oom

ଆଇପିଏଲ: ମୋର୍ଗାନଙ୍କ କୋଲକାତାକୁ ଏକପାଖିଆ ଭାବେ ହରାଇ ରୋହିତଙ୍କ ମୁମ୍ବାଇ ଶୀର୍ଷରେ : ୭୮ ରନର ପାଳି ଖେଳି ଡି’କକ୍ ଶ୍ରେଷ୍ଠ ଖେଳାଳି ପୁରସ୍କୃତ

jsmm

ଆବୁଧାବି : ଆଇପିଏଲ୍‌ର ୩୨ତମ ମ୍ୟାଚ୍‌ ଶୁକ୍ରବାର କୋଲ୍‌କାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକପାଖିଆ ଭାବେ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୮ ୱିକେଟ୍‌ରେ ଜିତି ୧୨ ‌ପଏଣ୍ଟ ସହ ଟେବୁଲର ଦ୍ବିତୀୟରୁ ଶୀର୍ଷକୁ ଉଠିଛି। ଅନ୍ୟପକ୍ଷରେ କେକେଆର୍‌ (୮ ପଏଣ୍ଟ୍‌) ପୂର୍ବବତ୍‌ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି। କୋଲ୍‌କାତା ବିପକ୍ଷରେ ଚଳିତ ଆଇପିଏଲ୍‌ରେ ମୁମ୍ବାଇର ଏହା ଦ୍ବିତୀୟ ବିଜୟ। ବାଙ୍ଗାଲୋର୍‌ ନିକଟରୁ ସୁପର୍‌ ଓଭର ପରାଜୟ ପରଠାରୁ ଲଗାତାର ପଞ୍ଚମ ବିଜୟ ପାଇଛି ରୋହିତ ଶର୍ମାଙ୍କ ଦଳ। କେକେଆର୍‌ କିନ୍ତୁ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ବିଣ୍ଟନ୍‌ ଡି’କକ୍‌ଙ୍କୁ ମିଳିଥିଲା।

ଦୀନେଶ କାର୍ତ୍ତିକଙ୍କଠୁ କେକେଆର୍‌ର ନେତୃତ୍ବ ଭାର‌ ନେଇଥିବା ବିଶ୍ବକପ୍ ବିଜେତା ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଲଗାତାର ୱିକେଟ ଖସୁଥିଲା ବେଳେ ମୋର୍ଗାନ (୩୯ଞ୍ଚ, ୨୯ ବଲ୍‌, ୨ ଚୌକା, ୨ ଛକା) ହିଁ ପାଳି ସମ୍ଭାଳିଥିଲେ। ସେ ପ୍ୟାଟ୍‌ କମିନ୍ସଙ୍କ ସହ ପଞ୍ଚମ ୱିକେଟ୍‌ ଭାଗୀଦାରିରେ ୮୭ ରନ୍‌ ଯୋଡ଼ି ଦଳୀୟ ସ୍କୋର୍‌ ଦେଢ଼ ଶହର ନିକଟତର କରାଇଥିଲେ। ‌ମୋର୍ଗାନ ଜଗି ରଖି ଖେଳୁଥିଲା ବେଳେ କମିନ୍ସ (୫୩ ରନ୍‌, ୩୬ ବଲ୍‌, ୫ ଚୌକା, ୨ ଛକା) ଅର୍ଧଶତକ ହାସଲ କରିଥିଲେ। ‌୧୮ତମ ଓଭରରେ ବୋଲିଂ କରୁଥିବା ଯଶପ୍ରୀତ ବୁମ୍‌ରାଙ୍କ ଶେଷ ବଲ୍‌ରେ କମିନ୍ସଙ୍କ କ୍ୟାଚ୍‌ ୱିକେଟ୍‌ ରକ୍ଷକ କ୍ବିଣ୍ଟନ୍‌ ଡି’କକ୍‌ ହାତଛଡ଼ା କରିଥିଲେ। ଏହା ପର ଓଭରରେ ୧୪ ଓ ଶେଷ ଓଭରରେ ୨୧ ରନ୍‌ ଯୋଡ଼ି ମୋର୍ଗାନ-କମିନ୍ସ ଦଳୀୟ ସ୍କୋର୍‌ ୧୪୮ରେ ପହଞ୍ଚାଇଥିଲେ। ରାହୁଲ ତ୍ରିପାଠୀ (୭), ନୀତୀଶ ରାଣା (୫) ଓ ଦୀନେଶ କାର୍ତ୍ତିକ (୪) ବିଫଳ ହୋଇଥିଲା ବେଳେ ଶୁବମନ ଗିଲ୍‌ (୨୩) ଓ ଆନ୍ଦ୍ରେ ରସେଲ (୧୨) କିଛିଟା ରନ୍‌ କରିଥିଲେ। ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ରାହୁଲ ଚହର (୨/୧୮)ଙ୍କ ସହ ବୁମ୍‌ରା ଓ କୃନାଲ ପାଣ୍ଡ୍ୟା ମିତ୍ତବ୍ୟୟୀ ‌ରହିବାରୁ କୋଲ୍‌କାତା ଅଧିକ ରନ୍‌ କରିବାରେ ବିଫଳ ହୋଇଥିଲା।

୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଓ କ୍ବିଣ୍ଟନ ଡି’କକ୍‌ ୯୪ ରନ୍‌ର ଭାଗୀଦାରି ଦୃଢ଼ ମୂଳଦୁଆ ପକାଇଥିଲେ। ରୋହିତ ୩୫ ରନ୍‌ରେ ଶିବମ ମାଭିଙ୍କ ବଲ୍‌ରେ ଦୀନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ବ୍ୟାଟିଂକୁ ଆସିଥିବା ସୂର୍ୟ୍ୟକୁମାର ଯାଦବ (୧୦ ରନ୍‌) ବଡ଼ ସ୍କୋର୍‌ କରିବା ପୂର୍ବରୁ ତାଙ୍କୁ ବରୁଣ ଚକ୍ରବର୍ତ୍ତୀ ବୋଲ୍ଡ କରି ଦେଇଥିଲେ। ‌ଡି’କକ୍‌ ବିସ୍ଫୋରକ (୭୮, ୪୪ ବଲ) ଅର୍ଧଶତକ ହାସଲ କରିବା ସହ ହାର୍ଦିକ ପାଣ୍ଡ୍ୟା (୨୧, ୧୧ ବଲ)ଙ୍କ ସହ ମିଶି ଦଳକୁ ୩.୧ ଓଭର ପୂର୍ବରୁ ବିଜୟ ଦେଇଥିଲେ।

jittmm
Leave A Reply

Your email address will not be published.