ତୈଳ ଦର ବୃଦ୍ଧି ନେଇ ଲୋକେ ହନ୍ତସନ୍ତ : ଚିନ୍ତାରେ ଜନତା, ରାଜନେତାଙ୍କ ନୀରବତା

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଚିନ୍ତାରେ ଅନେକ ଲୋକେ ଭାଙ୍ଗି ପଡିଛନ୍ତି । ଅନେକ ଲୋକ ଭୋକ ଉପବାସରେ ମଧ୍ୟ ଦିନ କାଟୁଥିବା ବେଳେ ଏବେ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଲୋକେ ହନ୍ତସନ୍ତ ହୋଇ ପଡିଛନ୍ତି । ତେବେ ଦୁଇ ବର୍ଷ ପରେ ପୁଣି ଥରେ ତେଲରେ ଲାଗିଛି ନିଆଁ । ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢି ଚାଲିଛି । ଗତ ନଭେମ୍ବର ମାସ ୨୦ ତାରିଖରୁ ଡିସେମ୍ବର ୯ ତାରିଖ ମଧ୍ୟରେ ପେଟ୍ରୋଲିୟ କମ୍ପାନୀ ଗୁଡିକୁ ଇନ୍ଧନ ଦର ୧୫ ଥର ବୃଦ୍ଧି କରିଛନ୍‌ନ୍ତି । ଦୁଇ ବର୍ଷ ତଳର ଦରକୁ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି ତୈଳ ଦର । ୨୦୧୮ ମସିହାରେ ଅକ୍ଟୋବର ମାସ ୪ ତାରିଖରେ ଦିଲ୍ଲୀରେ ପେଟ୍ରୋଲ ଦର ସର୍ବାଧିକ ୮୫ ରେକର୍ଡ କରାଯାଇଥିଲା । ହେଲେ ଏବେ ପୁରୁଣା ରେକର୍ଡକୁ ଭାଙ୍ଗି ଦର ଆହୁରି ଆଗକୁ ବଢ଼ିଛି । ଗୁରୁତ୍ୱପୂର୍ଣ କଥା ହେଲା ଯେବେ ଠାରୁ ପେଟ୍ରୋଲିୟମ କମ୍ପାନୀ ଗୁଡିକ କେନ୍ଦ୍ର ସରକାରଙ୍କ ଅଧୀନରୁ ମୁକ୍ତ ହେଲେଣି ସେତେଦିନରୁ ପେଟ୍ରୋଲିୟମ ସାମଗ୍ରୀ ଦର ବଢ଼ିବାରେ ଲାଗିଛି । ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲ ବ୍ୟାରେଲ ପାଖାପାଖି ୫୦ ଡ଼ଲାରକୁ ପହଞ୍ଚିଛି । ମାତ୍ର ଏହା ସେତେ ବଡ଼ ସମସ୍ୟା ନୁହେଁ ।ପୂର୍ବରୁ ଆନ୍ତର୍ଜାତିକ ବଜାରରେ ତେଲ ଦର ୩୦ ଡ଼ଲାର ତଳକୁ ମଧ୍ୟ ଖସିଥିଲା । ତଥାପି ରାଜ୍ୟ ତଥା ଦେଶରେ ପେଟ୍ରୋଲିୟମ ସାମଗ୍ରୀ ଦର ଆଖିଦୃଶିଆ ଭାବେ କମିଥିବା ଦେଖା ଯାଇନଥିଲା । ମାତ୍ର ସମ୍ପ୍ରତି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ଲୋକମାନେ ସ୍ୱାଭାବିକ ଭାବରେ କଂଗ୍ରେସ ସରକାରଙ୍କ ସମୟର ଇନ୍ଧନ ଦର ସହ ତୁଳନା କରିବା ଆରମ୍ଭ କରିଛନ୍ତି । ଦର ହ୍ରାସ ପଦକ୍ଷେପ ନ ନେଲେ, ଖୁବଶୀଘ୍ର ୧୦୦ଟଙ୍କା ଟପିବ, ଏଥିରେ କୈ।ଣସି ସନ୍ଦେହ ନାହିଁ । ତେବେ ଏବେ ଲୋକମାନେ ପ୍ରଭାବିତ ହେବାରେ ଲାଗିଲେଣି । ଏସଂପର୍କରେ ରାଜନେତା ମାନଙ୍କ ନୀରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ସେମାନେ ଯାହା କହନ୍ତି

