ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଓଡିଶା ସଂସ୍କୃତି ସମ୍ପର୍କିତ ଚିତ୍ରକଳା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବନ ବିଭାଗ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ମଦନପୁର ସ୍ଥିତ ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ସଙ୍ଗରେ ବିଭିନ୍ନ କିସମର ୪୫୦୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପି.ସି.ସି.ଏଫ୍‌(ବନରକ୍ଷୀ) ଦେବୀଦତ୍ତ ବିଶ୍ଵାଳ, ପିସିସିଏଫ୍‌ (କେନ୍ଦୁପତ୍ର) ଉଷା ମାକ୍ରୋ, ପିସିସିଏଫ (ବନ୍ୟପ୍ରାଣୀ) ଏ ସ. କେ ପାପଲି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ଵତନ୍ତ୍ର ସଚିବ ମଧୁସୂଦନ ଦାସ, ବିଶ୍ଵ ବିଦ୍ୟାଳୟର କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଧରଣୀଧର ରଣା, ବିତ୍ତ ନିୟନ୍ତ୍ରକ ରାଜେଶ କୁମାର ମହାନ୍ତ ଓ ଅଧ୍ୟାପକ ମଣ୍ଡଳୀ ପ୍ରମୂଖ ଉପସ୍ଥିତ ରହି ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ବିଶ୍ଵ ବିଦ୍ୟାଳୟର ଦୃଶ୍ୟ କଳା ବିଭାଗ ଦ୍ଵାରା ଆୟୋଜିତ ଓଡ଼ିଶାର ସାଂସ୍କୃତିକ ବିଶେଷତ୍ଵ ସମ୍ପର୍କିତ ତିନି ଦିନିଆ ସ୍ଵତନ୍ତ୍ର ଚିତ୍ର କଳା ଶିବିରର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଏହି ଶିବିରରେ ଦୃଶ୍ୟ କଳା ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ପରମ୍ପରା ଉପରେ ପର୍ଯ୍ୟବେସିତ ଚିତ୍ରକଳା ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଉତ୍କଳୀୟ ସଂସ୍କୃତିର ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ଭଳି ଶିବିର ଆୟୋଜନ କରିବା ସମ୍ପର୍କରେ ବିଶ୍ଵ ବିଦ୍ୟାଳୟର କୁଳପତି ସୂଚନା ଦେଇଥିଲେ ।

Leave A Reply

Your email address will not be published.