ଘୋଡାର ଗ୍ରାମ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତକାଲି ଶନିବାର ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘୋଡାର ଗାଁ ଏବଂ ଅମ୍ୱୁର୍ଲା ଗାଁରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଘୋଡାର ଗାଁରେ ଯଥାକ୍ରମେ ଉଠା ଜଳସେଚନ ପ୍ରକଳ୍ପ ୧, ୨ଏବଂ ୩ର ଶିଳାନ୍ୟାସ କରିଛନ୍ତି.। ଏଥିପାଇଁ ଏକ ନମ୍ବର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଅଣତିରିଶ ଲକ୍ଷ ଅଶି ହଜାର ଆଠ ଶହ ଟଙ୍କା ଅଟକଳ ବ୍ୟୟ ବରାଦ ରଖା ଯାଇଥିବା ବେଳେ ଦୁଇ ନମ୍ବର ଏବଂ ତିନି ନମ୍ବର ପ୍ରକଳ୍ପ ପାଇଁ ତିରିଶ ଲକ୍ଷ ପଞ୍ଚୋସ୍ତରୀ ହଜାର ତିନି ଶହ ଟଙ୍କା ଏବଂ ତିରିଶ ଲକ୍ଷ ଛଅ ଶହ ଟଙ୍କା ଅଟକଳ ରଖା ଯାଇଛି । ଠିକ୍‌ ସେହିପରି ଅମ୍ୱୁର୍ଲା ଗାଁର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଅଣତିରିଶ ଲକ୍ଷ ତେୟାସି ହଜାର ପାଞ୍ଚ ଶହ ଏବଂ ଏକତିରିଶ ହଜାର ଛାୟାଲିଶ ଲକ୍ଷ ଚାରି ଶହ ଟଙ୍କା ଅଟକଳ ବ୍ୟୟ ବରାଦ ହୋଇଛି । ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ରବି ଚାଷ ଏବଂ ଖରିଫ ଚାଷ ପାଇଁ ତିନି ଶହ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ସମୟରେ ନିର୍ବାହୀ ଯନ୍ତ୍ରୀ ରଂଜିତ କୁମାର ଗାନ ଏବଂ ଟିଟିଲାଗଡ଼ ଲିଫ୍ଟ ଇରିଗେସନ ଅଧିକାରୀ ଏସ.ଡ଼ି.ଓ. ଅମୃତ କୁମାର ବାଗ ଉପସ୍ଥିତ ରହିଥିଲେ । ପରେ ଅମ୍ୱୁର୍ଲା ଗାଁରେ ଏକ ନୂତନ ଅଙ୍ଗନୱାଡି କୋଠାକୁ ମନ୍ତ୍ରୀ ଫିତା କାଟି ଉଦଘାଟନ କରିଥିଲେ । ଆଜି ମନ୍ତ୍ରୀଙ୍କ ଗସ୍‌ସ୍ତ ସମୟରେ ଘୋଡାର ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମନ୍ତ୍ରୀଙ୍କୁ ନିଜ ମାଛ ଚାଷ କରିଥିବା ପୋଖରୀକୁ ପାଛୋଟି ନେଇଥିଲେ । ପରେ ବହୁ ରକମର ଦେଶୀ ମାଛ ଚାଷ କରିଥିବା ବେଳେ ମାଛ ଗୁଡ଼ିକର ସ୍ଥାନୀୟ ବଜାର ଏବଂ ଟିଟିଲାଗଡ଼ ବଜାରରେ ବେଶ ଚାହିଦା ରହିଥିବା ଜଣେଇଥିଲେ । ମାଛ ଗୁଡିକର ଆକାର ଦେଖି ମନ୍ତ୍ରୀ ବେଶ ପ୍ରଶଂସା କରିବା ସହ ମହିଳାମାନେ ଆଉ ବଡ଼ି, ପାମ୍ପଡ଼, ଆଚାରରେ ସୀମିତ ନ ରହି ଅନେକ ପ୍ରକାର ବ୍ୟବସାୟ କରିବାରେ ବେଶ ସଫଳତା ହାସଲ କରି ପାରୁଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.