pakka

କବିତା : ଈଶ୍ୱର

  • ବବିତା ମହାପାତ୍ର

କେବେ ଥରେ ତୁମକୁ ଈଶ୍ୱର ବୋଲି
ମାନି ନେଇଥିଲି ଯେ ଏଯାଏଁ ବି
ତୁମେ ଅଧିଷ୍ଠିତ ମନ୍ଦିରରେ,
ମୁଁ କିନ୍ତୁ ତଳିତଳାନ୍ତ ତୁମ ପୂଜାରେ
ତୁମ ଚବିଶ ପ୍ରହରୀୟ ଆରାଧନାରେ ।
ନିର୍ଦ୍ଧାରିତ ବିଧି ବିଧାନରେ ମୁଁ
ହରେଇ ସାରିଲିଣି ସାରା ଜୀବନର ଜମାପୁଞ୍ଜି ।

ତେବେ ବି ତୁମେ ଈଶ୍ୱର ମୋ’ ପାଇଁ !

ଈଶ୍ୱର କି ନୁହେଁ ଜାଣନି
ତଥାପି ବି ଈଶ୍ୱରୀୟ ଅବବୋଧରେ
ନିଜକୁ ସମ୍ଭାଳି ନେଇ ବସିଥାଅ,
ବେଶ ଦର୍ପରେ ତୁମେ ଫିଙ୍ଗିଦିଅ
ଆଶୀର୍ବାଦର ବଚନିକା ।
ଲୋଟାଏ ପାଣିର ସଂକଳ୍ପରେ
ଇଚ୍ଛାପୂର୍ଣ୍ଣ ହେବାର ସମ୍ଭାବନାରେ
ତୁମ ପାଖେ ଓଜାଡ଼ିଦିଏ ମୁଣ୍ଡ ।
ତୁମେ ବି ତଥାସ୍ତୁ ମୁଦ୍ରାରେ
ଆଖି ପହଁରେଇ ନିଅ ମୋ’ ସର୍ବାଙ୍ଗରେ ।
ସିନ୍ଦୂର ବୋଳା ସରିଥାଏ କି ନା
ତୁମେ ଗୋଟାଏ ଈଶ୍ୱରୀୟ ଅଦବରେ
ପାଦ ଛୁଆଇଁ ନିଅ ।

ତୁମେ ଯେ ଈଶ୍ୱର ମୋ ପାଇଁ !

ତୁମକୁ ଈଶ୍ୱର ବୋଲି ମାନି ନେବାରେ
ଆଦୌ କୁଣ୍ଠିତ ହୁଏନି ମୁଁ
ବରଂ ଦେହ, ଦାହ, ଭକ୍ତି, ଶକ୍ତି
ସବୁକିଛି ନିସର୍ତ୍ତରେ ସମର୍ପି ଦିଏ ।

ତୁମେ ମୁଣ୍ଡେଇ ନିଅ ସବୁଯାକ ପ୍ରାପ୍ୟ
ରୁନ୍ଧିହୁଏ ମୁଁ ତୁମ ଧୂପ, ଦୀପ, ନୈବେଦ୍ୟରେ
ଚିରାଚରିତ ଢଙ୍ଗରେ ତୁମେ ଇଶ୍ୱରୀୟ ମୁଦ୍ରାରେ
ନିଜର ସାମ୍ରାଜ୍ୟ ବିସ୍ତାର କଲାବେଳେ
ମୁଁ ପ୍ରଭୁ ରଙ୍କୁଣା ଭକ୍ତ ଟିଏ
ତୁମ ଭକ୍ତିରେ ସାଉଁଟି ଚାଲିଥାଏ ମୋର ଜୀବନ ।।

1 Comment
  1. Pradip Kumar Mishra says

    ଭଲ ଲାଗିଲା କବିତାଟି, କବିଙ୍କୁ ବନାଇ!

Leave A Reply

Your email address will not be published.

three × three =