ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
- ସମସ୍ତ ରାଜନୈତିକ ଦଳ ପ୍ରତିନିଧି ଙ୍କୁ ୦୧/୦୧/୨୦୨୧ସୁଦ୍ଧା ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକା ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ମୋନୀଷା ବାନାର୍ଜୀ, ୬୫-ସୋନପୁର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ପ୍ରକାଶିତ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଉଭୟ ନିର୍ବାଚନ ମଣ୍ଡଳୀର ତାଲିକା ହାର୍ଡ କପି ଓ ସଫ୍ଟ କପି ଜରିଆରେ ହସ୍ତାନ୍ତର କରାଯାଇଛି । ଚଳିତ ବର୍ଷ ଜିଲ୍ଲାର ସମୁଦାୟ ୨୬୮୭୮ଗୋଟି ଫର୍ମ, ୬୫-ସୋନପୁରରୁ ୧୩୮୫୬ଗୋଟି ଓ ୬୪-ବୀରମହାରାଜପୁରରୁ ୧୩୦୨୨ଗୋଟି ବିଭିନ୍ନ ଆବେଦନ ଫର୍ମକୁ ଗ୍ରହଣ କରାଯାଇଥିଲା । ତେବେ ଚଳିତ ସ୍ୱତନ୍ତ୍ର ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟର ନିମନ୍ତେ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୬୧୮୬ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୧୪୬ ଜଣ ଯୋଗ୍ୟ ଭୋଟର ତାଲିକାଭୁକ୍ତ ହୋଇଥିବା ବେଳେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୫୧୫ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୪୧୮ ଜଣ ଭୋଟର ତାଲିକାରୁ ବାଦ ପଡିଛନ୍ତି । ସଦ୍ୟ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ସର୍ବମୋଟ ୪,୬୧,୮୧୬ ଜଣ ଭୋଟର ରହିଥିବା ବେଳେ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୧୦,୧୬୫ ଜଣ ଓ ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୫୧, ୬୫୧ଜଣ ଭୋଟର ରହିଛନ୍ତି ।
ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ସୁବର୍ଣ୍ଣପୁର ସୂର୍ୟ୍ୟନାରାୟଣ ଦାଶ, ନିର୍ବାଚନ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଉପସ୍ଥିତ ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ତରଫରୁ ବିଜୁ ଜନତା ଦଳ ଜିଲ୍ଲା ପ୍ରତିନିଧି କଇଁରୁ ସ୍ୱାଇଁ, ଭାରତୀୟ ଜନତା ଦଳ ଜିଲ୍ଲା ପ୍ରତିନିଧି ଜଗତଜ୍ୟୋତି ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଲା ପ୍ରତିନିଧି ସୁଧୀର ପଣ୍ଡା ଯୋଗଦାନ କରି ସଦ୍ୟ ପ୍ରକାଶିତ ଯୋଗ୍ୟ ଭୋଟର ତାଲିକା ଗୁଡିକୁ ଗ୍ରହଣ କରିଥିଲେ ।