଠାରୁ ଅଲଗ କରି ତଥା ଇଡବ୍ଲୁଏସ୍ଙ୍କୁ ସମାନୁପାତିକ ସଂରକ୍ଷଣ ଦେବାକୁ ବିରୋଧ କରୁନାହିଁ । ଆମେ ଆମରି ହକ୍ ପାଇଁ ଗୁହାରି କରୁଛୁ ମାତ୍ର ଏଥିରେ ସରକାର ତଥା ଅନ୍ୟ ବର୍ଗର ଲୋକେ ଆପତ୍ତି କରିବା ଅନୁଚିତ୍ । ଯଦି ଓବିସିଙ୍କ ଅଲଗ ଜାତି ଜନଗଣନା କରାନଯାଏ ଓ ସ୍ୱତନ୍ତ୍ର ଆରକ୍ଷଣ ଦିଆନଯାଏ ତାହା ହେଲେ ଓବିସି ମଞ୍ଚ ସରକାରଙ୍କ ପଦକ୍ଷେପକୁ ବିରୋଧ କରିବ ଓ ସରକାରଙ୍କ ଓବିସିଙ୍କ ବିରୋଧରେ ୧୯୯୪ରୁ ରଚନା ହୋଇଥିବା ଷଡଯନ୍ତ୍ର ତଥା ଓବିସିଙ୍କ ପ୍ରତି ବୈମାତୃକ ମନୋଭାବକୁ ପଦାରେ ପକାଇବ ବୋଲି ଶ୍ରୀ ପ୍ରଦେଶୀ ବିଶ୍ୱାଳ, ସମ୍ପାଦକ, ଜିଲ୍ଲା ଓବିସି ମଞ୍ଚ, ବଲାଙ୍ଗିର ପ୍ରେସ ବାର୍ତ୍ତାରେ କହିଛନ୍ତି ।