ଗୁଣ ସାଗର ମାଝୀ, ସଇଁନ୍ତଳା ବ୍ଳକ କଂଗ୍ରେସ ସଭାପତି
ପେଟ୍ରୋଲ ଜାତ ଦ୍ରବ୍ୟ ଉପରେ ବାରମ୍ବାର ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନଯାତ୍ରାରେ ପ୍ରଭାବ ପକାଉଛି । ଚାଷୀକୁଳ ଏହା ଦ୍ଵାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ତେବେ ସରକାରଙ୍କ ଏଭଲି ଦର ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଗାମୀ ଦିନରେ ଆନ୍ଦୋଳନ ନିଶ୍ଚିତ ଭାବରେ ହେବ ।

ଗୀତାଞ୍ଜଳି ଦାସ, ସମାଜସେବୀ, ବଲାଙ୍ଗିର
ଗରିବ ଖଟିଖିଆ ଲୋକଙ୍କ ପାଇଁ ଏବେ ଚିନ୍ତାରେ ପକାଇଛି ତୈଳ ଦର । ଲୋକଙ୍କ ପାଖରେ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ତୈଳ ଦର ବୃଦ୍ଧି ଯୋଗୁଁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ବୀରବର ସାହୁ, ସିହିନୀ ଗ୍ରା.ପ. ସରପଞ୍ଚ, ଟିଟିଲାଗଡ଼
କେନ୍ଦ୍ର ସରକାରଙ୍କ ଖାମଖିଆଲି, ବେପାରୁଆ ଏବଂ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବାରମ୍ବାର ବୃଦ୍ଧି ପାଉଛି । ତେବେ ଏଭଳି ତୈଳ ବୃଦ୍ଧିକୁ ନେଇ ମୁଁ ଦୃଢ ନିନ୍ଦା କରୁଛି ।

ଗୌରୀ ରଣା, ସମାଜସେବୀ, ଟିଟିଲାଗଡ଼
କରୋନା ମହାମରୀ ପାଇଁ ଦୀର୍ଘ ୯ ମାସ ହେଲାଣି ସଟ୍‌ଡାଉନ୍‌ /ଲକ୍‌ଡାଉନ୍‌ ଯୋଗୁଁ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଖରାପ ଥିବା ବେଳେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ଜନ ସାଧାରଣଙ୍କୁ ବେଡି ଉପରେ କୋରଡା ମାଡ଼ ଭଳି କଷ୍ଟ ଦାୟକ ହେଉଛି । ତେବେ ସରକାର ଏ ଦିଗରେ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଆବଶ୍ୟକ ।

ପ୍ରେମାନନ୍ଦ ସାହୁ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ଉପ-ସଭାପତି
ସରକାର ଓ ତୈଳ କମ୍ପାନୀ ଅତ୍ୟଧିକ ଲାଭ ଆଶା ଛାଡି ସାଧାରଣ ଜନତାଙ୍କୁ ସବ୍‌ସିଟି ପ୍ରଦାନ କରି ତୈଳ ଦର ନିୟନ୍ତ୍ରଣ କରିବା ଉଚିତ । କିନ୍ତୁ କରୋନା ଓ ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟ ତୈଳ ଦର ବୃଦ୍ଧିରେ ସହାୟକ ହେଉଛି ।

Leave A Reply

Your email address will not be published.