ଜଙ୍ଗଲରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ଅନ୍ତର୍ଗତ ମ.ରାମପୁର ଥାନା ପାଜିବାହାଲି ଛକ ନିକଟରେ ନିଖୋଜ ଦୁଇଜଣ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ମ.ରାମପୁର ପୋଲିସ । ସୂଚନା ମୁତାବକ ମ.ରାମପୁର ବ୍ଲକ ତାଳକୁନା ଗ୍ରାମର ବିଶ୍ୱାମିତ୍ର ସୁନା ଓ କମଳ ବାଗ ଗତ ସୋମବାର ଦିନ ବାଲିପଡ଼ା ବଜାରକୁ ବଳଦ ବିକ୍ରୀ କରିବାକୁ ଯାଇଥିଲେ । କିନ୍ତୁ ବଳଦ ବିକ୍ରୀ କରିବାକୁ ଯାଇ ଆଉ ସେମାନେ ଘରକୁ ଫେରିନଥିଲେ । ସନ୍ଧ୍ୟା ୬ ଘଂଟା ସମୟ ପର୍ଯ୍ୟନ୍ତ ଫୋନ୍‌ରେ ଯୋଗାଯୋଗ ହେଇଥିଲେ ହେଁ ତା ପରେ ଆଉ ତାହା ସମ୍ଭବ ହେଇନଥିଲା । ଉଭୟଙ୍କ ପରିବାର ବର୍ଗ ସୋମବାର ଏବଂ ମଙ୍ଗଳବାର ବହୁତ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ନିଜର ବନ୍ଧୁବାନ୍ଧବଙ୍କ ସହିତ ମଧ୍ୟ ଯୋଗାଯୋଗ କରି ନିରାଶ ହେଇଥିଲେ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ କିଛି ଲୋକ ଜଙ୍ଗଲରେ ଦୁଇଟି ମୃତ ଦେହ ଓ ବାଇକ ପଡ଼ିଥିବା ଦେଖି ମ.ରାମପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ମୃତଦେହ ଓ ବାଇକ ଜବତ କରି ମ.ରାମପୁର ଡ଼ାକ୍ତରଖାନାକୁ ଶବ ଆଣିଥିଲା । ତେବେ ବାଇକଟି ଗଛରେ ପିଟି ହେବା ଫଳରେ ଉଭୟଙ୍କ ମୃତ୍ୟୁ ହେଇଥିବା କୁହାଯାଉଛି ଏବଂ ସୋମବାର ରାତିରେ ହିଁ ଏହି ଦୁର୍ଘଟଣା ପୁଣି ଜଙ୍ଗଲରାସ୍ତାରେ ହେଇଥିବାରୁ କେହି ଖବର ପାଇନଥିଲେ । ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave A Reply

Your email address will not be published.